ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫

ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ ମାସରେ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନ କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । ୧୯୫୧ ମସିହା ଜୁଲାଇ ମାସ ପ୍ରଥମ ସପ୍ତାହରେ କଟକରୁ ପ୍ରକାଶିତ ନବ ଜାତକ ‘ଚିତ୍ରଲେଖା’ ଅଗଷ୍ଟ ମାସରେ ଘୋଷଣା କଲାଯେ ଏହା ଏକ ସ୍ୱୟଂ ସଂପୂର୍ଣ୍ଣ ଚଳଚ୍ଚିତ୍ର ପତ୍ରିକା । ପ୍ରଥମ ସଂଖ୍ୟାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଓ ସମ୍ବାଦ ଅଧିକାଂଶରେ ସ୍ଥାନିତ ହୋଇଥିଲା ଏବଂ ନାଟକ ସମୀକ୍ଷା, ସାହିତ୍ୟ ସମ୍ବାଦ, ଗଳ୍ପ କବିତା ମଧ୍ୟ ‘ଚିତ୍ରଲେଖା’ରେ ଥିଲା । କିନ୍ତୁ ପତ୍ରିକାଟିଯେ ସଂପୂର୍ଣର୍ ଚଳଚ୍ଚିତ୍ର ଆଧାରିତ ଏହି ଘୋଷଣାନାମା ନଥିଲା । ଅଗଷ୍ଟ ୧୯୫୧ରେ ଘୋଷଣାନାମା ରହିଲାଯେ ସିନେମା ସମ୍ବନ୍ଧୀୟ ଆଲୋଚନା, ରଙ୍ଗମଞ୍ଚ, ଖେଳ କୌତୁକ, ପ୍ରଶ୍ନ ଉତ୍ତର, ପୁସ୍ତକ ସମାଲୋଚନା, ଗଳ୍ପ, କବିତା, ପ୍ରବନ୍ଧ ଓ ଫଟୋଗ୍ରାଫି ଏଥିରେ ପ୍ରକାଶ ପାଇବ ।

ସେହି ଦ୍ୱିତୀୟ ସଂଖ୍ୟା ଅର୍ଥାତ ଅଗଷ୍ଟ ୧୯୫୧ ପ୍ରଶ୍ନ ଉତ୍ତର ସ୍ତମ୍ଭରେ ଏହା ଏକ ସିନେମା ପତ୍ରିକା ବୋଲି ସଂପାଦକଙ୍କ ଘୋଷଣା ମଧ୍ୟ ରହିଲା ।
ଆଶ୍ଚର୍ଯ୍ୟଜନକ ଭାବରେ ‘ଚିତ୍ରଲେଖା’ର ପ୍ରଥମ ସଂଖ୍ୟାରେ, ଏପରିକି ଦ୍ୱିତୀୟ ସଂଖ୍ୟାରେ ମଧ୍ୟ ସମ୍ପାଦକଙ୍କ ନାମ ଉଲ୍ଲେଖ ନାହିଁ । ଠିକଣାରେ ଉଲ୍ଲେଖ ରହିଛି:ସମ୍ପାଦକ, ଚିତ୍ରଲେଖା, ଉପନ୍ୟାସ ମହଲ, ରାଣୀହାଟ, କଟକ-୧ । ମୁଦ୍ରଣାଳୟର ଠିକଣା: ମହାଲକ୍ଷ୍ମୀ ପ୍ରେସ, ରାଣୀହାଟ, କଟକ-୧ । ପ୍ରକାଶକ: ଭାରତୀ ନାଟ୍ୟ ମନ୍ଦିର ଲିମିଟେଡ୍‌, ରାଣୀହାଟ, କଟକ-୧ । ‘ଚିତ୍ରଲେଖା’ର ପ୍ରକାଶନ ସଂସ୍ଥା ‘ଭାରତୀ ନାଟ୍ୟ ମନ୍ଦିର ଲିମିଟେଡ୍‌’ ଉଭୟ ନାଟକ ଓ ‘ଚଳଚ୍ଚିତ୍ର ନିର୍ମାଣ’ ପାଇଁ ରୁଚି ରଖୁଥିଲା । । ଏହି ମର୍ମରେ ‘ଚିତ୍ରଲେଖା’ରେ ବିଜ୍ଞାପନ ମଧ୍ୟ ଅନେକଥର ପ୍ରକାଶିତ ହୋଇଛି । ବିଷୟ ଏହି ପ୍ରକାରେ: ଓଡ଼ିଶାର ନବତମ କଥାଚିତ୍ର ପ୍ରତିଷ୍ଠାନ ‘ଭାରତୀ ନାଟ୍ୟ ମନ୍ଦିର ଲିମିଟେଡ୍‌’ । ସିନେମା, ମଞ୍ଚ ଓ ସାହିତ୍ୟର ଅଭିନବ ମୁଖପତ୍ର ‘ଚିତ୍ରଲେଖା’ ପ୍ରକାଶ ପରେପରେ ଅତି ଶୀଘ୍ର ଏକ ପ୍ରଗତିଶୀଳ ‘ନାଟ୍ୟ ମନ୍ଦିର’ (ଥିଏଟର ପାର୍ଟି) ଆରମ୍ଭ ହେଉଛି । କଥାଚିତ୍ର ନିର୍ମାଣ ପରିକଳ୍ପନା ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ପ୍ରତ୍ୟେକ ଓଡ଼ିଆ ଭାଇ ଅଂଶ କିଣି ଶିଘ୍ର ଏ ଅନୁଷ୍ଠାନଟିକୁ ସୁଦୃଢ଼ କରନ୍ତୁ । ପ୍ରତି ଅଂଶର ମୁଲ୍ୟ ଦଶଟଙ୍କା ମାତ୍ର । ପୁରପଲ୍ଲୀରେ ସେୟାର୍ ବିକ୍ରୀ କରିବା ପାଇଁ ଉପଯୁକ୍ତ କମିସନ୍‌ରେ ଏଜେଂଟ୍ ଆବଶ୍ୟକ । ମେନେଜିଂ ଏଜେଂଟ୍‌, ଭାରତୀ ନାଟ୍ୟ ମନ୍ଦିର ଲିମିଟେଡ୍‌, ହେଡ୍ ଅଫିସ: ରାଣୀହାଟ, କଟକ-୧ । ବ୍ରାଞ୍ଚ ଅଫିସ୍‌: ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାମଲ, ବେଙ୍ଗଲ, ପୋ: ଚକ୍‌କାସୀ, ହାୱଡା । ୨: ପୁଷ୍ଫଶ୍ରୀ ଏଣ୍ଡ କୋ, ୯, ଦାବାଇ ରୋଡ୍‌, ପୋ: ଜାମସେଦପୁର ।

ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ଆଦ୍ୟ ପ୍ରକାଶନ ସହ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଏକ ସୁକ୍ଷ୍ମ ସୂତ୍ର ରହିଥିଲା । ଚଳଚ୍ଚିତ୍ର ପତ୍ରିକାକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅଂଶଧନ ସଂଗ୍ରହ କରିବା ଥିଲା ଏହି ସୂତ୍ରର ଉଦ୍ଦେଶ୍ୟ । ସୂତ୍ର ଆରମ୍ଭ ହୋଇଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ରୁ । ଏହା ଦ୍ୱିତୀୟ ଓ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଓ ‘ଚିତ୍ରଲେଖା’କୁ ମଧ୍ୟ ସଂକ୍ରମିତ ହେଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଯେ ଯେଉଁ ଚଳଚ୍ଚିତ୍ର କମ୍ପାନିସବୁ ଅଂଶଧନ ପାଇଁ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନରେ ସହାୟତା କରୁଥିଲେ ଓ ବିଜ୍ଞାପନ ଦେଉଥିଲେ, ସେହି କମ୍ପାନି କେବେ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରିପାରିନାହାନ୍ତି । ଯେମିତି ବ୍ରହ୍ମପୁରର ‘କାମାକ୍ଷୀ ପିକଚର୍ସ’ ଉଭୟ ସିନେ ଓଡ଼ିଶା ଓ କଳାଶ୍ରୀକୁ ସହାୟତା ଦେଉଥିଲେ, ବିଜ୍ଞାପନ ପ୍ରକାଶ କରୁଥିଲେ, ସେମିତି କଟକର ‘ଭାରତୀ ନାଟ୍ୟ ମନ୍ଦିର ଲିମିଟେଡ୍‌’ ଚଳଚ୍ଚିତ୍ର ପତ୍ରିକା ‘ଚିତ୍ରଲେଖା’ ପ୍ରକାଶନ କଲେ । ତେବେ ନା କାମାକ୍ଷୀ ଲିମିଟେଡ୍ ଚଳଚ୍ଚିତ୍ର ନିର୍ମାଣରେ ସଫଳ ହେଲା ନା ‘ଭାରତୀ ନାଟ୍ୟ ମନ୍ଦିର ଲିମିଟେଡ୍‌’ ।

