Latest Odisha News

BREAKING NEWS

ଜନଗଣନା ୨୦୨୭: ଅନ୍‌ଲାଇନ୍‌ରେ କିପରି ପୂରଣ କରିବେ ଫର୍ମ? ଷ୍ଟେପ୍‌-ବାଇ-ଷ୍ଟେପ୍‌ ଜାଣନ୍ତୁ ପୂରା ପ୍ରକ୍ରିୟା

ରାଜଧାନୀ ଦିଲ୍ଲୀରେ ଜନଗଣନା ୨୦୨୭ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ମେ’ ୧ ତାରିଖରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ନିଜେ ଅନ୍‌ଲାଇନ୍ ମାଧ୍ୟମରେ ସେଲ୍ଫ-ଏନ୍ୟୁମେରେସନ୍ ବା ନିଜର ତଥ୍ୟ ପୂରଣ କରିବାର ସୁଯୋଗ ଦିଆଯାଉଛି। ଏହି ସମୟ ମଧ୍ୟରେ ଦିଲ୍ଲୀର ସମସ୍ତ ୱାର୍ଡର ବାସିନ୍ଦା ଘରେ ବସି ନିଜର ତଥ୍ୟ ଅନ୍‌ଲାଇନ୍‌ରେ ସବମିଟ୍ କରିପାରିବେ। ଏହାପରେ ମେ’ ୧୬ ତାରିଖରୁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ ହେବ।

ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମାତ୍ର ୧୫ ରୁ ୨୦ ମିନିଟ୍ ମଧ୍ୟରେ ଶେଷ କରାଯାଇପାରିବ। ସବୁଠାରୁ ବଡ଼ କଥା ହେଉଛି, କେବଳ ଘର ମାଲିକ ନୁହଁନ୍ତି, ବରଂ ନୂଆ ଭଡ଼ାଟିଆମାନେ ମଧ୍ୟ ନିଜର ତଥ୍ୟ ନିଜେ ପୂରଣ କରିପାରିବେ। ଏହାଦ୍ୱାରା ଅନେକ ସମୟ ବଞ୍ଚିବା ସହିତ ତଥ୍ୟରେ ଭୁଲ୍ ହେବାର ଆଶଙ୍କା ମଧ୍ୟ ବହୁ ମାତ୍ରାରେ କମିଯିବ। ତେବେ ଆସନ୍ତୁ ଜାଣିବା, ଅନ୍‌ଲାଇନ୍‌ରେ ଜନଗଣନା ଫର୍ମ କିପରି ପୂରଣ କରିବେ ଏବଂ ଏହାର ଷ୍ଟେପ୍-ବାଇ-ଷ୍ଟେପ୍ ପ୍ରକ୍ରିୟା କଣ ରହିଛି।

କିପରି କରିବେ ଅନ୍‌ଲାଇନ୍ ଜନଗଣନା?
ଅନ୍‌ଲାଇନ୍ ଫର୍ମ ପୂରଣ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଅଫିସିଆଲ୍ ପୋର୍ଟାଲ୍ https://se.census.gov.in କୁ ଯିବାକୁ ପଡିବ। ସେଠାରେ ଲଗ୍-ଇନ୍ କରିବା ପରେ ଆପଣଙ୍କୁ ନିଜର କିଛି ମୌଳିକ ସୂଚନା ଦେବାକୁ ହେବ।

