ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସ ଏବଂ ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କାଙ୍କୁ ଜନ୍ତରମନ୍ତର ରେ ଅଟକ ରଖିଛି ଦିଲ୍ଲୀ ପୁଲିସ ।
ଏହି ଦୁଇ ନେତାଙ୍କୁ ଜନ୍ତରମନ୍ତରରେ ପ୍ରତିବାଦ କିମ୍ବା ସମାବେଶ ପାଇଁ ଅନୁମତି ନ ଥିଲା, କିନ୍ତୁ ସେମାନେ ସେଠାରେ ପହଞ୍ଚିଥିବାରୁ ତାଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛି ଦିଲ୍ଲୀ ପୋଲିସ ।
ଉଲ୍ଲେଖନୀୟ ଯେ, ସିଜେପି ନେତା ଅଭିଜିତ ଦୀପକ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଏହା ପୂର୍ବରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ପରବର୍ତ୍ତୀ ସମୟରେ ଦିଲ୍ଲୀ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କୋର୍ଟ ଏକ ବର୍ଷ ପାଇଁ ଶାନ୍ତି ଏବଂ ଭଲ ଆଚରଣ ବଜାୟ ରଖିବା ସର୍ତ୍ତରେ ୫୦,୦୦୦ ଜାମିନଦାର ବଣ୍ଡ ଦାଖଲ କରି ସେମାନଙ୍କୁ ଜାମିନରେ ମୁକ୍ତ କରିଥିଲେ।
ଏହି ସମ୍ପର୍କରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକ ଏକ୍ସ-ରେ ଏକ ପୋଷ୍ଟ ମାଧ୍ୟମରେ ନିଜର ପ୍ରତିବାଦ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “୧୩ ଅକ୍ଟୋବର ସକାଳେ, କକ୍ରୋଚ୍ ଜନତା ଦଳର ସଦସ୍ୟମାନେ ତ୍ରିରଙ୍ଗା ଧରି ଦିଲ୍ଲୀର ଜନ୍ତରମନ୍ତର ଆଡକୁ ଯାଉଥିଲେ, କିନ୍ତୁ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ” ଦୀପକଙ୍କ ଅନୁଯାୟୀ, ଏହି ପ୍ରୟାସ ସମୟରେ ଆଶୁତୋଷ ରାଙ୍କା, ସୌରଭ ଦାସ, ଅଜିଙ୍କ୍ୟ ସିନ୍ଦେ ଏବଂ ଅନ୍ୟାନ୍ୟ କର୍ମୀଙ୍କୁ ଅଟକ ରଖାଯାଇଛି ।
ଦୀପକ ତାଙ୍କ ପୋଷ୍ଟରେ ଘଟଣାସ୍ଥଳର ଭିଡିଓ ଫୁଟେଜ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ଫାଟକ ଉପରେ ଚଢ଼ି ପତାକା ଧରି ଦୌଡ଼ୁଥିବା ଦେଖାଯାଉଛି ।
ଜନ୍ତରମନ୍ତରରେ ଲାଗୁ ହୋଇଥିବା କଟକଣା ସତ୍ତ୍ୱେ ଦୁଇ ନେତା ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ପୁଣି ଥରେ ଅଟକ ରଖିଛି ଏବଂ ଯାହା ପରେ ସେହି ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି।

