Latest Odisha News

BREAKING NEWS

ଓଡ଼ିଶାପଜିଟିଭ ପକ୍ଷରୁ ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ

ଚଣ୍ଡୀଗଡ଼ : ପ୍ରବାସୀ ଓଡ଼ିଆଙ୍କ ବିଶ୍ୱସ୍ତରୀୟ ସଂଗଠନ ଓଡ଼ିଶାପଜିଟିଭ୍ ପକ୍ଷରୁ ଏହାର ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ କରାଯାଇଛି । ଏହି ଚାପ୍ଟର କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ସମେତ ପଞ୍ଜାବ, ହରିୟାନା ଓ ହିମାଚଳ ପ୍ରଦେଶ ପାଇଁ କାମ କରିବ । ଚଣ୍ଡୀଗଡ଼ ସେକ୍ଟର-୩୧ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ଚାପ୍ଟରର ବିଧିବଦ୍ଧ ଶୁଭାରମ୍ଭ କରାଯାଇଛି ।

ଏହି ଅବସରରେ ଓଡ଼ିଶା ପଜିଟିଭ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ସଂଜୀବ ମହାନ୍ତି ଓ ଅମିତ ଆଚାର‌୍ୟ୍ୟ ନୂଆଦିଲ୍ଲୀରୁ ଆସି ସାମିଲ ହୋଇଛନ୍ତି । ଏହାସହ ପଞ୍ଜାବ ଚିତକାରା ବିଶ୍ୱବିଦ୍ୟାଳୟର ଚାରୁ ଓ କାରୁକଳା ବିଭାଗ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ରଂଜନ କୁମାର ମଲ୍ଲିକଙ୍କୁ ପ୍ରଦାନ କରାଯାଇଛି ଏହି ନବଗଠିତ ଚାପ୍ଟରର ଆବାହକ ଦାୟିତ୍ୱ। ଏହି ଅବସରରେ ପ୍ରଫେସର ମଲ୍ଲିକ ସଂଗଠନ ପ୍ରତିଷ୍ଠାତାଙ୍କୁ ଉପଢୌକନ ପ୍ରଦାନ କରିବା ସହ ନୂଆ ଚାପ୍ଟରର ଘୋଷଣାପତ୍ରକୁ ଅନାବରଣ କରିଛନ୍ତି ।

ଚଣ୍ଡୀଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ନିରାଡମ୍ବର ଉତ୍ସବରେ ମୁଖ୍ୟତଃ ଓଡ଼ିଆ ଭାଷା, ସଂସ୍କୃତି ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କଣ ସବୁ ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ନିଜର ମତାମତ ଉପସ୍ଥାପନ କରି ଚଣ୍ଡୀଗଡ଼ ୟୁନିଭରସିଟିର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକ କହିଛନ୍ତି ଯେ, ଆମ ପୂର୍ବପୁରୁଷମାନଙ୍କ ଅକ୍ଳାନ୍ତ ପରିଶ୍ରମ ସାଙ୍ଗକୁ ସମୟ, ଶ୍ରମ, ଅର୍ଥ ଓ ପୁରୁଷାର୍ଥର ଅବଦାନରେ ଆମକୁ ଯେଉଁ ସମୃଦ୍ଧ ଶାସ୍ତ୍ରୀୟ ଭାଷା ମିଳିଛି, ତାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ଆଗାମୀ ପ୍ରଜନ୍ମ ପାଇଁ ଭାଷାକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଲାଗି ବ୍ରତ ହେବା ଆବଶ୍ୟକ । ଅନ୍ୟପକ୍ଷରେ ସଂକୀର୍ଣ୍ଣ ଭାବଧାରାରୁ ଉର୍ଦ୍ଧ୍ୱକୁ ଯାଇ ଆମକୁ ବିଶ୍ୱସ୍ତରରେ ନିଜ ପରିଚୟ ସୃଷ୍ଟି କରିବା ସହ ଆମ ଭାଷା ସଂସ୍କୃତିକୁ ବିଶ୍ୱମୁଖୀ କରାଇବା ଦିଗରେ କାମ କରିବାକୁ ହେବ ବୋଲି ବରିଷ୍ଠ ଅଧିବକ୍ତା ସଂଜୀବ ମହାନ୍ତି ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ଭାରତ ସରକାରଙ୍କ ଜନସଂଖ୍ୟା ଗବେଷଣା କେନ୍ଦ୍ରର ବରିଷ୍ଠ ପ୍ରଫେସର ଡକ୍ଟର ଅଶ୍ୱିନୀ କୁମାର ନନ୍ଦ, ପୂର୍ବତନ ବାୟୁସେନା ଅଧିକାରୀ ସନ୍ତୋଷ କୁମାର ମହାରଣା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅରୁଣ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.