Latest Odisha News

BREAKING NEWS

‘ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗ’ ନିଜ କଥା ଭାବିବେ ନା ବିରୋଧ କରିବେ?

ଭୁବନେଶ୍ୱର: ଆମ ଆଦମୀ ପାର୍ଟି ଶିବିରରେ ହସଖୁସି। ତୃଣମୂଳ କଂଗ୍ରେସ ଓ ଏନସିପି ଶିବିରରେ ନିରାଶାର ଛାଇ। ଏଭଳି କିଛି ଦେଖିବାକୁ ମିଳିଛି ଜାତୀୟ ରାଜନୀତିରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପକୁ ଜାତୀୟ ରାଜନୈତିକ ଦଳ ଭାବେ ଘୋଷଣା କରାଯାଇଛି।

ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ପରେ ଆମ ଆଦମୀ ପାର୍ଟି ଜାତୀୟ ଦଳ ହେବା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରିଥିଲା। ତେଣୁ ଜାତୀୟ ଦଳ ଘୋଷଣା ପରେ ଆପ ନେତାମାନେ ଅତ୍ୟନ୍ତ ଖୁସି। କିନ୍ତୁ ଠିକ ସେହି ସମୟରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନସିପି ଜାତୀୟ ଦଳ ମାନ୍ୟତା ହରାଇଛନ୍ତି। ଯାହାକୁ ନେଇ ଦେଶର ରାଜନୀତି ତୀବ୍ର ହୋଇଛି।

ଜାତୀୟ ଦଳର ମାନଦଣ୍ଡ ପାଇଁ ଥିବା ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହେବା କାରଣରୁ ଟିଏମସି ଏବଂ ଏନସିପି ନିଜ ପୂର୍ବ ମାନ୍ୟତା ହରାଇଛନ୍ତି ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ବିରୋଧୀ ଏକ ହୋଇ ବିଜେପିକୁ କେନ୍ଦ୍ରୀୟ ଶାସନରୁ ହଟାଇବାକୁ ଯୋଜନା ଜୋରଦାର କରୁଥିବା ବେଳେ ଏଭଳି ଖବର ଉଭୟ ପ୍ରମୁଖ ଦଳକୁ ଝଟକା ସଦୃଶ ହୋଇଛି।

ଆପ, ଟିଏମସି ମୋଦିଙ୍କ କଟର ବିରୋଧୀ ବୋଲି କୁହାଯାଉଥିବା ବେଳେ ଜଣଙ୍କୁ ଜାତୀୟ ମାନ୍ୟତା ମିଳିବା ଓ ଆଉ ଜଣଙ୍କ ମାନ୍ୟତା କଟିବା ପରେ ଚର୍ଚ୍ଚା ଜୋର ଧରିଛି। ଏପରିକି ଆଦାନୀ ପ୍ରସଙ୍ଗରେ ବିରୋଧୀ ଦାବି କରୁଥିବା ଜେପିସି ତଦନ୍ତକୁ ନାପସନ୍ଦ କରିବା ଓ ଆପର ମୋଦିଙ୍କ ଡିଗ୍ରୀ ମାଗିବା ପ୍ରସଙ୍ଗକୁ ଅନାବଶ୍ୟକ କହି ବିରୋଧୀଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଥିବା ଏନସିପିର ଜାତୀୟ ମାନ୍ୟତା କଟିବା ପ୍ରସଙ୍ଗକୁ ଆହୁରି ରୋଚକ କରିଛି।

ଜାତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ମାନଦଣ୍ଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଜାତୀୟ ଦଳର ମାନ୍ୟତା ହରାଇବା ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଟିଏମସି କୋର୍ଟରେ ଆବେଦନ କରିପାରେ ବୋଲି କୁହାଯାଉଛି।

ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇଥିଲା ଟିଏମସି। ଏଥିସହିତ ଅନ୍ୟ ରାଜ୍ୟରେ ମଧ୍ୟ ସଂଗଠନ ମଜବୁତ କରିବାକୁ ଚେଷ୍ଟା ଜାରି ରଖିଛି ଦଳ। ଗୋଆ ନିର୍ବାଚନ ସହିତ ତ୍ରିପୁରାରେ ମଧ୍ୟ ଟିମସି ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ହେଲେ ଦଳକୁ ସେତେଟା ସଫଳତା ମିଳି ନ ଥିଲା। ଏହା ପରେ ନିର୍ବାଚନ କମିଶନ ଟିଏମସିର ଜାତୀୟ ଦଳର ମାନ୍ୟତା ହଟାଇ ନେଇଛନ୍ତି।

ପ୍ରମୁଖ ବିରୋଧୀ ନିଜକୁ ବିଜେପି ବିରୋଧରେ ଶକ୍ତିଶାଳୀ କରୁଥିବା କହୁଥିବା ବେଳେ ଜାତୀୟ ମାନ୍ୟତା ହରାଇବା ବିରୋଧୀ ଦଳଗୁଡିକୁ ବ୍ୟାକଫୁଟକୁ ଠେଲିଦେଇଛି ବୋଲି କୁହାଯାଉଛି। ତେଣୁ ଏ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଆଗାମୀ ରଣନୀତି କଣ ହେବ ତା ଉପରେ ନଜର।

Leave A Reply

Your email address will not be published.