ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ-ବିଧର୍ମୀ କାର୍ଯ୍ୟ କରୁଛି ଇସ୍କନ, ଖୁବଶୀଘ୍ର ନିଆଯିବ ପଦକ୍ଷେପ
ଭୁବନେଶ୍ୱର: ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଏବେ ତେଜିବାରେ ଲାଗିଛି। ଦୁଇ ଦିନ ତଳେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲ। ବିଦେଶରେ ଥିବା ଇସ୍କନ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ ବୋଲି ସେ କହିଥିଲେ। ସରକାର କେବଳ ସେମାନଙ୍କୁ ପରମ୍ପରା ରକ୍ଷା କରିବା ପାଇଁ ଅନୁରୋଧ ହିଁ କରିପାରିବେ। ବର୍ତ୍ତମାନ ଏହି ସମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ପ୍ରସଙ୍ଗରେ ଗୁରୁତର ସହ ସରକାର ବିଚାର କରୁଛନ୍ତି। ମହାପ୍ରଭୁଙ୍କ ପ୍ରତିଟି ପର୍ବପର୍ବାଣୀର ସ୍ବତନ୍ତ୍ରତା ରହିଛି, କିନ୍ତୁ କିଛି ସନାତନ ବିରୋଧୀ ପରମ୍ପରା, ରୀତିନୀତି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଅନ୍ତର୍ଜାତୀୟ ସଂସ୍ଥା ଇସ୍କନ ଏଭଳି ବିଧର୍ମୀ କାର୍ଯ୍ୟ କରିଆସୁଛି। ଯେଉଁ ସମୟରେ ଯାହା ପାଳନ କରିବା କଥା ତାର ବ୍ୟତିକ୍ରମ କରୁଛନ୍ତି। ଗଜପତି ମହାରାଜା ନିଜେ ଉଦ୍ବେଗ ଜଣାଇଛନ୍ତି। ଶଙ୍କରାଚାର୍ଯ୍ୟ ମଧ୍ୟ ବିଭିନ୍ନ ସମୟରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆମେ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁରୀର ପାରମ୍ପରିକ ରୀତିନୀତି ଅନୁସାରେ ରଥଯାତ୍ରା କରି ପୂଜା କରିବା ଉଚିତ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଗଜପତି ମହାରାଜଙ୍କ ତରଫରୁ ମଧ୍ୟ ବିଦେଶୀ ସଂସ୍ଥାଗୁଡ଼ିକୁ ଏଥିପାଇଁ ବାରମ୍ବାର ଅନୁରୋଧ କରାଯାଉଛି।