KG to PG Free Education: ରାଜ୍ୟରେ KG ରୁ PG ପିଲା ପଢିବେ ମାଗଣା ପାଠ, ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
ଭୁବନେଶ୍ୱର: ଓଡ଼ିଶାରେ କିଣ୍ଡରଗାର୍ଡେନ୍ (KG) ଠାରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ମାଗଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି। ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବଡ଼ ଘୋଷଣା କରିଛନ୍ତି । ଯାହା ଲକ୍ଷ ଲକ୍ଷ ଗରିବ ଏବଂ ଅସହାୟ ପରିବାରର ପିଲାଙ୍କୁ ଉପକୃତ କରିବ । ଏବେ ସଭିଏଁ ପଢିବେ ଏବଂ ସଭିଏଁ ବଢିବେ ।
ଏହି ଐତିହାସିକ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଛାତ୍ରଛାତ୍ରୀମାନଙ୍କୁ ଯେପରି ଶିକ୍ଷାରୁ ବଞ୍ଚିତ ହେବାକୁ ନ ପଡ଼େ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ଫଳରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଅର୍ଥାଭାବର ଚିନ୍ତା ବିନା ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନୀତି କାର୍ଯ୍ୟକାରୀ ହେଲେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ, ଯେଉଁଠାରେ KG ରୁ PG ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ହେବ।
ସେ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୨୧ଟି ଜନକଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମାଞ୍ଚଳରେ ବିଦ୍ୟୁତ, ପାନୀୟ ଜଳ ଏବଂ ସଡ଼କ ଭଳି ମୌଳିକ ସୁବିଧା ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମତାନୁସାରେ, ଏହି ମାଗଣା ଶିକ୍ଷା ନୀତି ପରିବାରମାନଙ୍କ ଆର୍ଥିକ ଭାର କମାଇବା ସହ ରାଜ୍ୟର ଯୁବପିଢ଼ିକୁ ସଶକ୍ତ କରିବ ଏବଂ ଓଡ଼ିଶାର ଦୀର୍ଘମିଆଦି ବିକାଶରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ପୁନର୍ବାର କହିଛନ୍ତି ଯେ ତାଙ୍କ ସରକାରଙ୍କ ଲକ୍ଷ୍ୟ ହେଉଛି ଶିକ୍ଷାକୁ ସମସ୍ତଙ୍କ ପାଇଁ ଅଧିକାର କରିବା, କିଛି ଲୋକଙ୍କ ପାଇଁ ସୁବିଧା ନୁହେଁ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ରାଜ୍ୟର ଯୁବପିଢ଼ିର ମୂଳଦୁଆକୁ ମଜବୁତ କରିବ ଏବଂ ଦୀର୍ଘକାଳୀନ ବିକାଶରେ ଯୋଗଦାନ ଦେବ।
Comments are closed.