ଷ୍ଟେପ୍ ୧- ଲଗ୍-ଇନ୍ କରନ୍ତୁ
ସର୍ବପ୍ରଥମେ https://se.census.gov.in ୱେବସାଇଟ୍‌କୁ ଯାଇ ନିଜ ରାଜ୍ୟ (ଯେପରିକି ଭୁବନେଶ୍ୱର) ଚୟନ କରନ୍ତୁ ଏବଂ କ୍ୟାପ୍‌ଚା (Captcha) କୋଡ୍ ପୂରଣ କରନ୍ତୁ। ଭଲ ମ୍ୟାପିଂ ସୁବିଧା ପାଇଁ ମୋବାଇଲ୍ ବଦଳରେ ଲାପଟପ୍ କିମ୍ବା ଡେସ୍କଟପ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଷ୍ଟେପ୍ ୨- ହାଉସ୍‌ହୋଲ୍ଡ ରେଜିଷ୍ଟ୍ରେସନ୍
ଏଠାରେ ପରିବାରର ମୁଖ୍ୟଙ୍କ ନାମ ଦେବାକୁ ପଡିବ, ଯାହାକୁ ପରବର୍ତ୍ତୀ ସମୟରେ ଆଉ ବଦଳାଯାଇ ପାରିବ ନାହିଁ। ଏହା ସହିତ ଏକ ମୋବାଇଲ୍ ନମ୍ବର ଦେବା ନିହାତି ଜରୁରୀ। ମନେରଖନ୍ତୁ, ପ୍ରତ୍ୟେକ ପରିବାର ପାଇଁ ଏକ ଅଲଗା ମୋବାଇଲ୍ ନମ୍ବର ରହିବା ଆବଶ୍ୟକ।

ଷ୍ଟେପ୍ ୩- ଭାଷା ଚୟନ ଏବଂ ଭେରିଫିକେସନ୍
ଆପଣ ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ତାମିଲ ଏବଂ ଉର୍ଦ୍ଦୁ ଆଦି ୧୬ଟି ଭାଷା ମଧ୍ୟରୁ ନିଜ ପସନ୍ଦର ଯେକୌଣସି ଗୋଟିଏ ଭାଷା ବାଛିପାରିବେ। ଏହାପରେ ମୋବାଇଲ୍ ନମ୍ବରକୁ ଆସିଥିବା ଓଟିପି ଜରିଆରେ ନମ୍ବରଟିକୁ ଭେରିଫାଇ କରିବାକୁ ହେବ।

ଷ୍ଟେପ୍ ୪- ଲୋକେସନ୍ ଡିଟେଲ୍ସ ଦିଅନ୍ତୁ
ଏଥିରେ ଆପଣଙ୍କ ଜିଲ୍ଲା, ସହର ବା ଗାଁ, କୋଠା ଏବଂ ଆଖପାଖର ଲ୍ୟାଣ୍ଡମାର୍କ ସମ୍ପର୍କରେ ସୂଚନା ଦେବାକୁ ପଡିବ। ଆପଣ ଚାହିଁଲେ ସଠିକ୍ ଠିକଣା ପାଇଁ ପିନ୍ କୋଡ୍ ମଧ୍ୟ ଯୋଡ଼ିପାରିବେ।

ଷ୍ଟେପ୍ ୫- ମ୍ୟାପ୍‌ରେ ଘରର ଲୋକେସନ୍ ମାର୍କ କରନ୍ତୁ
ଏହା ହେଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେପ୍। ଆପଣଙ୍କୁ ମ୍ୟାପ୍‌ ଉପରେ ନିଜ ଘରର ସଠିକ୍ ଲୋକେସନ୍ ଚିହ୍ନଟ (Mark) କରିବାକୁ ପଡିବ। ଏହାଦ୍ୱାରା ଅଧିକାରୀମାନେ ସହଜରେ ସଠିକ୍ ଠିକଣା ଚିହ୍ନିପାରିବେ।

ଷ୍ଟେପ୍ ୬- ପ୍ରଶ୍ନବଳୀ ପୂରଣ
ଏହାପରେ ଘର ଏବଂ ପରିବାର ସହ ଜଡିତ ସବିଶେଷ ତଥ୍ୟ ପୂରଣ କରିବାକୁ ହେବ। ଏଥିରେ ଘରର ଅବସ୍ଥା, କୋଠରୀ ସଂଖ୍ୟା ଓ ପରିବାର ସଦସ୍ୟଙ୍କ ସଂଖ୍ୟା ଭଳି ତଥ୍ୟ ରହିବ। ତା’ଛଡ଼ା ପାଣି, ବିଜୁଳି, ଶୌଚାଳୟ ଏବଂ ରୋଷେଇ ଘର ଭଳି ମୌଳିକ ସୁବିଧା ବିଷୟରେ ମଧ୍ୟ ସୂଚନା ଦେବାକୁ ପଡିବ।

