Latest Odisha News

BREAKING NEWS

ଅଭିଶପ୍ତ ଚନ୍ଦାବିଲା, ସାତ ସପନ ସ୍ୱାସ୍ଥ୍ୟ ସେବା

ବାରିପଦା: ରାଜ୍ୟବାସିନ୍ଦାଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ସ୍ୱାସ୍ଥ୍ୟ ଯୋଜନା । ହେଲେ ମୟୁରଭଂଜ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଗାଁର ଲୋକେ କିନ୍ତୁ ପ୍ରାଥମିକ ଚିକିତ୍ସାରୁ ବଂଚିତ ରହିଛନ୍ତି । କଥାଟା ଶୁଣିବାକୁ ଯେତିକି ଅବିଶ୍ୱସନୀୟ, ସେତିକି ଚିନ୍ତାଜନକ ମଧ୍ୟ ।

ବାରିପଦା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଂଚୟାତର ଚନ୍ଦାବିଲା ଗାଁ ବାସିନ୍ଦାଙ୍କୁ ମିଳିପାରୁନି ପ୍ରାଥମିକ ସ୍ୱାସ୍ଥ୍ୟ ସେବା । କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରଟି ଦୀର୍ଘ ୨ ବର୍ଷ ଧରି ବନ୍ଦ ପଡିଛି । ଗାଁରେ ହଜାରେରୁ ଅଧିକ ଲୋକ ବସବାସ କରନ୍ତି । ହେଲେ ଅଭିଯୋଗ ହୋଇଛି ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୋଇଥିବା ଏଏନ୍‌ଏମ୍ ନର୍ସ ନିଜ କର୍ତ୍ତବ୍ୟରୁ ମୁହଁ ଫେରାଇ ନେଇଛନ୍ତି । ଖାସ ଏହି କାରଣରୁ ଏଠିକାର ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହୋଇଛନ୍ତି ।

କରୋନା କଟକଣା ପାଇଁ ଏଠିକାର ଲୋକେ ଦୂରଦୂରାନ୍ତକୁ ଯାଇ ଚିକିତ୍ସା କରିବାରେ ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ ଏଠାରେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସରକାରୀ କ୍ୱାର୍ଟର ଦିଆଯାଇଥିଲେ ହେଁ ସେମାନେ ବାହାରେ ରହିବାକୁ ପସନ୍ଦ କରୁଛନ୍ତି । କେବଳ ଚାକିରୀ ଲୋଭରେ ମାସକୁ ଦୁଇରୁ ତିନିଥର ଗାଁକୁ ବୁଲିବାକୁ ଆସିଥାନ୍ତି ।

ତେବେ ଏଠି କେବଳ କରୋନା ମହାମାରୀର ସ୍ଥିତି କଥା ପଡିନି । ଆଗାମୀ ଦିନରେ ସ୍ଥିତି ସାମାନ୍ୟ ହେବା ପରେ ବି ଏଠି ପ୍ରାଥମିକ ସ୍ୱାସ୍ଥ୍ୟସେବାର ନିଶ୍ଚିତ ଭାବେ ଆବଶ୍ୟକତା ରହିଛି । ଏବେ ଦେଖିବାକୁ ବାକି ରହିଲା ସରକାର ତଥା ଜିଲ୍ଲା ପ୍ରଶାସନ ଏପରି ଗୁରୁତର ସମସ୍ୟା ଉପରେ କେବେ ଆଲୋକପାତ କରୁଛନ୍ତି ।

Leave A Reply

Your email address will not be published.