ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାକୁ ନେଇ ଗତ କିଛି ଦିନ ଧରି ରାଜ୍ୟର ଚାଷୀକୂଳ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱ ଓ ଅସନ୍ତୋଷର ଆଜି ଅବସାନ ଘଟିଛି। ରାଜ୍ୟ ସରକାରଙ୍କ ଆଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀଙ୍କ ମନରେ ଥିବା ଆଶଙ୍କାକୁ ଦୂର କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଶନିବାର ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ମଧ୍ୟ ଧାନ ସଂଗ୍ରହ ପାଇଁ ପୁରୁଣା ‘ପି-ପାସ୍’ ପଞ୍ଜୀକରଣ ବ୍ୟବସ୍ଥା ବଳବତ୍ତର ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଆଗ୍ରିଷ୍ଟାକର କୌଣସି ସିଧାସଳଖ ସମ୍ପର୍କ ‘ପି-ପାସ୍’ ବ୍ୟବସ୍ଥା ସହିତ ନାହିଁ। ତେଣୁ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଆଗ୍ରିଷ୍ଟାକ୍ ରେ ପଞ୍ଜୀକରଣ କରିନାହାନ୍ତି କିମ୍ବା ସେମାନଙ୍କର ପଞ୍ଜୀକରଣ ସ୍ଥିତି ଯାହା ବି ଥାଉ ନା କାହିଁକି, ଧାନ ବିକ୍ରି କରିବାରେ ସେମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହି ପ୍ରସଙ୍ଗରେ ଚାଷୀମାନେ ଆଦୌ ବ୍ୟସ୍ତ କିମ୍ବା ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ପୂର୍ବ ବର୍ଷଗୁଡ଼ିକ ଭଳି, ଚଳିତ ବର୍ଷ ମଧ୍ୟ ପି-ପାସ୍ ପଞ୍ଜୀକରଣ ମାଧ୍ୟମରେ ହିଁ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କରିବେ।
ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଧାନ କିଣା ପଞ୍ଜୀକରଣ ପ୍ରକ୍ରିୟାରେ ତ୍ରୁଟି ଏବଂ ଜଟିଳତା ନେଇ ଅଭିଯୋଗ ଆସୁଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି ହୋଇଥିଲା। ତେବେ ରାଜ୍ୟ ସରକାର ଏହି ସମସ୍ୟା ଉପରେ ଗୁରୁତ୍ୱର ସହ ବିଚାରବିମର୍ଶ କରିଥିବା ଏବଂ ଚାଷୀଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଗାମୀ ଧାନ କିଣା ଋତୁ ପୂର୍ବରୁ ସରକାରଙ୍କ ଏହି ସ୍ପଷ୍ଟୀକରଣ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଏକ ବଡ଼ ଆଶ୍ୱାସନା ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
