Latest Odisha News

BREAKING NEWS

ଯାଜପୁରର ଚଣ୍ଡିଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ୧ମ ରୁରାଲ୍ କ୍ୟାମ୍ପସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର/ଚଣ୍ଡିଖୋଲ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ୧ମ ଗ୍ରାମାଞ୍ଚଳ କ୍ୟାମ୍ପସ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସୁଙ୍ଗୁଡ଼ା ପଞ୍ଚାୟତରେ ଏକ ଖେଳପଡ଼ିଆ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ନୂଆ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ।

ଏହି ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ରେଜିଷ୍ଟ୍ରାର ଦୟାନିଧି ନାୟକ ଏବଂ ଗ୍ରାମାଞ୍ଚଳ କ୍ୟାମ୍ପସର ଓଏସଡ଼ି ପ୍ରଫେସର ଜଜେ୍ଞଶ୍ୱର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଉନ୍ନୟନ କାଉନସିଲ ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ ଶତପଥୀଙ୍କ ସୂଚନାନୁଯାୟୀ, ପ୍ରାଥମିକ ଭାବେ ଏଠାରେ ୨ଟି କୋର୍ସ ଯଥା ଏମଏ ଇନ ପବ୍ଲିକ ହେଲଥ ଓ ଏମବିଏ ଇନ ରୁରାଲ୍ ମ୍ୟାନେଜମେଣ୍ଟ ବିଭାଗରେ ଅଧ୍ୟୟନ ହେବ । ପ୍ରତ୍ୟେକ କୋର୍ସ ଲାଗି ୨୪ଟି ସିଟ ଏବଂ ସମୁଦାୟ ୪୮ଟି ସିଟ ଉପଲବ୍ଧ ରହିଛି ।

ରାଜ୍ୟ ସରକାର ଏହି ଅସ୍ଥାୟୀ କ୍ୟାମ୍ପସ ଲାଗି ୨.୨୦ କୋଟି ଟଙ୍କା ବ୍ୟୟ ମଞ୍ଜୁରୀ କରିଥିବା ବେଳେ ସ୍ଥାୟୀ କ୍ୟାମ୍ପସ ସମ୍ପୂଣ୍ଣ ହେବାକୁ ମୋଟ ୧୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବାର ସୂଚନା ହସ୍ତଗତ ହୋଇଛି । ତେବେ ଏହାର ଏହି ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ୨୦୨୦ ମସିହା ବେଳକୁ ସମ୍ପୂର୍ଣ୍ଣ ହୋଇଯିବ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ତାଙ୍କର ଏହି ଯାଜପୁର ଜିଲ୍ଲା ଗସ୍ତ ଅବସରରେ ୧୦୯ କୋଟିରୁ ଅଧିକ ଟଙ୍କାର ୫ଟି ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଜନହିତକାରୀ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି – ବଡ଼ଚଣା ଅନ୍ତର୍ଗତ ବାଲିଚନ୍ଦ୍ରପୁର ରାସ୍ତାରେ ବଡ଼ଗେଙ୍ଗୁଟି ନଦୀ ଉପରେ ହାଇଲେଭଲ୍ ସେତୁ, ସୁକଦେଇପୁର ଅନ୍ତର୍ଗତ ତିହକରଣ୍ଡା ରାସ୍ତାରେ ସାନଗେଙ୍ଗୁଟି ନଦୀ ହାଇଲେଭଲ୍ ସେତୁ, ବାଇଶିମୌଜା ଧନଞ୍ଜୟ ବିଦ୍ୟାପୀଠ ୧୦୦ ମିଟର ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲ, ବଡ଼ଚଣା ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସ୍ତମ୍ଭ ଏବଂ ଚଣ୍ଡିଖୋଲଠାରେ ଜିଲ୍ଲା ଅଡ଼ିଟ୍ କାର୍ଯ୍ୟାଳୟର ଶୁଭ ଉଦଘାଟନ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୩ କୋଟି ୪୯ ଲକ୍ଷ ଟଙ୍କାର ୮ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଜନହିତକାରୀ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବନ୍ଦାଳୋର ଏଣ୍ଡରପଡ଼ା ରାସ୍ତା ଉନ୍ନତିକରଣ, ଲଳିତଗିରି ଉଦୟଗିରି ରତ୍ନଗିରି ରାସ୍ତା ଉନ୍ନତିକରଣ ସାନଗେଙ୍ଗୁଟି ନଦୀ ବନ୍ଧ ସୁରକ୍ଷା ପ୍ରକଳ୍ପ, ବାଲିଚନ୍ଦ୍ରପୁର ଗ୍ରୀଡ଼ ସବଷ୍ଟେସନ ଏବଂ ଭୁବନପୁରର ଜଗନ୍ନାଥପୁର ରାସ୍ତା ସାନଗେଙ୍ଗୁଟି ନଦୀ ହାଇଲେଭଲ୍ ସେତୁ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ ।

Leave A Reply

Your email address will not be published.