Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଅପିଲ: ୭ ଦିନ ଭିତରେ ଦୁଷ୍କର୍ମକାରୀଙ୍କୁ ଦିଆଯାଉ ଫାଶୀ

ନୂଆଦିଲ୍ଲୀ: ଆଉ ବର୍ତ୍ତି ପାରିବେନି ଦୁଷ୍କର୍ମକାରୀ । ଡେଥ୍‌ୱାରେଂଟ ଜାରି ହେବାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଦିଆଯିବ ଫଶୀ । ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ମିଳିବାରେ ହେଉଥିବା ବିଳମ୍ବ ମଧ୍ୟରେ କେନ୍ଦ୍ର ସରକାର ମୃତ୍ୟୁଦଣ୍ଡ ପାଇଥିବା ଦୋଷୀଙ୍କୁ ସର୍ବାଧିକ ୭ ଦିନର ଡେଡ୍‌ଲାଇନ୍ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ଆଇନର ବିଭିନ୍ନ ଦିଗ ଓ ରାଜକ୍ଷମା ଆବେଦନ ମାଧ୍ୟମରେ ଅଭିଯୁକ୍ତମାନେ ବାରମ୍ବାର ସମୟ ଗଡାଉଛନ୍ତି । ପ୍ରଥମେ କ୍ୟୁରେଟିଭ ପିଟିସନ ଓ ପରେ ରାଜକ୍ଷମା ଆବେଦନର ଆଳ ଦେଖାଇ ଦୋଷୀଙ୍କ ଫାଶୀ ଦଣ୍ଡ ଗଡି ଗଡି ଯାଉଛି । ଅଭିଯୁକ୍ତଙ୍କୁ ଅଧିକ ଦିନର ସମୟ ମିଳିଯାଉଛି । ତେଣୁ ଏସବୁରେ ରୋକ୍ ଲଗାଇବାକୁ ଉଦ୍ୟମ କରିଛନ୍ତି ସରକାର ।

ନିର୍ଭୟା ଗଣଦୁଷ୍କର୍ମକାରୀ ପବନ, ଅକ୍ଷୟ, ମୁକେଶ ଓ ବିନୟକୁ ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ହେବାର ଥିଲା । ଏନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିସାରିଥିଲେ । ତେବେ ମୁକେଶ ଡେଥ ୱାରେଂଟ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ରାଜକ୍ଷମାର ଆବେଦନ ମଧ୍ୟ କରିଥିଲା ।

ଏହାରି ଭିତରେ ସମସ୍ତ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଘୁଂଚି ଯାଇଥିଲା ଏବଂ ରାଜକ୍ଷମା ନିଷ୍ପତି ନ ଆସିବା ଯାଏ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଳୀ କୋର୍ଟ ରାୟ ଦେଇଥିଲେ । କାରଣ ଆଇନ ଅନୁଯାୟୀ ଦୋଷୀଙ୍କୁ ରାଜକ୍ଷମା ନିଷ୍ପତି ଆସିବା ପରେ ଆହୁରି ୧୪ ଦିନ ଯାଏ ସମୟ ମିଳିବ ।

ଏବେ ଫେବୃଆରୀ ୧ ସକାଳ ୬ଟାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିସାରିଛନ୍ତି । ତେବେ ଅନ୍ୟ ୩ ଅଭିଯୁକ୍ତ ଆଇନ ଓ ରାଜକ୍ଷମା ଆବେଦନ କରି ଡେଥ୍ ୱାରେଂଟ ଘୁଂଚାଇବା ନେଇ ଆଶଙ୍କା ଦେଖାଦେଇଥିଲା । ଏସବୁ ଭିତରେ ଆଜି କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.