Latest Odisha News

BREAKING NEWS

ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବ ବିଜେପି ସରକାର । ଜନମତ ପାଇ ରାଜ୍ୟରେ ଐତିହାସିକ ବିଜୟ ଲାଭ କରିଛି ବିଜେପି। ବୁଧବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ବିଜେଡି ବିରୋଧରେ ପ୍ରବଳ ଜନଅସନ୍ତୋଷ ପାଇଁ ବଡ ବିଜୟ ଲାଭ କରିଛି ବିଜେପି। ତେଣୁ ନୂଆ ସରକାରଠାରୁ ରାଜ୍ୟବାସୀଙ୍କର ଅନେକ ଆଶା ରହିଛି। ଦୁର୍ନୀତି ଅଭିଯୋଗ ହେଉ କି ବେକାରୀ ସମସ୍ୟା, ବିଜେପି ସରକାର ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ ।

ବ୍ୟବସ୍ଥାରେ ସ୍ବଚ୍ଛତା ଚ୍ୟାଲେଞ୍ଜ

ଗତ ୨୪ବର୍ଷ ହେଲା ରାଜ୍ୟରେ ବିଜେଡି ସରକାର ରହିଥିଲା। ଶାସନ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବ୍ୟବସ୍ଥାପିକାକୁ ନିଜ ହିସାବରେ ରଖିଥିଲେ ନବୀନ ସରକାର। ଅନେକ ସମୟରେ ବିଜେଡି ସରକାରରେ ନିର୍ବାଚିତ ଜନପ୍ରତିନିଧିଙ୍କଠାରୁ ସଚିବ ପାଓ୍ବାରଫୁଲ୍ ରହିଥିବା ବି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ସମାଲୋଚନାର ସାମନା ବି କରିଥିଲେ ନବୀନ ସରକାର । ତେବେ ସଂପୂର୍ଣ୍ଣ ବ୍ୟୁରୋକ୍ରାସିକୁ ସ୍ବଚ୍ଛ କରିବା ସହ ନିଜ ନିୟନ୍ତ୍ରଣରେ ରଖିବା ବିଜେପି ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ। ଆଉ ଏହାର ପ୍ରଥମ ସୋପାନ ହେବ ମୁଖ୍ୟ ଶାସନ ସଚିବ ଚୟନ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଉପରେ ବି ନଜର ରହିବ । ନବୀନ ସରକାରରେ ବ୍ୟବସ୍ଥାପିକାର ପ୍ରତିଟି ପାହାଚରେ ବିଜେଡିର ବିଶ୍ବସ୍ତ ଅଧିକାରୀ ରହିଥିଲେ। ବିଜେପିକୁ ବି ବ୍ୟବସ୍ଥାପିକାରେ ନିଜ ପକଡ ମଜଭୂତ କରିବାକୁ ପଡିବ। ନହେଲେ ସରକାର ଚଳାଇବାରେ ସମସ୍ୟା ଭୋଗିବେ । ସେହିପରି ବିଭିନ୍ନ ନ୍ୟାୟିକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷ ରଖିବାକୁ ଦକ୍ଷ ଆଡଭୋକେଟ୍ ଜେନେରାଲ ନିଯୁକ୍ତି ଉପରେ ବି ଫୋକସ୍ କରିବାକୁ ହେବ । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରିବାକୁ ଦକ୍ଷ ପୋଲିସ ଡିଜି ନିଯୁକ୍ତ କରିବାକୁ ପଡିବ ।

