Latest Odisha News

କଳାହାଣ୍ଡି କର୍ଲାପାଟ ହାତୀ ମୃତ୍ୟୁ ପ୍ରସଙ୍ଗ: ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମୀକ୍ଷା କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ ହାତୀ ମୃତ୍ୟୁ ରୋକିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ରାଜ୍ୟ ତଥା ଦେଶର ବିଶେଷଜ୍ଞଙ୍କ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଗାଁଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ଡିଏଫଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟ ଗୁଡିକୁ ବିଶୋଧନ କରିବା ସହ ନମୂନା ତୁରନ୍ତ ପରୀକ୍ଷା କରିବା ପାଇଁ ମଧ୍ୟ କହିଛନ୍ତି ।

ଗତ ଦୁଇ ସପ୍ତାହ ମଧ୍ୟରେ ଏହି ଅଭୟାରଣ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଶେଷଜ୍ଞ ମାନଙ୍କ କହିବା କଥା ହାତୀଗୁଡିକ ଏକ ପ୍ରକାର ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇ ହେମୋରଜିକ୍ ସେପ୍ଟିମିଆ ରୋଗରୁ ମୃତ୍ୟୁବରଣ କରିଛନ୍ତି ।

ହାତୀମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ରେଞ୍ଜ୍ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଦୁଇଟି ଜୋନ୍‌କୁ ନେଇ ୧୦ଟି ଟିମ୍ ଗଠନ କରାଯାଇଛି । ଜଂଗଲ ବିଭାଗ ଓ ପଶୁସଂପଦ ବିଭାଗରୁ ଦୁଇଟି ରାଜ୍ୟସ୍ତରୀୟ ବିଶେଷଜ୍ଞ ଟିମ୍ ଗଠନ କରାଯାଇ ପରିସ୍ଥିତିକୁ ଆକଳନ କରାଯିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି । ଅଭୟାରଣ୍ୟ ଓ ତାର ଆଖପାଖ ଗାଁ ଗୁଡିକରେ ଗୃହପାଳିତ ପଶୁଗୁଡିକର ଟୀକାକରଣ କରାଯାଉଛି।

ପ୍ରଜେକ୍ଟ ଏଲିଫ୍ୟାଣ୍ଟ ଆଇଜି ଏବଂ ଓଫ୍ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକଙ୍କ ନିକଟକୁ ଓଡିଶାର ଏକ ଟିମ୍ ପଠାଇ ପ୍ରତିରୋଧକ ବ୍ୟବସ୍ଥା ଓ ପରାମର୍ଶ ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.