Latest Odisha News

BREAKING NEWS

ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ୀଭୂତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି ।  ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ଉପରେ ଗୁୁରୁତ୍ବ ଦେବାପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଭର୍ଚୁଆଲ ମୋଡ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବନ୍ୟା ପ୍ରବଣ ଅଞ୍ଚଳମାନଙ୍କରେ ଅଧିକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବାରମ୍ବାର ବନ୍ୟାରେ ପ୍ରଭାବିତ ହେଉଥିବା ଏବଂ ଆବଶ୍ୟକ ପରିମାଣର ଆଶ୍ରୟସ୍ଥଳୀ ନଥିବା ଗ୍ରାମମାନଙ୍କୁ ଚିହ୍ନଟ କରି ସେଠାରେ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଅବିବୃଦ୍ଧି ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡିଥିଲା ।

ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (ପି.ଡ଼ି.ଏନ୍.ଏ) ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା। ମୁଖ୍ୟତଃ ବାସଗୃହ, ଆଶ୍ରୟସ୍ଥଳୀ, ପୁନର୍ବାସ, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାନୁଷ୍ଠାନ ଆଦି ସର୍ବସାଧାରଣ ସଂପତ୍ତି, ରାସ୍ତା ଓ ପୋଲ ଆଦି ସ୍ଥାନୀୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଆବଶ୍ୟକତା ଆଦି ଭିତ୍ତିରେ ଏହି ବିପର୍ଯ୍ୟୟ ପରବର୍ତ୍ତୀ ଆକଳନ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡିଥିଲା ।

ପୁଲିସ୍ ମହାନିର୍ଦ୍ଦେଶକ ସୁନିଲ୍ କୁମାର ବଂଶଲ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କିମସନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଳ ସଂପଦ) ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.