Latest Odisha News

BREAKING NEWS

ବାତ୍ୟା ବୁଲବୁଲ୍: ସ୍ଥିତି ସମୀକ୍ଷା କରି କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିବା ପରେ ଲୋକସେବା ଭବନ ଠାରେ ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି।

ସ୍ଥିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ ସହ ଏ ସଂପର୍କରେ ଆଲୋଚନା କରି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରି ୧୮ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଓ ୨୪ ସୁଦ୍ଧା ସହାୟତା ବଣ୍ଟନ କରିଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜର ଜିଲ୍ଲାପାଳ ଉପସ୍ଥିତ ଥିଲେ। ଏଥି ସହ ଜିଲାସ୍ତରୀୟ ଅଧିକାରୀ ଓ ଆରଡିସି ସେଣ୍ଟ୍ରାଲ ଡ଼ିଭିଜନ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା, ବିପର୍ଯ୍ୟୟ ପରିଚାଳନା ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ଖାଦ୍ୟ ଯୋଗାଣ ସଚିବ ବି.ବି ଯାଦବ, ସେସୁ ସିଏମଡି ଅରୁଣ ବୋଥ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୁଲବୁଲ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜରେ କହା ପାଇଁ କଣ ରହିଛି:

ଅଣସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲ କ୍ଷତିରେ କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮ଶହ ଟଙ୍କାର ଇନପୁଟ୍‌ ସବ୍‌ସିଡି ଜଳ ସେଚିତ ଜମିରେ ହେକ୍ଟର ପିଛା ୧୩,୫୦୦ ଟଙ୍କା ସବସିଡି ଓ ସବୁ ଦିନିଆ ଫସଲ ପାଇଁ ୧୮ ହଜାର ଟଙ୍କା ପ୍ରଦାନ କରାଯିବ ।

କୌଣସି କ୍ଷେତ୍ରେରେ ସବୁଦିନିଆ ଫସଲ କ୍ଷତି ପାଇଁ ଇନ୍‌ପୁଟ୍‌ ସବସିଡିର ପରିମାଣ ୨ ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ଏକ ହଜାର ଟଙ୍କାରୁ କମ୍‌ ହେବ ନାହିଁ ।

ରବି ଫସଲ ପାଇଁ ୨୦୧୯-୨୦ କ୍ଷତି ଗ୍ରସ୍ତ ଚାଷୀ ପାଇଁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ମିନିକିଟ୍‌ ପ୍ରଦାନ କରାଯିବ ।

କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ୩ ହଜାର ସ୍ପେୟର ପ୍ରଦାନ କରାଯିବ ।

୧୦ ହଜାର ପରିବା କିଟ୍‌ ପ୍ରଦାନ କରାଯିବ ।

୫୦ ୟୁନିଟ୍‌ କ୍ଷତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ ।

୩୦ ୟୁନିଟ ପର୍ଯ୍ୟନ୍ତ ପାନ ବରଜ କ୍ଷତି ପାଇଁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯିବ ।

ଫସଲବୀମା ଯୋଜନାର ସୁବିଧା ଚାଷୀଙ୍କୁ ଖୁବ୍‌ ଶୀଘ୍ର ଦେବା ପାଇଁ ଫସ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ତୁରନ୍ତ ଚୂଡାନ୍ତ କରାଯିବ ।

୩୩ ପ୍ରତିଶତ କ୍ଷତି ହୋଇଥିବା ରବି ଫସଲ ଚାଷୀଙ୍କ ଋଣକୁ ଦୀର୍ଘ ମିଆଦି କରାଯିବ ।

କ୍ଷୀର ଦେଉଥିବା (ଗାଈ ମଇଁଷି) ପ୍ରତି ପ୍ରାଣୀଙ୍କ ପାଇଁ ୩୦ ହଜାର ଟଙ୍କା ଓ କ୍ଷୀର ଦେଉ ନଥିବା ପ୍ରାଣୀଙ୍କ ପାଇଁ ୨୫ ହଜାର ଟଙ୍କା (୩ଟି ପ୍ରାଣୀଙ୍କ ପାଇଁ) । ବାଛୁରୀ ପାଇଁ ୧୬ ହଜାର ଟଙ୍କା (୬ଟି), ଛେଳି ମେଣ୍ଢା ପାଇଁ ୩ ହଜାର ଟଙ୍କା (୩୦ଟି ପ୍ରାଣୀ) , କୁକୁଡା ପାଇଁ ମୁଣ୍ଡ ପିଛା ୫୦ ଟଙ୍କା (ସର୍ବାଧିକ ୫ ହଜାର ଟଙ୍କା) ଦିଆଯିବ ।

ମାଛ ଚାଷୀଙ୍କୁ ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କା, ଇନ୍‌ପୁଟ୍‌ ସବସିଡି ଭାବରେ ୮୨୦୦ ଟଙ୍କା ପ୍ରଦାନ କରାଯିବ ।

ଅନ୍ୟପଟେ ବାତ୍ୟା ବୁଲ୍‌ବୁଲ୍‌ ପରେ ଓଡ଼ିଶାର କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ଚଳିତ ମାସ ୧୪ ତାରିଖରେ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

Leave A Reply

Your email address will not be published.