Latest Odisha News

BREAKING NEWS

ସକାଳୁ ସକାଳୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି, ୩ଟି ସ୍ଥାନରେ ଇଡି ଓ ସିବିଆଇ ରେଡ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବିବାଦ ଏପର୍ଯ୍ୟନ୍ତ ଥମି ନଥିବା ବେଳେ ଆଜି କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବାସଭବନରେ ଚଢାଉ କରିଛି । ଏପଟେ ଆମ୍ ଆଦମୀ ପାର୍ଟିର ମଟିଆଲା ବିଧାୟକ ଗୁଲାବ ସିଂ ଯାଦବ ଏବଂ ବିଆରଏସ ନେତା କବିତାଙ୍କ ସମ୍ପର୍କୀୟଙ୍କ ଘରେ ସକାଳୁ ସକାଳୁ ଇଡି ପହଞ୍ଚିଥିବା ବେଳେ ସେପଟେ ତୁଣମୁଳ କଂଗ୍ରେସ ଦଳର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ଘରେ ପହଞ୍ଚିଛି ସିବିଆଇ ।

ସୂଚନାନୁସାରେ, ଆଜି ହାଇଦ୍ରାବାଦରେ କେ.କବିତାଙ୍କ ସମ୍ପର୍କୀୟଙ୍କ ଘରେ ଇଡି ରେଡ କରିଛି । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଇଥିବା କୁହାଯାଇଛି। ଇଡି ଟିମ୍ କବିତାଙ୍କ ଭାଉଜଙ୍କ ଘରେ ମଧ୍ୟ ଚଢାଉ କରିଛି । ବାସ୍ତବରେ, ଆଜି କେ.କବିତାଙ୍କ ରିମାଣ୍ଡ ଶେଷ ହେଉଛି।

ଅନ୍ୟପକ୍ଷରେ ଆଜି ସକାଳୁ ସକାଳୁ ପୂର୍ବତନ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବାସଭବନ ସମେତ ଅନେକ ସ୍ଥାନରେ ସିବିଆଇ ଚଢାଉ କରିଛି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଗତ ୨୧ ମାର୍ଚ୍ଚରେ ସିବିଆଇ ପୂର୍ବତନ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ମାମଲା ରୁଜୁର ଦୁଇ ଦିନ ପରେ ଅର୍ଥାତ୍ ଆଜି ତାଙ୍କ ଘରେ ଚଢାଉ କରିଛି ସିବିଆଇ ।

ସେପଟେ ଦିଲ୍ଲୀ ସିଏମ୍ ଏବଂ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଇଡି ଦଳର ଅନ୍ୟ ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ସକାଳୁ ସକାଳୁ ଇଡି ବିଧାୟକ ଗୁଲାବ ସିଂଙ୍କ ଘରେ ଚଢାଉ କରିଥିଲା । ମଟିଆଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଗୁଲାବ ସିଂ ଦଳର ଗୁଜୁରାଟ ୟୁନିଟ୍ ଦାୟିତ୍ୱରେ ଅଛନ୍ତି । ତେବେ କେଉଁ କାରଣରୁ ଏହି ଚଡାଉ କରାଯାଉଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.