ସୁନ୍ଦରଗଡ଼: ଜିଲ୍ଲାର ଏକ ଗାଁରେ ଏବେ ଝାଡ଼ାବାନ୍ତି ଆତଙ୍କ ଖେଳାଇ ଦେଇଛି। ହଠାତ୍ ବ୍ୟାପିଥିବା ଏହି ଅଜଣା ରୋଗ କାରଣରୁ ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ସ୍ଥିତି ଏପରି ହୋଇଛି ଯେ, ଏଥିରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲକ୍ଷଣକୁ ଦେଖି ଏହା କଲେରା ବୋଲି ସ୍ଥାନୀୟ ଅଞ୍ଚଳରେ ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଗାଁରେ ଏକାଧିକ ଲୋକ ହଠାତ୍ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଆରମ୍ଭ ହୋଇଥିଲା। ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ଆଖି ବୁଜିବା ପରେ ଗାଁରେ ଏକ ପ୍ରକାର ଭୟର ମାହୋଲ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୨୯ ରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଖବର ପାଇବା ମାତ୍ରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତୁରନ୍ତ ସମ୍ପୃକ୍ତ ଗାଁରେ ପହଞ୍ଚିଛନ୍ତି। ସେମାନେ ଗାଁରେ କ୍ୟାମ୍ପ୍ କରି ଘରକୁ ଘର ବୁଲି ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ଏବଂ ଆବଶ୍ୟକ ଔଷଧ ଦିଆଯାଉଛି।
ପ୍ରାଥମିକ ତଦନ୍ତରୁ ଦୂଷିତ ପାନୀୟ ଜଳ ବା ଖାଦ୍ୟ ବ୍ୟବହାର କାରଣରୁ ଏହି ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି। ତେବେ ଏହା ପ୍ରକୃତରେ କଲେରା ନା ସାଧାରଣ ଡାଇରିଆ, ତାହା ସ୍ପଷ୍ଟ କରିବା ପାଇଁ ଆକ୍ରାନ୍ତଙ୍କ ମଳ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ଲ୍ୟାବ୍କୁ ପରୀକ୍ଷା ପାଇଁ ପଠାଯାଇଛି। ଏହା ସହିତ ଗାଁର ବିଭିନ୍ନ ନଳକୂପ ଏବଂ ପାଣି ବାହାରୁଥିବା ଉତ୍ସରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଛି।
ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାବି କରାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ଲୋକଙ୍କୁ ପାଣି ଫୁଟାଇ ପିଇବାକୁ ଏବଂ ଆଖପାଖ ପରିବେଶକୁ ସଫାସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି। ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଉ ଅନ୍ୟପଟେ ଏଭଳି ରୋଗର ପ୍ରାଦୁର୍ଭାବ ଏବେ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ରୋଗର ସଠିକ୍ ଚିତ୍ର ସ୍ପଷ୍ଟ ହେବ ବୋଲି ଡାକ୍ତରୀ ଟିମ୍ କହିଛନ୍ତି।