ଦୁର୍ନୀତି ବିରୋଧରେ ବଡ଼ ଆକ୍ସନ୍

ଖଣି ଦୁର୍ନୀତି ହେଉ କି ଚିଟଫଣ୍ଡ ଠକେଇ, ନିର୍ବାଚନରେ ପ୍ରଚାର ବେଳେ ବିଜେଡିକୁ ମାଫିଆ ସରକାର କହିଥିଲେ ବିଜେପି ନେତା। ଦୁର୍ନୀତି ବିରୋଧୀ ସ୍ବର ଉପରେ ଭରସା କରି ଲୋକେ ବିଜେପିକୁ ଭୋଟ୍ ଦେଲେ, ଏବେ ସରକାର କ୍ଷମତାକୁ ଆସିବା ପରେ ହିସାବ ବି ମାଗିବେ। ଉପରୁ ତଳ ଯାଏଁ ବ୍ୟବସ୍ଥା ଭିତରେ ଦୁର୍ନୀତି ଜଡ଼ିତ ରହିଥିବା ବେଳେ ଏହା ବିରୋଧରେ ବିଜେପି ସରକାର କେମିତି ଆକ୍ସନ ନେଉଛି? ଅଣଓଡିଆପ୍ରୀତି ପାଇଁ ନବୀନ ସରକାର ସମାଲୋଚିତ ହୋଇଥିବା ବେଳେ ସେନେଇ କି ପଦକ୍ଷେପ ନେବେ ନୂଆ ସରକାର? ତାଉପରେ ସାରା ରାଜ୍ୟର ନଜର ରହିବ । ଇଡି, ସିବିଆଇ ପରି ତଦନ୍ତକାରୀ ସଂସ୍ଥା ଦ୍ବାରା ବିଭିନ୍ନ ଦୁର୍ନୀତିର ତଦନ୍ତ କରି ଜନତାଙ୍କ ବିଶ୍ବାସ ଜିତିପାରିବ ବିଜେପି ସରକାର ।

ନବୀନ ସରକାର ସହ ତୁଳନା

ବିଜେପି ସରକାର ପାଇଁ ଜନତାଙ୍କ ବିଶ୍ବାସକୁ ଧରିରଖିବା ସହଜ ହେବନି । ଗତ ୨୪ବର୍ଷ ହେଲା ନବୀନ ସରକାରକୁ ଦେଖିଛନ୍ତି ରାଜ୍ୟବାସୀ । ତେଣୁ ବିଜେପି ସରକାର ସହ ପ୍ରତିଟି ପାଦରେ ତୁଳନା କରିବେ । ବିଭିନ୍ନ ଜନକଲ୍ୟାଣକରୀ ଯୋଜନା କରିଥିଲା ବିଜେଡି ସରକାର । ଏଥିରୁ ଲାଭ ବି ପାଉଥିଲେ ଲୋକେ। ବିଏସକେଓ୍ବାଇ, ମିଶନ ଶକ୍ତି ଭଳି ଯୋଜନାକୁ କିପରି ବିଜେପି ସରକାର ଆଗକୁ ନେବେ? କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କିପରି ଲାଗୁ କରିବେ? ତାର ବି ତର୍ଜମା ହେବ । ପ୍ରତିଦିନ ନୂଆ ସରକାରକୁ ଦେବାକୁ ପଡିବ ଅଗ୍ନିପରୀକ୍ଷା। ଗଣମାଧ୍ୟମ ହେଉ କି ସୋସିଆଲ୍ ମିଡିଆ ବିଜେପିକୁ ବିଜେଡି ଭଳି ନିଜସ୍ବ ନେଟଓ୍ବର୍କ ତିଆରି କରିବାକୁ ପଡିବ ।

