Latest Odisha News

ଏସ୍‌ସିବିର ହେବ ନବକଳେବର; କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଥଇଥାନ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଏସ୍‌ସିବି ମେଡିକାଳର ନବକଳେବର ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ ସରକାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏସ୍‌ସିବି ମେଡିକାଲକୁ ୩ହଜାର ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବେ ବିକାଶ କରିବା ପାଇଁ ନିଷ୍ପତି ହୋଇଛି । ତେବେ ଏହାର ସମ୍ପ୍ରସାରଣ ବେଳେ ହେବାକୁ ଥିବା କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ୟାକେଜରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ସହାୟତା ପ୍ରଦାନ କରାଯିବ ।

ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଓ ଜରୁରୀ ବ୍ୟବସ୍ଥା ପାଇଁ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ଏହି ଟଙ୍କା ୨ଟି କିସ୍ତିରେ ଦିଆଯିବ । ଆରମ୍ଭରୁ ଗୋଟିଏ କିସ୍ତି ମିଳିବ ଓ ପରେ ଜମି ଖାଲି କରିବା ପରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ଘୋଷଣା କରାଯାଇଛି ।

ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ମିଳିବ । ପ୍ରତି ପରିବାର ପାଇଁ ୨୨୫ ବର୍ଗଫୁଟର ପ୍ଲଟରେ ଅସ୍ଥାୟୀ ଭାବେ ନିଜ ଖର୍ଚ୍ଚରେ ଗୃହ ନିର୍ମାଣ କରିବାକୁ ଲାଇସେନ୍ସ ଦିଆଯିବ । ଅସ୍ଥାୟୀ ଗୃହରେ ଆଶ୍ରିତ ଲୋକଙ୍କୁ ୮ ଦିନ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ । ସ୍ଥାନାନ୍ତର ଲୋକଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ ।

ସିଏମ୍‌ସି ରେଜିଷ୍ଟର ଭୁକ୍ତ ଦୋକାନୀ ଏବଂ ମାଛ ବିକ୍ରେତାଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ଦିଆଯିବ । ସେହିପରି ଅନଧିକୃତ ଦୋକାନ ଘର ପାଇଁ ୩୦ ହଜାର ଟଙ୍କା ଘୋଷଣା ହୋଇଛି । ଉଠା ଦୋକାନୀଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯିବ । ଅନ୍ୟପଟେ ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଗାଇ ଗୁହାଳ ସ୍ଥାନାନ୍ତର ପାଇଁ ୨୦ ହଜାର ଟଙ୍କା ଦିଆଯିବ ।

ତେବେ ଖାଲି ବାହାର ଲୋକଙ୍କୁ ନୁହେଁ ସରକାରୀ କ୍ୱାର୍ଟର୍ସ ଖାଲି କରୁଥିବା ଲୋକଙ୍କୁ ମଧ୍ୟ ସହାୟତା ମିଳିବ । ନୂଆ କ୍ୱାଟର୍ସ ମିଳିବା ଯାଏ ସରକାରୀ କର୍ମଚାରୀଙ୍କ ଘର ଭଡା ସରକାର ବହନ କରିବେ । ଏଥିସହ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯିବ । ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ ହଜାର ଟଙ୍କା ସହାୟତା ମିଳିବ ।

ହିପରି ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭ ହଜାର ୫ଶହ ଟଙ୍କା, ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର, ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫ଶହ ଟଙ୍କା ସହାୟତା ପ୍ରଦାନ କରାଯିବ । ତେବେ ଏହି ସହାୟତା ୧୨ ମାସ କିମ୍ବା ନୂଆ କ୍ୱାର୍ଟର୍ସ ମିଳିବା ଯାଏ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.