ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ୫ଟି ବିରଳ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ବେଆଇନ ବନ୍ୟଜନ୍ତୁ ଚାଲାଣର ଚେର ପଶ୍ଚିମବଙ୍ଗର ଦୀଘାକୁ ଲମ୍ବିଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) ନିଜର ତଦନ୍ତକୁ ଜୋରଦାର କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଭାବେ ଦୀଘାର ଜଣେ ହୋଟେଲ ମାଲିକ ଜୟନ୍ତ ମାଇତି ଏବଂ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ତେବେ ଉଭୟ ବାପା ଓ ପୁଅ ଏବେ ଫେରାର ଥିବାବେଳେ ସେମାନେ କେଉଁଠି ଲୁଚିଛନ୍ତି ତାହା ଉପରେ ଏବେ ଏସଟିଏଫର ତୀକ୍ଷ୍ଣ ନଜର ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦୀଘାରେ ଥିବା ‘ଗ୍ରାଣ୍ଡ ହେରିଟେଜ୍’ ନାମକ ଏକ ହୋଟେଲରେ ଏହି ଚାଲାଣ ପାଇଁ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିଲା। ଗତ କିଛି ଦିନ ଧରି ୧୫୦ରୁ ଊର୍ଦ୍ଧ୍ୱ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ, ହୋଟେଲ ସମ୍ମୁଖରେ ଗୋଟିଏ ଧଳା ରଙ୍ଗର କାରରୁ ଗୋଟିଏ କଳା ରଙ୍ଗର ‘ଥାର୍’ ଏସୟୁଭିକୁ ଓରାଙ୍ଗଉଟାନ୍ ଥିବା ବାକ୍ସଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାଟି ପଦାରେ ପଡ଼ିଯିବା ଆଶଙ୍କାରେ ଏବଂ ପୋଲିସ ହାବୁଡ଼ରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ଉକ୍ତ ବିରଳ ପ୍ରାଣୀମାନଙ୍କୁ ଭୋଗରାଇର ରଣକୋଠା ଜଙ୍ଗଲରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ଉଭୟଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି ।
ଏହି ମାମଲାରେ ଏସଟିଏଫ୍ ଟିମ୍ ପଶ୍ଚିମବଙ୍ଗର ହାୱଡ଼ା ସ୍ଥିତ ଆନ୍ଦୁଲ ଅଞ୍ଚଳରେ ଥିବା ଜୟନ୍ତଙ୍କ ବାସଭବନରେ ଚଢ଼ାଉ କରିବା ସହ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରିଛି। ଏହା ସହିତ ସେମାନଙ୍କର ଜଣେ ସମ୍ପର୍କୀୟ ତଥା ହୋଟେଲର ବିଜନେସ୍ ପାର୍ଟନର ଅଭିଜିତଙ୍କୁ ମଧ୍ୟ ସାମିଲ କରି ପଚରାଉଚରା କରାଯାଉଛି । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଏସଟିଏଫ୍ ଏଯାବତ୍ ଦୀଘାର ପ୍ରାୟ ୫୦ରୁ ଅଧିକ ହୋଟେଲରେ ଖାନତଲାସୀ କରିସାରିଲାଣି। ଅଭିଯୁକ୍ତମାନେ ଧରାପଡ଼ିବା ଭୟରେ ବାଂଲାଦେଶ କିମ୍ବା ନେପାଳ ସୀମା ପାର୍ ହୋଇଯାଇଥାଇପାରନ୍ତି ବୋଲି ଏବେ ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଯେ, ପୁଅ ସୌମ୍ୟଦୀପଙ୍କ ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି ଏବଂ ସେ ୟୁପି ପୋଲିସ ଦ୍ୱାରା ମଧ୍ୟ ଗିରଫ ହୋଇସାରିଛନ୍ତି ।
ଅନ୍ୟପକ୍ଷରେ, ଉଦ୍ଧାର ହୋଇଥିବା ୫ଟି ଯାକ ଓରାଙ୍ଗଉଟାନ୍ ଛୁଆ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି ଏବଂ ଜ୍ୱର ମଧ୍ୟ କମିଛି। ଖୁବ୍ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟିର ତତ୍ତ୍ୱାବଧାନରେ ସେମାନଙ୍କର ଡିଏନଏ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି ।


Comments are closed.