ଷ୍ଟେପ୍ ୭- ଦେଇଥିବା ଡିଟେଲ୍ସ ରିଭ୍ୟୁ କରନ୍ତୁ
ଫର୍ମ ସମ୍ପୂର୍ଣ୍ଣ ପୂରଣ କରିବା ପରେ ସମସ୍ତ ସୂଚନାକୁ ଆଉଥରେ ଧ୍ୟାନର ସହ ଯାଞ୍ଚ କରନ୍ତୁ। ଯଦି କିଛି ଭୁଲ୍ ଥାଏ ତେବେ ତାହାକୁ ବଦଳାଯାଇପାରିବ କିମ୍ବା ଏହାକୁ ଡ୍ରାଫ୍ଟ ଆକାରରେ ସେଭ୍ କରି ମଧ୍ୟ ରଖାଯାଇପାରିବ।

ଷ୍ଟେପ୍ ୮- ଫାଇନାଲ୍ ସବମିସନ୍
ଯଦି ସମସ୍ତ ସୂଚନା ସଠିକ୍ ଥାଏ, ତେବେ ଫର୍ମଟିକୁ ଫାଇନାଲ୍ ସବମିଟ୍ କରନ୍ତୁ। ସବମିଟ୍ ହେବା ମାତ୍ରେ ଆପଣଙ୍କୁ ଏକ ୧୧-ଅଙ୍କ ବିଶିଷ୍ଟ SE ID ମିଳିବ, ଯାହାକୁ ଆଗାମୀ ଦିନ ପାଇଁ ସୁରକ୍ଷିତ ରଖିବା ନିହାତି ଜରୁରୀ।

ଷ୍ଟେପ୍ ୯- ଏନ୍ୟୁମେରେଟର୍ ଭିଜିଟ୍ (ଅଧିକାରୀଙ୍କ ଆଗମନ)
ଯେତେବେଳେ ଜନଗଣନା ଅଧିକାରୀ ଆପଣଙ୍କ ଘରକୁ ଆସିବେ, ସେତେବେଳେ ସେମାନଙ୍କୁ କେବଳ ଏହି SE ID ଦେଖାଇବାକୁ ପଡିବ। ଯଦି ସେମାନଙ୍କ ପାଖରେ ଥିବା ରେକର୍ଡ ସହ ଆପଣଙ୍କ ସୂଚନା ମେଳ ଖାଏ, ତେବେ ଆପଣଙ୍କ ଜନଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ବୋଲି ଧରାଯିବ। ଯଦି ମେଳ ନଖାଏ, ତେବେ ସେମାନେ ପୁଣିଥରେ ସୂଚନା ସଂଗ୍ରହ କରିବେ।

ଏହି ପ୍ରକ୍ରିୟାରେ ଲୋକଙ୍କୁ ମୋଟ ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏଥିରେ ଘରର ଷ୍ଟ୍ରକଚର, ମାଲିକାନା, ପରିବାର ସଦସ୍ୟ, ଇଣ୍ଟରନେଟ୍ ବ୍ୟବହାର ଏବଂ ଗାଡ଼ି ମୋଟର ଆଦି ସମ୍ପର୍କିତ ସୂଚନା ସାମିଲ ରହିଛି। ଅନ୍‌ଲାଇନ୍ ସେଲ୍ଫ ଏନ୍ୟୁମେରେସନ୍ ମେ’ ୧ରୁ ମେ’ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ଘରକୁ ଘର ବୁଲି ସର୍ଭେ (ଡୋର୍-ଟୁ-ଡୋର୍ କ୍ୟାମ୍ପେନ୍) ମେ’ ୧୬ରୁ ଜୁନ୍ ୧୪ ଯାଏଁ ଚାଲିବ।

ଏହି ଜନଗଣନା କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ମୋବାଇଲ୍ ନମ୍ବରରେ କେବଳ ଗୋଟିଏ ହିଁ ପରିବାର ରେଜିଷ୍ଟ୍ରେସନ୍ ହୋଇପାରିବ ଏବଂ ଅଧା ପୂରଣ ହୋଇଥିବା (ଅସମ୍ପୂର୍ଣ୍ଣ) ଫର୍ମକୁ ଗଣନାରେ ସାମିଲ କରାଯିବ ନାହିଁ।

Leave A Reply

Your email address will not be published.