Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅନ୍ତିମ ପର୍ଯ୍ୟାୟରେ ରଥ ନିର୍ମାଣ, ତିନିରଥ ଉପରକୁ ଉଠିଲା କଳସ

ପୁରୀ: ଆଜି ଅଣସର ତ୍ରୟୋଦଶୀ ତିଥି । ଗତକାଲି ପତିମହାପାତ୍ର ଓ ଦଇତାପତି ସେବାୟତ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ । ଅଣସର ତ୍ରୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉମାନଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳି ସହ ଖଳି ପ୍ରସାଦ ଅଣସର ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଏ । ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି ।

ଆଉ ଚାରିଦିନ ପରେ ରଥଯାତ୍ରା ହେବାକୁ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ତିନିରଥର ଉପର ଭାଗ କାମ ଜାରି ରହିଥିବା ବେଳେ ଆଜି ତିନିରଥ ଉପରକୁ କଳସ ଉଠିଛି । ଆଗକୁ ତିନିରଥରେ ପାର୍ଶ୍ୱ ଦେବାଦେବୀ, ଠେକେରାବାଡ଼, ସଖି, ଓଲଟଶୁଆ ଲଗାଯିବ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା କହିଛନ୍ତି ।

ସେପଟେ ଆଜି ପୁରୀ ବଡ଼ଦାଣ୍ଡରେ ଦମକଳ ବାହିନୀ, ଆମ୍ବୁଲାନ୍ସ, ଏନଡିଆରଏଫ୍, ଓଡ୍ରାଫ, ରେଡକ୍ରସ କର୍ମଚାରୀ ମକଡ୍ରିଲ୍ କରିଛନ୍ତି । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ । ରଥଯାତ୍ରାରେ ଦଳାଚକଟା ପରିସ୍ଥିତି ହେଉ କିମ୍ବା କୌଣସି ଭକ୍ତ ଆହତ ହୁଅନ୍ତୁ କିମ୍ବା ଭକ୍ତଙ୍କ ସହ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ପ୍ରାଥମିକ ଆଶୁ ଚିକିତ୍ସା ଯୋଗାଇ ଦିଆଯିବ । ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯିବ ସେନେଇ ସମସ୍ତ ବିଭାଗ ଦେଖାଇଥିଲେ ନିଜର କଳାକୌଶଳ ।

ଆଉ ଚାରିଦିନ ପରେ ବଡ଼ଦାଣ୍ଡରେ ରଥରେ ଭକ୍ତଙ୍କୁ ଦର୍ଶନ ଦେବେ ଠାକୁର । ଏବେ ମହାପ୍ରଭୁଙ୍କ ଗୁପ୍ତନୀତି ଶ୍ରୀଅଙ୍ଗ ସେବକ ଦଇତାପତି ମାନେ ଜାରି ରଖିଛନ୍ତି । ଆସନ୍ତା ୨୯ ତାରିଖରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ନବଯୌବନ ବେଶ ଚର୍ମଚକ୍ଷୁରେ ଦର୍ଶନ କରି କୃତାର୍ଥ ହେବେ ।

Leave A Reply

Your email address will not be published.