ଟାଣୁଆ ବିରୋଧୀ ଚ୍ୟାଲେଞ୍ଜ

ବିଜେଡି ସରକାରରେ ରହିଥିବା ବେଳେ ସଂଖ୍ୟା କମ୍ ଥିବାରୁ ବିଧାନସଭାରେ ବିରୋଧୀଙ୍କ ସ୍ବର ସେତେଟା ଶୁଭୁନଥିଲା। ହେଲେ ଏଥର ବିଜେପି ସରକାର ଆଗରେ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହେବେ ବିଜେଡିର ୫୧ ବିଧାୟକ । କଂଗ୍ରେସ ବି ବିଜେଡି ସହ ବିଭିନ୍ନ ପ୍ରସଙ୍ଗରେ ସ୍ବର ମିଳାଇପାରେ । ସଂଖ୍ୟା ଦୃଷ୍ଟିରୁ ବିଜେପି ବିଧାୟକଙ୍କ ସଂଖ୍ୟା ୭୮ରହିଥିବା ବେଳେ ବିରୋଧୀ ସରକାରଙ୍କୁ ଅପଦସ୍ତ କରିବାକୁ ବାଟ ଖୋଜିବେ । କେବଳ ବିଧାନସଭା ଭିତରେ ନୁହେଁ, ବାହାରେ ବି ସରକାରର ଦୋଷ ଦୁର୍ବଳତାକୁ ଅସ୍ତ୍ର କରି ତୁମ୍ବିତୋଫାନ କରିବେ। ତୃଣମୂଳସ୍ତରରେ ବିଜେଡିର ସଂଗଠନ ଭଲ ଥିବାରୁ ଦଳକୁ ଗ୍ରାଉଣ୍ଡରେ ଭଲ ବ୍ୟାକଅପ୍ ବି ମିଳିବ । ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିଲେ ବି ଭିକେ ପାଣ୍ଡିଆନ ନବୀନ ନିବାସରେ କମିଟି ରଖି ପରଦା ପଛରୁ ଗୋଟି ଚଳାଇପାରନ୍ତି। ବିଜେପି ବିରୋଧରେ ସାଧାରଣରେ ନାରେଟିଭ୍ ତିଆରି ହୋଇପାରେ। କେନ୍ଦ୍ରରେ ବି ବିଜେପି ସରକାର ରହିଥିବାରୁ ରାଜ୍ୟ ସରକାରଙ୍କୁ ବାରମ୍ବାର କାଠଗଡାକୁ ଟାଣିବେ ବିରୋଧୀ । ଏଭଳି ସ୍ଥିତିରେ ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେପିକୁ ପ୍ରସ୍ତୁତି କରିବାକୁ ପଡିବ।

ବିଜେପିକୁ ହେବାକୁ ପଡିବ ଏକସ୍ବର

ବିଜେଡିରେ ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ସର୍ବେସର୍ବା ରହିଥିବା ବେଳେ ବିଜେପି ଭିତରେ ବିଭିନ୍ନ ଗ୍ରୁପକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି। ଦଳ ଭିତରେ ବିଭିନ୍ନ ପାଓ୍ବାର ଗ୍ରୁପ୍ ରହିଲେ ବିରୋଧୀଙ୍କୁ ସାମନା କରିବା ସହଜ ହେବନି । ତେଣୁ କ୍ଷମତାକୁ ଆସିଲେ ବି ରାଜ୍ୟ ବିଜେପିକୁ ଏକସ୍ବର ହେବାକୁ ପଡିବ । ଦଳ ଭିତରେ ଫାଟ ରହିଲେ ଏହାର ଫାଇଦା ନେଇପାରେ ବିଜେଡି । ସେହିପରି ରାଜ୍ୟର ଶାସନ ବ୍ୟବସ୍ଥା ଯେପରି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ରାଜ୍ୟ ବାହାରୁ ରିମୋଟ୍ କଣ୍ଟ୍ରୋଲ ଦ୍ବାରା ଚାଲିନି, ସେକଥା ବି ଦେଖାଇବାକୁ ପଡିବ। ନିର୍ବାଚନ ବେଳେ ଯେଉଁ ଓଡିଆ ଅସ୍ମିତା କାର୍ଡକୁ ଅସ୍ତ୍ର କରିଥିଲା ବିଜେପି, କ୍ଷମତା ପାଇବା ପରେ ବି ଏହାକୁ ନିଜେ ପାଳନ କରିବାକୁ ହେବ । ଗଣମାଧ୍ୟମ କଣ୍ଠରୋଧ ନେଇ ପୂର୍ବ ସରକାର ଅନେକ ଥର ସମାଲୋଚିତ ହୋଇଥିଲେ । ତେଣୁ ଗଣମାଧ୍ୟମକୁ ସ୍ବାଧୀନତା ଦେବା ସହ ସମାଲୋଚନାକୁ ସକାରାତ୍ମକ ଭାବେ ଗ୍ରହଣ କରିବାକୁ ପଡିବ । ଶପଥ ଗ୍ରହଣ ପରଠୁ ଖଣ୍ଡାଧାରରେ ଚାଲିବେ ନୂଆ ସରକାର, ସବୁ ଚ୍ୟାଲେଞ୍ଜକୁ ଟପି କେମିତି ଚମକିବେ, ସେଥିପାଇଁ ଆଗରୁ ସ୍ବତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିବା ଆବଶ୍ୟକ ।

Leave A Reply

Your email address will not be published.