ଜନସାଧରଣଙ୍କଠାରୁ ଅଂଶଧନ ସଂଗ୍ରହ କରି ଚଳଚ୍ଚିତ୍ର ନିର୍ମାଣ କରିବାର ପରମ୍ପରା ଓଡ଼ିଶାରେ ଆରମ୍ଭ କରିଥିଲା ‘ରୂପଭାରତୀ ପବଲିକ୍ ଲିମିଟେଡ୍‌’ । କମ୍ପାନି ଦ୍ୱାରା ନିର୍ମିତ ତଥା ୧୯୫୦ରେ ମୁକ୍ତିପ୍ରାପ୍ତ ‘ଶ୍ରୀଜଗନ୍ନାଥ’ ଅଦ୍ଭୁତ ସଫଳତା ପାଇଥିଲା ଏବଂ ସେଥିରୁ ଅନୁପ୍ରେରିତ ହୋଇ ନାଟକ ସହ ସଂପୃକ୍ତ ବିଭିନ୍ନ ବ୍ୟକ୍ତିବିଶେଷ ପବଲିକ୍ ଲିମିଟେଡ୍ ଗଢ଼ି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହିଁଥିଲେ । ଅବଶ୍ୟ ‘ରୂପଭାରତୀ’ ମଧ୍ୟ ଭାଙ୍ଗିଗଲା, ଅନ୍ୟ କମ୍ପାନିସବୁ ମଧ୍ୟ ଭାଙ୍ଗିଗଲେ । ତେବେ ପ୍ରେରଣାର ଉତ୍ସ ‘ରୂପଭାରତୀ’ କେବଳ ଚଳଚ୍ଚିତ୍ର ନିର୍ମାଣରେ ସୀମିତ ନ ଥିଲା, ଭ୍ରମ୍ୟମାଣ ଥିଏଟର ଦଳ ଭଢ଼ିଥିଲା, ପ୍ରାମାଣିକ ଚିତ୍ର ନିର୍ମାଣ କରୁଥିଲା ଓ ନାଟ୍ୟ ଅନୁଷ୍ଟାନ ‘ରୂପଶ୍ରୀ ଥିଏଟର୍ସ’ ବି ଗଢ଼ିଥିଲା । ‘ରୂପଭାରତୀ’ ନାମକୁ ଦୁଇଭାଗ କରି ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ଦାସ ‘ରୂପଶ୍ରୀ ଥିଏଟର୍ସ’ ଓ ‘ଭାରତୀ ଟୁରିଂ ସିନେମା’ ପ୍ରବର୍ତ୍ତନ କଲେ । ୧୯୫୦ରେ ଜନ୍ମ ନେଇଥିବା ‘ରୂପଶ୍ରୀ ଥିଏଟର୍ସ’ ଭ୍ରମ୍ୟମାଣ ଥିଏଟର୍ ଭାବରେ ସାରା ଓଡ଼ିଶାରେ ନାମ କରିଆସୁଥିବାବେଳେ ପରିଚାଳନାଗତ ତ୍ରୁଟି ଓ ଭୁଲ ବୁଝାମଣା ଦୁଇ ବର୍ଷ ପରେ ଦଳ ଏକରକମ ବନ୍ଦ ହେବାକୁ ବସିଲା । ‘ରୂପଶ୍ରୀ ଥିଏଟର୍ସ’ର ପରିଚାଳକ ବିଜୟ କେତନ ମଙ୍ଗରାଜ ଇସ୍ତଫା ଦେଇଦେଲେ । ଏହାପରେ ଦଳର ଦାୟିତ୍ୱ ନେଇଥିଲେ ଉପନ୍ୟାସକାର, ଗାଳ୍ପିକ, ଗୀତିକାର ଓ ନାଟ୍ୟକାର ଲକ୍ଷ୍ମୀଧର ନାୟକ । କିନ୍ତୁ ପୁନର୍ଗଠନ ସମ୍ଭବ ହୋଇପାରିଲା ନାହିଁ । ‘ରୂପଶ୍ରୀ ଥିଏଟର୍ସ’ ବନ୍ଦ ହୋଇଗଲା । ପରିଚାଳକ ଲକ୍ଷ୍ମୀଧର ନାୟକ ଦାୟିତ୍ୱ ନେଇ ଆରମ୍ଭ କଲେ ଭାରତୀ ନାଟ୍ୟ ମନ୍ଦିର ଲିମିଟେଡ୍ । ଏହି ସଂସ୍ଥା ଦ୍ୱାରା ପ୍ରକାଶିତ ହେଲା ‘ଚିତ୍ରଲେଖା’ । ଲକ୍ଷ୍ମୀଧର ନାୟକ ଏହାର ହର୍ତ୍ତା କର୍ତ୍ତା ବିଧାତା ଥିଲେ । କିନ୍ତୁ ସମ୍ପାଦକ ଭାବରେ କାହାରି ନାମ ପ୍ରକାଶିତ ହେଉ ନଥିଲା ।

କେମତି ଥିଲା ‘ଚିତ୍ରଲେଖା’ର ରୂପରେଖ? ଲକ୍ଷ୍ମୀଧର ନାୟକଙ୍କ ସମ୍ପାଦନା? ଆସନ୍ତା ଲେଖାରେ ଏହି ସମ୍ବନ୍ଧିତ ଚର୍ଚ୍ଚା ରହିଛି । ଏଥରର ଏହି ଲେଖା ସହ ସଂଯୁକ୍ତ ହୋଇଛି ‘ଚିତ୍ରଲେଖା’ର ପ୍ରଚ୍ଛଦ ଓ ଅନ୍ତଃ ଚିତ୍ର ଏବଂ ଲକ୍ଷ୍ମୀଧର ନାୟକଙ୍କ ଫଟୋଚିତ୍ର ।

କ୍ରମଶଃ…