Latest Odisha News

BREAKING NEWS

ଲଜ୍ଜା: ୩ ଘଣ୍ଟା ଆଣ୍ଠେଇଲେ ଚତୁର୍ଥ ଶ୍ରେଣୀ ସ୍କୁଲ୍ ଛାତ୍ରୀ !

ଫୁଲବାଣୀ: ବିଦ୍ୟାଳୟରେ କୁନି କୁନି ପିଲାମାନଙ୍କୁ ବଳପୂର୍ବକ ଦଣ୍ଡଦେବାର ବ୍ୟବସ୍ଥା ନଥିଲେ ମଧ୍ୟ ଏହିପରି କେତେକ ଘଟଣା ବାରମ୍ବାର ଘଟିଚାଲିଛି । ଫେବୃଆରୀ ୨୧ ତାରିଖ ଦିନ ମନୀଷା ମଲ୍ଲିକ ନାମକ ଜଣେ ଚତୁର୍ଥ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କୁ ସ୍କୁଲର ମାଟ୍ରନ୍ ବଳପୂର୍ବକ ୩ ଘଣ୍ଟା ଧରି ଆଣ୍ଠେଇ ଦେବାପରି ଦଣ୍ଡ ବିଧାନ କରିଛନ୍ତି । ନାବାଳିକା ଛାତ୍ରୀ ମନିଷାଙ୍କର ଦୋଷ ହେଲା ଯେ, ସେ ଶିବରାତ୍ରୀ ଦିନ ଟିଭି ଦେଖିବାକୁ ଚାହିଁଥିଲେ । ସ୍କୁଲର ମାଟ୍ରନ୍ ସୁଚରିତା ନାୟକ ମନିଷାଙ୍କୁ ଦୀର୍ଘ ୩ ଘଣ୍ଟା ଧରି ବଳ ପ୍ରୟୋଗ କରି ଆଣ୍ଠେଇ ଦେଇଥିଲେ ।

ଏହି ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ ଅନ୍ତର୍ଗତ ସାଇଁପଡ଼ା ଗ୍ରାମର ରେସିଡ଼େନ୍ସିଆଲ୍ ସେବାଶ୍ରମ ସ୍କୁଲରେ । ଏହି ବିଦ୍ୟାଳୟଟି ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ବିଭାଗ ଦ୍ୱାରା ପରିଚାଳିତ ।

ଦୀର୍ଘ ୩ ଘଣ୍ଟା ଧରି ଏହି ଦଣ୍ଡ ପାଇବା ପରେ ଏବେ ନାବାଳିକା ଛାତ୍ରୀ ଜଣକ ଗୋଡ଼ରେ ଛିଡ଼ା ହୋଇପାରୁନାହାନ୍ତି କିମ୍ବା ଠିକ୍ ରୂପେ ଚାଲିବାକୁ ସକ୍ଷମ ହୋଇପାରୁନାହାନ୍ତି । ପରେ ପୀଡ଼ିତା ଛାତ୍ରୀ ଜଣକଙ୍କୁ କେ ନୂଆଗାଁସ୍ଥିତ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଅବଶ୍ୟ ଏବେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିଲେ ମଧ୍ୟ ଦୁଇ ଆଣ୍ଠୁରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହେଉଛି ବୋଲି ସୂଚନା ମିଳିଛି ।

ସମସ୍ତ ସ୍କୁଲ ପରିସରକୁ ନୋ ପନିଶମେଣ୍ଟ ଜୋନ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏହିପରି କିପରି ଏହି ସ୍କୁଲରେ ଘଟିଲା ବୋଲି ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାନନ୍ଦ ପ୍ରଧାନ ସନ୍ତୋଷ ଜନକ ଉତ୍ତର ଦେଇପାରିନାହାନ୍ତି ।

ଇତିମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡ଼ବ୍ଲ୍ୟୁଓ) ସ୍କୁଲ ପରିଦର୍ଶନ କରିଯାଇଛନ୍ତି ଏବଂ ଅଭିଯୁକ୍ତ ମାଟ୍ରନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.