Latest Odisha News

BREAKING NEWS

ପାଠ ପଢିବା ପାଇଁ ଜଙ୍ଗଲ ରାସ୍ତାରେ କୁନି ପିଲାଙ୍କ ପଦଯାତ୍ରା

ନବରଙ୍ଗପୁର : ଆବଶ୍ୟକୀୟ ଛାତ୍ର ଛାତ୍ରୀ ଅଭାବରୁ ବନ୍ଦ ହୋଇଗଲା ସ୍କୁଲ । ଗାଁରେ ଅନେକ ପିଲାଙ୍କ ପାଠ ପଢ଼ାରେ ଡୋରି ଲାଗିଗଲା । ଆଉ ଏବେ ପାଠ ପଢ଼ିବାକୁ କୁନି ପିଲା ମାନେ ବିପଦପୂର୍ଣ୍ଣ ଭାବେ ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ ଯାତ୍ରା କରୁଛନ୍ତି  । ତେବେ ଏଭଳି ଦୃଶ୍ୟ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତର ଲଙ୍ଗଳଅଟାଳ ଗାଁ  ।ଏହି ଗାଁର କୁନିକୁନି ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ପାଖାପାଖି ୬ କିଲୋମିଟର ରାସ୍ତା ଚାଲିଚାଲି ଯିବା ଆସିବା କରି ନିକଟସ୍ଥ ମୁଦୁଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସୁଛନ୍ତି। ବାପା,ମାଆଙ୍କ ବାରଣ ସତ୍ତ୍ୱେ ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ ହିଂସ୍ର ଜନ୍ତୁଙ୍କ ଭୟକୁ ଭ୍ରୁକ୍ଷେପ ନ କରି ଜ୍ଞାନର ଆଲୋକ ରେ ନିଜକୁ ଆଲୋକିତ କରିବା ଲକ୍ଷ୍ୟ ନେଇ ସ୍କୁଲକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ମନକୁ ବ୍ୟାକୁଳ କରୁଛି।

ଆବଶ୍ୟକୀୟ ଛାତ୍ର ଛାତ୍ରୀଙ୍କ ଅଭାବରୁ ସରକାରୀ ନିୟମ  ଅନୁସାରେ ଗାଁ ରେ ଥିବା ପ୍ରାଥମିକ ସ୍କୁଲ ଗତ ଦୁଇ ବର୍ଷ ହେବ ନିକଟସ୍ଥ ଗ୍ରାମକୁ ଉଠିଯାଇଛି । ଯାହାଫଳରେ ଛାତ୍ର ଛାତ୍ରୀଙ୍କୁ ୬ କିଲୋମିଟର ଦୂରରେ ଥିବା ମୁଦୁଲିଗୁଡା ସ୍କୁଲକୁ ପାଠ ପଢିବା ପାଇଁ ଯାଉଛନ୍ତି। ପ୍ରତିଦିନ ୬ କିଲୋମିଟର ବିପଦପୂର୍ଣ୍ଣ ରାସ୍ତାରେ ଯିବା ଆସିବା କରିନପାରି ମାସରେ ୩ ରୁ ୪ ଦିନ ବିଦ୍ୟାଳୟକୁ ଆସୁଛନ୍ତି ।ତେବେ ଗାଁରେ ପୁଣିଥରେ ବିଦ୍ୟାଳୟ ଖୋଲାଯାଉ କିମ୍ବା ଛାତ୍ରଛାତ୍ରୀଙ୍କ ଯାତାୟତର ସୁବିଧା କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ।

ମୁଦୁଲିଗୁଡା  ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ରହିଛି । ଯେଉଁଠି ନଙ୍ଗଳ ଅଟାଳ ଗ୍ରାମର ୨୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ସ୍କୁଲ ସ୍ଥାନାନ୍ତରିତ ହେବା ସମୟରେ କୁନି କୁନି ଛାତ୍ର ଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ବସ୍‌ର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତିଶୃତି ପାଳନ ହୋଇପାରିଲା ନାହିଁ, ଏ ସମ୍ପର୍କରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଗତ ଜିଲ୍ଲା ପରିଷଦ ବୈଠକରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ ହେଲେ କୌଣସି ସୁଫଳ ମିଳିନଥିଲା ।ଏନେଇ ନନ୍ଦାହାଣ୍ଡି ବିଡ଼ିଓଙ୍କୁ ସାକ୍ଷାତ କରିବାରୁ ସେ ତୁରନ୍ତ ଏହାର ସମାଧାନ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.