Latest Odisha News

BREAKING NEWS

ଦାମୀ ବିଧାନସଭା ସିଟ୍ ରେ କାହାର କେତେ ଦମ୍, ଚମ୍ପୁଆ ଚ୍ୟାଲେଞ୍ଜକୁ ନେଇ ତାତିଲାଣି କେନ୍ଦୁଝର ରାଜନୀତି

ଭୁବନେଶ୍ଵର: ୨୦୧୯ ନିର୍ବାଚନରେ ସନାତନଙ୍କୁ ଆୟୁଧ କରି ଚମ୍ପୁଆ ସାଙ୍ଗକୁ କେନ୍ଦୁଝର ଲୋକସଭା ବାଜି ଜିତିଥିଲା ବିଜେଡି । ସନାତନଙ୍କ ଅନୁମୋଦିତ ମୀନାକ୍ଷୀ ମହନ୍ତ ଓ ରାଜନୀତିରେ ନବାଗତ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ଦଳ । ପ୍ରଥମ ଥର ପାଇଁ ଚମ୍ପୁଆରେ ଶଙ୍ଖନାଦ ହୋଇଥିଲା । ଆଉ ଏ ବିଜୟର ପ୍ରଚ୍ଛଦପଟ୍ଟ ନାୟକ ଥିଲେ ସନାତନ ମହାକୁଡ । ୧୯ ବୈତରଣୀ ପାର ହେଲା ବିଜେଡି । ରିଟର୍ଣ୍ଣ ଗିଫ୍ଟକୁ ଅନାଇଥଲେ ସନାତନଙ୍କ ସମର୍ଥକ । ଆଶାଥିଲା, ବିଜେଡି ଉପହାର ସ୍ୱରୂପ ତାଙ୍କୁ ଦଳରେ ସାମିଲ କରି ରାଜ୍ୟସଭା ପଠାଇବ କିମ୍ବା କୌଣସି ଦଳୀୟ ଉଚ୍ଚ ପଦପଦବୀରେ ଥଇଥାନ କରିବ ।

ହେଲେ ଘଟିଲା କିଛି ଅଲଗା ଘଟଣା । ଓଲଟା ସନାତନଙ୍କ ସମର୍ଥନରେ ବିଧାୟିକା ହୋଇଥିବା ମୀନାକ୍ଷୀ ମହନ୍ତ କ୍ଷମତା ପାଇ ୟୁ-ଟର୍ଣ୍ଣ ମାରିଲେ । ବିଧାୟିକାଙ୍କ ସ୍ୱାମୀ ତଥା ଦିନେ ସନାତନଙ୍କ ଏକାନ୍ତ ଅନୁଗତ ଥିବା ଭକ୍ତବନ୍ଧୁ ତାଙ୍କ ବିରୋଧରେ ସ୍ୱର ଉଠାଇଲେ । କୁହାଯାଉଛି, ଚମ୍ପୁଆରୁ ଏଥର ନିଜେ ଠିଆ ହେବେ ସନାତନ । କେନ୍ଦୁଝରର ୫ବିଧାନସଭା, ଲୋକସଭା ଆସନ ସହ ମୟୂରଭଞ୍ଜ କରଞ୍ଜିଆରେ ନିଜ ଅନୁଗତଙ୍କୁ ପ୍ରାର୍ଥୀ କରିବାକୁ ସମରସଜ୍ଜା ବି କଲେଣିା ଏମିତି ହେଲେ ବିଜେଡି କ୍ଷତି ସହିବ ।

ପ୍ରଶ୍ନ ଉଠୁଛି, ଚମ୍ପୁଆରେ କେତେ ପ୍ରଭାବୀ ସନାତନ ଫ୍ୟାକ୍ଟର ?

