ପୁରୀ: ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ଜୁନ ୨୭ରେ ଅନୁଷ୍ଠିତ ହେବ। ତେବେ ପହଣ୍ଡି ଅଘଟଣ ରୋକିବାକୁ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜୀଉଙ୍କ ପହଣ୍ଡିବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ ବୋଲି ସୂଚନା ମିଳିଛି। ପହଣ୍ଡିର ଉତ୍ତମ ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ପୋଲିସ ମଧ୍ୟ ସହଯୋଗ କରିବେ ।
ଛତିଶା ନିଯୋଗ ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରାଠାରୁ ନିଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । ରଥଯାତ୍ରାବେଳେ ପହଣ୍ଡି ବିଜେ ବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ। ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ବରିଷ୍ଠ ଅଧିକାରୀ, ଭୋଇ,ତତ୍ତ୍ୱାବଧାରକ ଚାରମାଳ ସମୀକ୍ଷା,ନିରୀକ୍ଷଣ ଦାୟିତ୍ଵରେ ରହିବେ ।ଯେପରି କୌଣସି ଅଘଟଣ ଏଡା ଯାଇ ପାରିବ ।
ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଏଥି ପାଇଁ ଭୋଇ ସେବକଙ୍କ ସମେତ ଜେଟିପିମାନେ ସହଯୋଗ କରିବେ। ଅଘଟଣ ଯେଭଳି ପୁନରାବୃତ୍ତି ନ ହୁଏ ସେ ନେଇ ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ହେବା ସହ ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ବାଜିଛି।
Comments are closed.