ରଥ କର୍ଡନ୍ ଭିତରକୁ ଗଲେ ତଡ଼ିବ ପୋଲିସ୍! ଆଉ ବଣ୍ଟା ହେବନି ଅତିରିକ୍ତ ପାସ୍, ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆକ୍ସନ୍
ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରଥ ନିକଟରେ ଅଯଥା ଭିଡ଼ ଯୋଗୁଁ ଉପୁଜୁଥିବା ବିଶୃଙ୍ଖଳାକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ରଥ ଚାରିପାଖେ ଥିବା ଇନର୍ କର୍ଡନ୍ (ଭିତର ବଳୟ) ପାଇଁ ଆଉ କୌଣସି ପ୍ରକାରର ଅତିରିକ୍ତ ‘କର୍ଡନ୍ ପାସ୍’ ବଣ୍ଟାଯିବ ନାହିଁ ବୋଲି ଘୋଷଣା କରାଯାଇଛି।
ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା ବୈଠକରେ ପୋଲିସ ଓ ପ୍ରଶାସନ ପାଇଁ ଏକ ୧୦-ଦଫା ନିର୍ଦ୍ଦେଶନାମା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଇନର୍ କର୍ଡନ୍ ପାସ୍ କେବଳ ମାତ୍ର ନିଯୁକ୍ତି ପାଇଥିବା କର୍ତ୍ତବ୍ୟରତ ସେବାୟତ ଏବଂ ଜରୁରୀକାଳୀନ ଅଧିକାରୀଙ୍କୁ ହିଁ ପ୍ରଦାନ କରାଯିବ। ପୂର୍ବ ନିର୍ଦ୍ଧାରିତ ସୀମା ବାହାରେ ଗୋଟିଏ ହେଲେ ବି ଅତିରିକ୍ତ ପାସ୍ କାହାକୁ ଦିଆଯିବ ନାହିଁ।” ଏହାକୁ କଡ଼ାକଡ଼ି ପାଳନ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ସେ ସ୍ୱତନ୍ତ୍ର ଭାବେ ତାଗିଦ୍ କରିଛନ୍ତି। ଯଦି କୌଣସି ବ୍ୟକ୍ତି ବିନା ପାସ୍ରେ କିମ୍ବା ବେଆଇନ ଭାବେ ରଥର କର୍ଡନ୍ ନିକଟରେ ପ୍ରବେଶ କରନ୍ତି, ତେବେ ପୋଲିସ ପ୍ରଶାସନ ସେମାନଙ୍କୁ ବିନମ୍ରତାର ସହ ସେଠାରୁ ତୁରନ୍ତ ତଡ଼ିଦେବାକୁ ବା ବାହାର କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତବର୍ଷର ଅଭିଜ୍ଞତାକୁ ଆଖିଆଗରେ ରଖି ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। କ୍ରାଉଡ୍ ମ୍ୟାନେଜମେଣ୍ଟକୁ ଅଧିକ ସୁଦୃଢ଼ କରିବା ପାଇଁ ଏଥର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଡ୍ରୋନ୍ କ୍ୟାମେରାର ବ୍ୟବହାର କରାଯିବ। କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ୨୪ ଘଣ୍ଟିଆ ସିସିଟିଭି ଫୁଟେଜ୍ ଉପରେ ତୀକ୍ଷ୍ଣ ନଜର ରଖିବା ସହ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ ପୋଲିସକୁ କୁହାଯାଇଛି। କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ବା ଗୁଜବକୁ ରୋକିବା ପାଇଁ ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ କରାଯାଇଛି।
ରଥଯାତ୍ରା ସମୟରେ ପୁରୀ ସହରରେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା, ଜରୁରୀକାଳୀନ ଚିକିତ୍ସା ସେବା, ଆମ୍ବୁଲାନ୍ସ ଯାତାୟାତ ପାଇଁ ଫ୍ରି-କରିଡର୍ ଏବଂ ପାନୀୟ ଜଳ ଭଳି ମୌଳିକ ସେବା ଯୋଗାଇଦେବା ପ୍ରଶାସନର ପ୍ରାଥମିକତା ହେବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଗୋଟିଏ ଆଧ୍ୟାତ୍ମିକ ଏବଂ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, “ପ୍ରଭୁ ଜଗନ୍ନାଥ ପ୍ରତ୍ୟେକଙ୍କ ହୃଦୟରେ ଅଛନ୍ତି। ସାରା ବିଶ୍ୱର ନଜର ଏହି ମହାପର୍ବ ଉପରେ ରହିଛି। ରଥଯାତ୍ରାକୁ ସୁରକ୍ଷିତ ଏବଂ ସଫଳ କରିବା କେବଳ ଏକ ସରକାରୀ କାର୍ଯ୍ୟ ନୁହେଁ, ବରଂ ଏହା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ପ୍ରତ୍ୟେକ ଅଧିକାରୀ ନିଜକୁ କେବଳ କର୍ମଚାରୀ ନଭାବି, ମହାପ୍ରଭୁଙ୍କ ସେବକ ଭାବେ ନିଷ୍ଠାର ସହ ଏହି ସେବା କାର୍ଯ୍ୟକୁ ତୁଲାଇବା ଉଚିତ୍।”