କେନ୍ଦୁଝରରେ ସନାତନଙ୍କ ସଂଗଠନ ସାଙ୍ଗକୁ ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ବିଭିନ୍ନ ସମୟରେ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିଥିବାରୁ ସନାତନଙ୍କ ପ୍ରତି ସମର୍ଥନ ବି ରହିଛି । ଏଭଳି ସ୍ଥିତିରେ ସନାତନ ନିଜେ ପ୍ରାର୍ଥୀ ହେଲେ କିମ୍ବା ଅନୁଗତଙ୍କ ଠିଆ କରାଇଲେ ବିଜେଡି ରାସ୍ତାରେ ବଡ ବାଧା ହେବ । ୨୦୧୯ରେ ତେଲକୋଇ, ପାଟଣା ଓ ଚମ୍ପୁଆ ସିଟରୁ ସ୍ୱଳ୍ପ ଭୋଟରେ ହାରିଥିବା ବିଜେପି ପାଇଁ ସନାତଙ୍କ ଭୋଟ୍ ଭାଗ ଆଶୀର୍ବାଦ ହୋଇପାରେ ।

୨୦୦୯ରୁ ସନାତନ ଓ କୁଶ ଆପଟଙ୍କ ମଧ୍ୟରେ ଚାଲିଛି ଚମ୍ପୁଆ ଲଢେଇ । ୨୦୦୯ରେ ଜିତୁ ପଟ୍ଟନାୟକ ମାତ୍ର ୧୪୫ଖଣ୍ଡ ଭୋଟରେ ସନାତନ ମହାକୁଡଙ୍କଠାରୁ ଜିତିଥିଲେ । ୨୦୧୪ରେ ସ୍ୱାଧୀନ ଭାବେ ଲଢି ବିଜୟ ବାନା ଉଡାଇଥିଲେ ସନାତନ ମହାକୁଡ । ଦ୍ୱିତୀୟରେ କୁଶ ଆପଟ ଥିବା ବେଳେ ବିଜେଡି ପ୍ରାର୍ଥୀ ଅଭିନେତାରୁ ରାଜନେତା ପାଲଟିଥିବା ପପୁ ପମପମ୍ ଶୋଚନୀୟ ଭାବେ ହାରିଥିଲେ । ୨୦୧୯ରେ ସନାତନ ଟିକେଟ୍ ଦାବିଦାର ଥିଲେ । ନିଜ ରାଜନୈତିକ ଦଳ ଜନସମୃଦ୍ଧି ପାର୍ଟି ବି ଗଠନ କରିଥିଲେ । ହେଲେ ଶାସକ ଦଳ ଚାପରେ ପାର୍ଟି ଭାଙ୍ଗି ଦେଇଥିଲେ । ସନାତନଙ୍କ ସମସ୍ତ ବ୍ୟାଙ୍କ ଆକାଉଂଟକୁ ଜବତ କରି ପ୍ରଶାସନ ଚାପରେ ରଖିଥିଲା । ପରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଠିଆ କରାଇଥିଲେ ବି ନିରାଶ ହୋଇଥିଲେ ସନାତନ । ତେଣୁ ଏଥର ନିଜେ ମଇଦାନକୁ ଓହ୍ଲାଇବାକୁ ସଂକେତ ଦେଇଛନ୍ତିା

ଖଣିଜ ସଂପଦରେ ଭରପୂର ଚମ୍ପୁଆ ବିଧାନସଭା ଆସନରେ ଖଣି ଅର୍ଥର ରହିଛି ପ୍ରମୁଖ ଭୂମିକା । ହାଇଭୋଲଟେଜ୍ ପ୍ରଚାର, ବଲିଉଡ ଷ୍ଟାରଙ୍କ କ୍ୟାମ୍ପେନିଂ ପାଇଁ ଚର୍ଚ୍ଚାରେ ଥିବା ଚମ୍ପୁଆରେ ଗତ ୫ଟି ନିର୍ବାଚନ ମଧ୍ୟରୁ ୩ଟି ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ଏଥର ବି ଟିକେଟ୍ ଲବି ଜୋରଦାର ହେଲାଣି । ବିଜେଡିରୁ କୁଶ ଆପଟ, ମୀନାକ୍ଷୀ ମହନ୍ତ, ଲକ୍ଷ୍ମଣ ମହନ୍ତ ପ୍ରମୁଖ ଦାବିଦାର ଥିବା ବେଳେ ବିଜେପିରୁ ମୁରଲୀ ଶର୍ମା, ସୁକେଶି ଓରାମଙ୍କ ନାଁ ଶୁଣାଯାଉଛି । ଦିନେ କଂଗ୍ରେସର ଗଡ ଥିବା ଚମ୍ପୁଆରେ ଅସ୍ଥିତ୍ୱର ଲଢେଇ ଲଢିବ ଦଳ । ତେବେ ସନାତନ ମହାକୁଡଙ୍କ ଏଂଟ୍ରି ବିଜେଡିର ଖେଳ ବିଗାଡିଦେବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.