ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ଜଳବାୟୁ ପରିବର୍ତ୍ତନ କାରଣରୁ ଭାରତ ପାଇଁ ଏକ ବଡ଼ ବିପଦର ଘଣ୍ଟି ବାଜିଛି । ସାମ୍ପ୍ରତିକ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ହିମାଳୟର ଗ୍ଲେସିୟର ଗୁଡ଼ିକ ଅତ୍ୟନ୍ତ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯଦି ଏହି ପ୍ରକ୍ରିୟା ଜାରି ରହେ, ତେବେ କେବଳ କୋଟି କୋଟି ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନ ହେବ ନାହିଁ, ବରଂ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୨୦ ପ୍ରତିଶତ ବିପଦରେ ପଡ଼ିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି ।
ଗ୍ଲୋବାଲ କନ୍ସଲଟାନ୍ସି ‘ସିଷ୍ଟମିକ୍’ ଏବଂ ଅନ୍ୟାନ୍ୟ ପ୍ରମୁଖ ପରିବେଶ ସଂସ୍ଥା ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ଦଶନ୍ଧି ତୁଳନାରେ ବର୍ତ୍ତମାନ ହିମାଳୟର ଗ୍ଲେସିୟରଗୁଡ଼ିକ ୬୫ ପ୍ରତିଶତ ଅଧିକ ବେଗରେ ତରଳୁଛି । ଏହାର ପ୍ରମୁଖ କାରଣ ହେଉଛି ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ବରଫ ଉପରେ ପଡ଼ୁଥିବା ବ୍ଲାକ୍ କାର୍ବନର ପ୍ରଭାବ, ଯାହାକି ସୂର୍ଯ୍ୟ କିରଣକୁ ଶୋଷି ବରଫ ତରଳାଇବାରେ ସାହାଯ୍ୟ କରୁଛି । ହିମାଳୟର ପ୍ରାକୃତିକ ଜଳ ଭଣ୍ଡାର ଉପରେ ଭାରତର ପ୍ରାୟ ୨୦ ପ୍ରତିଶତ ଅର୍ଥନୀତି ନିର୍ଭରଶୀଳ । ବିଶେଷ କରି ଉତ୍ତର ଓ ପୂର୍ବ ଭାରତର ଗହମ ଓ ଧାନ ଚାଷ, ଚାହା ବଗିଚା, ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ଧାର୍ମିକ ପର୍ଯ୍ୟଟନ ପାଇଁ ହିମାଳୟରୁ ବାହାରୁଥିବା ନଦୀଗୁଡ଼ିକ ହିଁ ମୁଖ୍ୟ ଆଧାର। ବରଫ ତରଳିଲେ ଏହି ସବୁ କ୍ଷେତ୍ର ଉପରେ ଗମ୍ଭୀର ଅର୍ଥନୈତିକ ସଙ୍କଟ ଦେଖାଦେବ ।
କେବଳ ଅର୍ଥନୈତିକ କ୍ଷତି ନୁହେଁ, ବରଫ ତରଳିବା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ମଧ୍ୟ ବହୁଗୁଣିତ ହୋଇଛି । ଉଚ୍ଚ ପାର୍ବତ୍ୟାଞ୍ଚଳରେ ନୂଆ ନୂଆ ଗ୍ଲେସିଆଲ୍ ହ୍ରଦ ସୃଷ୍ଟି ହେଉଛି ଏବଂ ଏହାର ଆକାର କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହାକି ହଠାତ୍ ଭାଙ୍ଗି ବନ୍ୟା ପରିସ୍ଥିତି ସୃଷ୍ଟି କରିବାର ଭୟ ରହିଛି । ଭାରତ ସରକାରଙ୍କ ଏକ ସର୍ଭେ ଅନୁଯାୟୀ, ବର୍ତ୍ତମାନ ହିମାଳୟ ଅଞ୍ଚଳରେ ଥିବା ୫୬ଟି ହ୍ରଦକୁ “ଅତି ସମ୍ବେଦନଶୀଳ ତଥା ବିପଜ୍ଜନକ” ଶ୍ରେଣୀରେ ରଖାଯାଇଛି । ୨୦୨୧ରେ ଉତ୍ତରାଖଣ୍ଡ ଏବଂ ୨୦୨୩ରେ ସିକ୍କିମରେ ଘଟିଥିବା ଭୟଙ୍କର ବନ୍ୟା ଏହି ବିପଦର ଜ୍ୱଳନ୍ତ ଉଦାହରଣ। ଦେଶର ମୋଟ ଭୂଭାଗର ପ୍ରାୟ ୧୮ ପ୍ରତିଶତ ଅଞ୍ଚଳ ହିମାଳୟ ପାର୍ବତ୍ୟମାଳା ମଧ୍ୟରେ ରହିଥିବା ବେଳେ ଏଠାରେ ସର୍ବାଧିକ ୩୫ ପ୍ରତିଶତ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି ।
ଏହି ବିଶାଳ ସମସ୍ୟା ସତ୍ତ୍ୱେ ତଦାରଖ ବ୍ୟବସ୍ଥାରେ ବଡ଼ ଅଭାବ ଦେଖିବାକୁ ମିଳିଛି । ହିମାଳୟ-କାରାକୋରମ୍ ପର୍ବତମାଳାରେ ଥିବା ପ୍ରାୟ ୪୦ ହଜାର ଗ୍ଲେସିୟର ମଧ୍ୟରୁ କେବଳ ୨୧ଟିର ନିରନ୍ତର ଅନୁଧ୍ୟାନ କରାଯାଉଛି । ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହି ଶତାବ୍ଦୀର ମଧ୍ୟଭାଗ ବେଳକୁ ନଦୀଗୁଡ଼ିକରେ ଏକ ନିର୍ଦ୍ଦିଷ୍ଟ ଜଳସ୍ତର ‘ପିକ୍ ୱାଟର’ ଛୁଇଁବ, ଯାହା ପରେ ଜଳସ୍ତର ସବୁଦିନ ପାଇଁ କମିବାକୁ ଲାଗିବ ।

