Latest Odisha News

ସରିଲା ସେସୁ ସମୟସୀମା: ଆରମ୍ଭ ହେଲା ବିଦ୍ୟୁତ କାଟ୍

ଭୁବନେଶ୍ୱର:ବିଦ୍ୟୁତ ବିଲ୍ ପୈଠ କରିବା ଲାଗି ବୁଧବାର ଥିଲା ଉପଭୋକ୍ତାଙ୍କ ଲାଗି ଶେଷଦିନ । ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଗୁରୁବାର ଠାରୁ ଫେଜ୍ ଅନୁଯାୟୀ ଦେୟ ପୈଠ କରିନଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବା ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଅଂଚଳରୁ ଲାଇନ କାଟିବା ଆରମ୍ଭ କରିଛି ସେସୁ ।

ଗୁରୁବାର ଖୋର୍ଦ୍ଧାରେ ବିଦ୍ୟୁତ ବକେୟା ପୈଠ ନ କରିଥିବା ୫୩ଟି କମର୍ସିଆଲ ସଂସ୍ଥାରୁ ବିଦ୍ୟୁତ ସେବା ବିଚ୍ଛିନ୍ନ କରିଛି । ବିଦ୍ୟୁତ ବିଲ ବକେୟା ଥିବା ସଂସ୍ଥାର ବିଜୁଳି କଟାଯାଇଛି । ସେସୁ ପକ୍ଷରୁ ନିୟୋଜିତ ଥିବା ୩୯ଟି ସ୍କ୍ୱାର୍ଡ଼ ଦ୍ୱାରା ଆଜି ଖୋର୍ଦ୍ଧାରୁ ଚାଲିଛି ଲାଇନ କାଟ । ଆଜି ଠାରୁ ଏକାଦିକ୍ରମେ ନୁହେଁ ବରଂ ୩ଟି ପର୍ଯ୍ୟାୟରେ ଲାଇନ କାଟିବାକୁ ନିଷ୍ପତ୍ତି ନିଆଯାଇଛି। ସେସୁର ୯ଟି ଜିଲ୍ଲାରେ ୪୧୩ଟି ସ୍କ୍ଵାର୍ଡ କାମ କରିବେ।

ସେସୁର ସିନିୟର୍ ମ୍ୟାନେଜର୍ ମନୋଜ ସିଂହ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, କମର୍ସିଆଲ୍ ଓ ଘରୋଇ ଉପଭୋକ୍ତାମାନେ ଯେଉଁମାନେ ବୁଧବାର ସୁଦ୍ଧା ବକେୟା ବିଦ୍ୟୁତ ବିଲ୍ ପଇଠ କରିନଥିବେ ଫେଜ୍ ଅନୁଯାୟୀ ସେମାନଙ୍କର ବିଦ୍ୟୁତ ସେବା କାଟ ହେବ ।

ସେହିପରି ଭାବେ ୨ୟ ଫେଜରେ ଯେଉଁ ବିଦ୍ୟୁତ ଉପଭୋକ୍ତାମାନଙ୍କର ଅଧିକ ପରିମାଣରେ ବକେୟା ବିଦ୍ୟୁତ ବିଲ୍ ପୈଠ ହୋଇନାହିଁ ସେମାନଙ୍କର ବିଦ୍ୟୁତ ସେବା କାଟ କରାଯିବ । ଯେଉଁ ଉପଭୋକ୍ତାମାନଙ୍କର ଚାରିଚକିଆ ଯାନ, ଦୁଇ ମହଲା କୋଠା ଏବଂ ଏସି ପ୍ରଭୃତି ରହିଥିବ ସେହି ଉପଭୋକ୍ତାମାନେ ଏହି ଫେଜରେ ରହିଛନ୍ତି ।

୩ୟ ପର୍ଯ୍ୟାୟରେ ଅନ୍ୟ ସମସ୍ତଙ୍କର ବକେୟା ଉପଭୋକ୍ତାଙ୍କ ଲାଇନ୍ କଟିବ। ବର୍ଷବର୍ଷ ଧରି ବାକି ରଖିଥିବା ଉପଭୋକ୍ତାଙ୍କୁ ୩ୟ ପର୍ଯ୍ୟାୟରେ ଟାର୍ଗେଟ୍ କରାଯିବ ବୋଲି ସୂଚନା ମିଳିଛି।

ସେସୁ ଅନ୍ତର୍ଗତ ଉପକୂଳବର୍ତ୍ତୀ ୯ଟି ଜିଲ୍ଲା ଗୁଡ଼ିକରେ ସମୁଦାୟ ୪୧୩ଟି ସ୍କ୍ୱାର୍ଡ଼ ଗଠନ କରାଯାଇଛି ।

ସୂଚନାଯୋଗ୍ୟ, ବିଦ୍ୟୁତ ବକେୟା ପୈଠ କରିବାର ପାଇଁ ଗତକାଲି ଯାଏଁ ସମୟ ଦେଇଥିଲା ସେସୁ । ବିଲ୍ ଦେଉ ନଥିବା ଗାଁରେ ବିଦ୍ୟୁତ୍ କାଟ ହେବା ନେଇ ପୂର୍ବରୁ ସେସୁ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

ନଭେମ୍ବର ୨୦୧୯ ସୁଦ୍ଧା ୭ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ୧,୯୭୧ କୋଟି ଟଙ୍କା ବିଦ୍ୟୁତ ବିଲ୍ ବକେୟା ରହିଛି । ଜାନୁଆରୀ ୧୬ ତାରିଖରୁ ସମସ୍ତ ବିଦ୍ୟୁତ୍ ବିଲ୍ ପୈଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସେବା କାଟ କରାଯିବ ବୋଲି ଡ଼ିସେମ୍ବର ୨୦୧୯ରେ ସେସୁ ପକ୍ଷରୁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.