Latest Odisha News

BREAKING NEWS

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ବାଲେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଏହି ଅବସରରେ ଆସନ୍ତାକାଲି ବାଲେଶ୍ବର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୋଟ ୫୦୦ ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ଦିନ ୧୧ଟାରେ ବାଲେଶ୍ୱରର ପୋଲିସ ଲାଇନ୍ ପଡ଼ିଆରେ ପହଞ୍ଚି ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଦେବେ । ଏହାସହ ବାଲେଶ୍ବର ଜିଲ୍ଲାରେ ୩୬୬ କୋଟି ଟଙ୍କା ଖର୍ଚ୍ଚରେ ପୂର୍ଣ୍ଣାଙ୍ଗ ହୋଇଥିବା ୭୭ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୧୧୮୬ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଜିଲ୍ଲାର ୧୨ଟି ବ୍ଲକ୍‌ରେ ଦାୟିତ୍ୱରେ ଥିବା ମନ୍ତ୍ରୀ, ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ । ଏଥିରେ ବାଲେଶ୍ୱର ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାରର ୧୯ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ଓ ଭାଜପା ପକ୍ଷରୁ ବିରୋଧ କରାଯାଉଥିବା ବେଳେ, ବାଲେଶ୍ବରରେ ସାମ୍ଭାବ୍ୟ ବିରୋଧକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୂର୍ବାଞ୍ଚଳ ଜୋନ ପୋଲିସ ଆଇଜିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଥା ଏସପିଙ୍କ ନେତୃତ୍ବରେ ୩ଜଣ ଆଡିସନାଲ ଏସପି, ୧୩ଜଣ ଡିଏସପି, ୨୨ଜଣ ଆଇଆଇସି, ୯୪ଜଣ ଏସଆଇ, ଏଏସଆଇ ଓ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । କାର୍ଯ୍ୟକ୍ରମ ସ୍ଥଳ ବାହାରେ ଅନ୍ୟାନ୍ୟ ଫୋର୍ସ ସହ ହୋମଗାର୍ଡଙ୍କୁ ମୁତୟନ କରାଯିବ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଏଲଇଡି ସ୍କ୍ରିନ ବ୍ୟବସ୍ଥା କରିବାକୁ ଜିଲ୍ଲା ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.