Latest Odisha News

BREAKING NEWS

ଗୀତାଙ୍କ ବଜ୍ର ଶପଥ: ଆଉ ହେବନି ବାଲ୍ୟ ବିବାହ

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ)

ସୋନପୁରର ସୁନବୋହୂ ଗୀତାଞ୍ଜଳି । ଯେବେ ବୟସ ପୂର୍ବରୁ କିଏ ସିନ୍ଦୁର ପିନ୍ଧେ । ଯେବେ ସମୟ ପୂର୍ବରୁ କାହାର ସାହାନାଈ ବାଜେ । ଯେବେ କଅଁଳ ହାତରେ ହାତଘଣ୍ଟି ପଡ଼େ । ଗୀତାଞ୍ଜଳିଙ୍କ ମନ ଅଥୟ ହୋଇଯାଏ । ସଂସାରକୁ ବୁଝିବା ପୂର୍ବରୁ ଘରସଂସାର କରିବା କଥାକୁ ସେ ସହ୍ୟ କରି ପାରନ୍ତି ନାହିଁ । ବାହାବେଦୀ ପାଖରେ ଝଡ଼ ବେଗରେ ପହଞ୍ଚି ଯାଆନ୍ତି ଗୀତାଞ୍ଜଳି । ବିବାହ ଅଟକାଇବାକୁ କେବେ ବୁଝାସୁଝା କରନ୍ତି ତ ପୁଣି କେତେବେଳେ ଚାପ ପକାନ୍ତି ଆଉ କେତେବେଳେ ପୋଲିସ ପ୍ରଶାସନର ସହାୟତା ବି ନିଅନ୍ତି ।

‘ବାଲ୍ୟ ବିବାହକୁ ନା’-ଏହି ଯୁଦ୍ଧର ଏକ ସଫଳ ସାରଥୀ ହେଉଛନ୍ତି ସୋନପୁର ଜିଲ୍ଲା ରୁଗୁଡ଼ିପାଲିର ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ରଣା । ୨୦୧୭ ମସିହାରେ ଭୁବନେଶ୍ବରରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇଥିଲେ ଗୀତିଞ୍ଜଳି । ସମାଜସେବୀ ଘାସିରାମ ପଣ୍ଡାଙ୍କ ପ୍ରେରଣା ତାଙ୍କୁ ଉତ୍ସାହିତ କରିଥିଲା । ଆଉ ଭୁବନେଶ୍ବରରୁ ଫେରିବା ପରେ ଗୀତାଞ୍ଜଳି ଆରମ୍ଭ କରିଥିଲେ ବାଲ୍ୟ ବିବାହ ବିରୋଧରେ ଲଢ଼େଇ ।

ପ୍ରତି ସପ୍ତାହର ଶନିବାର ଦିନ ଗାଁର ଝିଅ ବୋହୂ ତଥା ମାଆମାନଙ୍କୁ ଏକାଠି କରି ବାଲ୍ୟ ବିବାହ ନକରାତ୍ମକ ଦିଗ ଉପରେ ଆଲୋଚନା କରିନ୍ତି ଗୀତାଞ୍ଜଳି । ୧୮ବର୍ଷ ପୂର୍ବରୁ ଜଣେ ଯୁବତୀର ମାନସିକ ଅବ‌ସ୍ଥା କେମିତି ଥାଏ । ସଂସାର ଗଢ଼ିବାକୁ ମାନସିକ ଭାବେ ପ୍ରସ୍ତୁତ ଥାଏ କି ନାହିଁ । ସାବାଳିକା ହେବା ପୂର୍ବରୁ ଜଣେ ଝିଅର ଶାରିରୀକ ସ୍ଥିତି କେମିତି ଥାଏ । ଶରୀର ବିଜ୍ଞାନରୁ ସାମାଜିକ କଥା, ସ୍ଥାନୀୟ ମହିଳାଙ୍କ ସହ ଟିକନିଖ ଆଲୋଚନା କରିନ୍ତି ଗୀତାଞ୍ଜଳି । ବୁଝାଇବାକୁ ଚେଷ୍ଟା କରିଛନ୍ତି ସମୟର ପରିବର୍ତ୍ତନ ସହ ନିଜ ମାନସିକତା ପରିବର୍ତ୍ତନ କରିବାକୁ । ଚେଷ୍ଟା କରନ୍ତି ପୁରୁଷପ୍ରଧାନ ପରିବାରର ମୁଖିଆଙ୍କୁ ବୁଝାଇବାକୁ ବାଲ୍ୟ ବିବାହର କୁପରିଣତି ସଂପର୍କରେ ।

ହେଲେ ଏତେ ସହଜ ହୁଏନି ମଫସଲିଆଙ୍କ ମାନସିକତାକୁ ପରିବର୍ତ୍ତନ କରିବା । କେତେବେଳେ ସାହାଦାଣ୍ଡରେ ତାଙ୍କୁ ଅପମାନିତ ହେବାକୁ ପଡିଛି ତ ପୁଣି କେତେବେଳେ ଆକ୍ରମଣର ଚେତାବନୀ ବି ମିଳିଛି । ଏପରିକି ପରଘରର କଥାରେ ମୁଣ୍ଡ ନପୁରାଇବାକୁ ତାଙ୍କୁ ତାଗିଦ୍ କରିଛନ୍ତି ଗାଁ ଲୋକେ ।
ହେଲେ ଯିଦ୍ଦି ଗୀତାଞ୍ଜଳିଙ୍କୁ ବୁଝାଇବ କିଏ ? ନିଃସ୍ବାର୍ଥପର ଭାବେ ନାବାଳିକାଙ୍କ ପାଇଁ ରକ୍ଷାକବଚ ସାଜିଛନ୍ତି ସେ । ଫଳସ୍ବରୂପ ତାଙ୍କ ଅଭିଯାନ ଏବେ ସଫଳତାର ରୂପ ନେଇଛି । ଆଖପାଖ ଅଚଂଳ ଏବେ ପାଲଟିଛି ବାଲ୍ୟବିବାହ ମୁକ୍ତ । ଧିରେ ଧିରେ ଗୀତାଞ୍ଜଳି ସମାଜସେବାର ପରିଧି ବଢୁଛି । ବାଲ୍ୟବିବାହ ବିରୋଧରେ ଲୋକଙ୍କୁ କାଉନସେଲିଂ କରିବାକୁ ଗାଁରୁ ଗାଁକୁ ବୁଲୁଛନ୍ତି ସେ । ପୋଲିସ୍ ପ୍ରଶାସନ ମଧ୍ୟ ଗୀତାଞ୍ଜଳିଙ୍କୁ ବଢାଇ ଦେଉଛନ୍ତି ସହଯୋଗର ହାତ । ପ୍ରତିକୁଳ ପରିସ୍ଥିତି ସତ୍ତ୍ବେ ୧୦ରୁ ୧୨ ବାଲ୍ୟବିବାହକୁ ରୋକି ସେ ସେଉଁଟିଛନ୍ତି ସାବାସି ।

ଏବେ ଲକ୍ଷ୍ୟ ଓଡ଼ିଶାକୁ ବାଲ୍ୟବିବାହ ମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବେ । ଆଉ ପ୍ରତି ଜିଲ୍ଲା ପ୍ରତି ଗାଁରେ ତିଆରି କରିବେ ତାଙ୍କ ଭଳି ଆହୁରି ଗୀତିଞ୍ଜଳି ।

Leave A Reply

Your email address will not be published.