Latest Odisha News

BREAKING NEWS

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିରୁ ଲଢ଼ିବେ ବଘେଲ

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଗେମ ଖେଳିଛି। ଛତିଶଗଡ଼ରେ କଂଗ୍ରେସ ଶାସନରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି।

ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ କରିବା ପାଇଁ ଟି ଏସ ସିଂଦେଓଙ୍କୁ ଶେଷ ପର୍ଯ୍ୟାୟରେ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏପରିକି ପିସିସି ସଭାପତି ମଧ୍ୟ ବଦଳାଯାଇଛି। ସେପଟେ ବିଜେପି କିନ୍ତୁ ନିର୍ବାଚନ ଘୋଷଣା ପୂର୍ବରୁ ୨୧ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଏହି ସିଟଗୁଡିକ ମଧ୍ୟରୁ ଯେଉଁ ସିଟକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ତାହା ହେଉଛି ପାଟନ। ଏହି ସିଟ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି।

ଦୁର୍ଗର ସାଂସଦ ତଥା ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପୁତୁରା ବିଜୟ ବଘେଲଙ୍କୁ ବିଜେପି ପାଟନ ବିଧାନସଭା କ୍ଷେତ୍ରରୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଯେଉଁ ବିଧାନସଭା ସିଟରୁ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ।

ତେଣୁ ଖୋଦ ନିଜ ପୁତୁରାଙ୍କୁ ମୁଖ୍ୟମନ୍ତ୍ରୀ ବଘେଲଙ୍କ ବିରୋଧରେ ଅସ୍ତ୍ର କରି ବିଜେପି ବଡ଼ ଖେଳ ଖେଳିଛି। ତେଣୁ ଏହି ସିଟକୁ ନେଇ ଚର୍ଚ୍ଚା ବହୁତ ବଢିଯାଇଛି।

ଉଭୟ ସମ୍ପର୍କୀୟଙ୍କୁ ଗୋଟିଏ ଜାଗାରୁ ଲଢେଇ ଦଳ ରାଜନୈତିକ ଫାଇଦା ନେବାକୁ ଚାହିଁଥିବା ଚର୍ଚ୍ଚା ହେଉଛି। ଏପରିକି ପୂର୍ବରୁ ମଧ୍ୟ ବିଜୟ ବଘେଲ ଭୁପେଶଙ୍କ ବିରୋଧରେ ଲଢ଼ିବା ସହ ତାଙ୍କୁ ହରାଇଥିଲେ। ୨୦୦୮ ନିର୍ବାଚନରେ ବିଜୟ ଭୁପେଶଙ୍କୁ ହରାଇଥିଲେ।

କିନ୍ତୁ ୨୦୧୩ ନିର୍ବାଚନରେ ଭୁପେଶ ବିଜୟଙ୍କୁ ହରାଇ ଦେଇଥିଲେ। ୨୦୧୪ ମସିହାରେ ଭୁପେଶ ବଘେଲ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ନେତୃତ୍ୱରେ ୨୦୧୮ ନିର୍ବାଚନ ଲଢ଼ାଯାଇଥିବା ବେଳେ କଂଗ୍ରେସ ଛତିଶଗଡ଼ର ୯୦ ଟି ବିଧାନସଭା ସିଟ ମଧ୍ୟରୁ ୬୮ ଟି ସିଟରେ ଜିତି ସରକାର ଗଠନ କରିଥିଲା।

୨୦୦୮ ମସିହାରେ ବିଜେପିର ବିଜୟ ବଘେଲ ଭୁପେଶଙ୍କୁ ହରାଇଥିଲେ ମଧ୍ୟ ଏବେ ଭୁପେଶ ଛତିଶଗଡର ମୁ୍ଖ୍ୟମନ୍ତ୍ରୀ । ତାଙ୍କ ଲୋକପ୍ରିୟତା ଓ ସଂଗଠନ ବହୁ ଶକ୍ତିଶାଳୀ ହୋଇଥିବା କୁହାଯାଉଛି।

ଏପରିକି କଂଗ୍ରେସଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭୁପେଶଙ୍କୁ ସବୁଠୁ ପ୍ରଭାବୀ ମୁଖ୍ୟମନ୍ତ୍ରୀ ଭାବେ ଗଣାଯାଉଛି। ତେଣୁ ଏଭଳି ସ୍ଥିତିରେ ବିଜୟ ବଘେଲ ଭୁପେଶଙ୍କ ସହ ଲଢ଼ି ତାଙ୍କୁ ମାତ ଦେବା ଏତେ ସହଜ ମଧ୍ୟ ନୁହେଁ।

ଯଦି ବିଜୟ ଏଥିରେ ସଫଳ ହୁଅନ୍ତି ତେବେ ବିଜେପିରେ ତାଙ୍କର ପ୍ରଭାବ ବଢିବା ନିଶ୍ଚିତ କିନ୍ତୁ ଯଦି ହାରିଯାଆନ୍ତି ତାହେଲେ ପୁଣିଥରେ ଦଳ ତାଙ୍କୁ ସାଂସଦ ଭାବେ ଲଢ଼ାଇପାରେ।

ଏପରିକି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପି ଏଥର ନିର୍ବାଚନ ପାଇଁ ବିଜୟ ବଘେଲଙ୍କୁ ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ ମଧ୍ୟ କରିଛି। ତେଣୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବିପକ୍ଷରେ ସମ୍ପୂର୍ଣ୍ଣ ରଣନୀତି ସହ ବିଜୟଙ୍କୁ ଦଳ ଓଲ୍ହାଇଛି।

ଅନ୍ୟ ଏକ ଆସନ ରାମାନୁଜଗଞ୍ଜରେ ପୂର୍ବତନ ସାଂସଦ ରାମବିଚାର ନେତାମଙ୍କୁ ପ୍ରାର୍ଥୀ କରାଯାଇଛି। ସେପଟେ ଆଇଏଏସ ଚାକିରୀ ଛାଡି ବିଜେପିକୁ ଆସିଥିବା ଓ ପି ଚୌଧୁରୀଙ୍କ ଟିକେଟ କାଟି ଖରସିଆରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ।

ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜାତିଗତ ସମୀକରଣକୁ ମଧ୍ୟ ଧ୍ୟାନ ଦିଆଯାଇଛି। ଯେଉଁ ୨୧ ଟି ସିଟରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି ସେସବୁ ମଧ୍ୟରୁ ଅଧିକାଂଶ ସିଟ କଂଗ୍ରେସର ଗଡ଼ ବୋଲି କୁହାଯାଉଛି। ଏସବୁ ସିଟ ଗୁଡିକରେ ଦଳ ପୂର୍ବରୁ ଯେଉଁମାନଙ୍କୁ ପ୍ରାର୍ଥୀ କରିଥିଲା ସେମାନଙ୍କ ମଧ୍ୟରୁ ବହୁ ପ୍ରାର୍ଥୀଙ୍କୁ ବଦଳାଇ ଦେଇଛି।

ସେପଟେ ବହୁ ପୁର୍ବରୁ ବିଜେପିର ପ୍ରାର୍ଥୀ ତାଲିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ଲିଷ୍ଟରେ କିଛି ଖାସ ନାହିଁ ବୋଲି ସେ କହିଛନ୍ତି। ସେପଟେ ବିଜେପି ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ବିଜୟ ଏହାକୁ ସୌଭାଗ୍ୟ ବୋଲି କହିଛନ୍ତି। ତେଣୁ ଏଭଳି ଏକ ହେଭିୱେଟ ଲଢେଇର ପରିଣାମ ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.