Latest Odisha News

BREAKING NEWS

ସତର୍କ ରହିବାରେ ଢିଲା କରନ୍ତୁ ନାହିଁ, ସଟ୍ ଡାଉନ ମାନନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲକ୍‌ଡାଉନ କେତେକାଂଶରେ କୋହଳ ହୋଇଥିବା ବେଳେ ସମସ୍ତେ ସତର୍କ ଓ ସାବଧାନ ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ଏବଂ
ଏହା ଆମକୁ ଓ ଆମ ପରିବାରକୁ ସୁରକ୍ଷିତ ରଖିପାରିବ ବୋଲି ସେ କହିଛନ୍ତି ।

ଲକ୍‌ଡାଉନ କୋହଳ ହେବାର ଅର୍ଥ ନୁହେଁ ଯେ, କରୋନା ବିପଦ ଟଳିଗଲା । ପୂର୍ବରୁ ଜୁନ ମାସ କରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିବା ମନେ ପକାଇ ସମସ୍ତଙ୍କୁ ସତର୍କ ଓ ସାବଧାନ ରହିବାକରୁ ଅନୁରୋଧ କରିଛନ୍ତି ।

ରାଜ୍ୟକୁ ଫେରୁଥିବା ପ୍ରାୟ ୫ ଲକ୍ଷ ପ୍ରବାସୀ ଓଡିଆଙ୍କ ସହିତ କରୋନା ମୁକାବିଲା ଉପରେ ପଡୁଥିବା ପ୍ରଭାବ ୧୫ରୁ ୨୦ ଦିନ ମଧ୍ୟରେ କମିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ମୌସୁମୀ ବର୍ଷା ଆରମ୍ଭ ହେବା ସହିତ ସାଧାରଣତଃ ଥଣ୍ଡା, କାଶ, ଜ୍ୱର ଭଳି ରୋଗ ଦେଖାଦେଉଥିବାରୁ ଆସନ୍ତା ୨୫ ଦିନ ଉପରେ ଓଡିଶାର କରୋନା ମୁକାବିଲା ସଫଳତା ନିର୍ଭର କରୁଛି ବୋଲି ସେ କହିଛନ୍ତି ।

କରୋନା ସଂକ୍ରମଣ ଅଧିକ ରହିଥିବା ୧୧ଟି ଜିଲ୍ଲାରେ ମାସେ ପାଇଁ ସପ୍ତାହର ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରାଯାଇଛି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏହି ସଟ୍‌ଡାଉନ ନିୟମ ମାନିବା ଜରୁରୀ । ଏଥି ସହିତ ପ୍ରତିଦିନ ସନ୍ଧ୍ୟା ୭ଟାରୁ ଭୋର ୫ଟା ଯାଏଁ ଲାଗୁ ହେଉଥିବା କର୍ଫ୍ୟୁ ସମସ୍ତେ ମାନିଲେ ଏବଂ ବାହାରକୁ ନ ବାହାରିଲେ ସଂକ୍ରମଣ କମି ପାରିବ ବୋଲି ସେ କହିଛନ୍ତି ।

ଏହି ସମ୍ପର୍କରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କେତେକ ସତର୍କତା ମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯେପରିକି ଘରେ ରୁହନ୍ତୁ, ଜରୁରୀ କାମ ନ ଥିଲେ ଆଦୌ ବାହାରକୁ ଯାଆନ୍ତୁ ନାହିଁ । ବାହାରକୁ ବାହାରିବା ମାତ୍ରେ ମୁହଁରେ ମାସ୍କ ନିଶ୍ଚୟ ଲଗାନ୍ତୁ କାରଣ ଠିକ୍ ଭାବରେ ମାସ୍କ ଲଗାଇଲେ କରୋନା ସଂକ୍ରମଣ ସଂଭାବନା ପ୍ରାୟ ୯୦ ପ୍ରତିଶତ କମିଯିବ ।

ଏଥି ସହିତ ହାଟ, ବଜାର, ଅଫିସ ବା ଟ୍ରାଫିକ ସବୁଠାରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ବାହାରୁ ଘରକୁ ଫେରିବା ପରେ ଭଳଭାବେ ସାବୁନରେ ୨୦ ସେକେଣ୍ଡ ଯାଏଁ ନିଶ୍ଚିତ ଭାବେ ହାତ ଧୋଇବା ପାଇଁ ନବୀନ କହିଛନ୍ତି । ବିଶେଷ ସତର୍କତା ପୂର୍ବକ ୬୫ ବର୍ଷରୁ ଅଧିକ ବୟସର ଲୋକ, ଗର୍ଭବତୀ ମହିଳା ଓ ୧୦ବର୍ଷରୁ କମ ବୟସର ପିଲାଙ୍କୁ ବାହାରକୁ ନ ଛାଡିବା ପାଇଁ ସେ କହିଛନ୍ତି ।

ନିଜେ ସତର୍କ ରହି ଦୁଇ ମାସ ଧରି କଷ୍ଟସହି ଲକ୍‌ଡାଉନ ପାଳନକୁ ବିଫଳ ହେବାକୁ ନ ଦେବା ପାଇଁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ନିୟମ ମାନିଲେ ଆମେ ନିଶ୍ଚିତ ଭାବେ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.