ନୂଆଦିଲ୍ଲୀ: ବଙ୍ଗ ଗଡ ହାତରୁ ଗଲା ପରେ ଏବେ ଦିଦିଙ୍କ ତୃଣମୂଳ କଂଗ୍ରେସ ସବୁଠାରୁ ବିପର୍ଯ୍ୟୟର ସାମ୍ନା କରୁଛି । ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବାର କାରଣ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ବୋଲି କହି ଜଣକ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି । ଏହି ବିଦ୍ରୋହର ନିଆଁ ଏବେ ଟିଏମସିକୁ ଖଣ୍ଡଖଣ୍ଡ କରିଥିବା ବେଳେ ରାଜ୍ୟ ପରେ ଦିଲ୍ଲୀରେ ଏବେ ଦଳ ଦୁଇ ଭାଗ ହେବାକୁ ଯାଉଛି । ଗତ ୨ ଦିନ ମଧ୍ୟରେ ମମତା ବାନାର୍ଜିଙ୍କ ହାତ ଛାଡିଲେଣି ୩ ସାଂସଦ । ଆଉ ମମତୋଙ୍କ ଘନିଷ୍ଠ ବନ୍ଧୁ କଲ୍ୟାଣ ବାନାର୍ଜି ମଧ୍ୟ ତାଙ୍କୁ ଶେଷ ଚେତାବନୀ ଦେଇଛନ୍ତି । ଆଉ କୁହାଯାଉଛି ସଂସଦର ଉଭୟ ଗୃହରେ ପ୍ରାୟ ୧୯ ରୁ ୨୦ ଟିଏମସି ସାଂସଦ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାହା ଏବେ ମମତାଙ୍କୁ ଚିନ୍ତାରେ ପକାଇଛି ।
ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ, ବର୍ତ୍ତମାନ ସବୁଠାରୁ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ଦଳ ଭିତରେ ବିଧାୟକ ଏବଂ ସାଂସଦଙ୍କ ବିଦ୍ରୋହ ମଧ୍ୟରେ, ଆସାନସୋଲର ଲୋକସଭା ସାଂସଦ ତଥା ପ୍ରବୀଣ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ତୀବ୍ର ହୋଇଛି। ତଥାପି, ‘ବିହାରୀ ବାବୁ’ ଏବେ ଏହି ସମସ୍ତ ଆଲୋଚନା ଉପରେ ନିଜର ନୀରବତା ଭାଙ୍ଗି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଦିଦିଙ୍କ ଛଡା ସେ ଆଉ କାହାକୁ ଜାଣନ୍ତି ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ।
ତେବେ ପୂରା ଆଲୋଚନା ସେତେବେଳେ ଜୋର୍ ଧରିଥିଲା ଯେତେବେଳେ ଶତୃଘ୍ନ ସିହ୍ନା ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପାଇଁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ତାଙ୍କୁ ଦେଶର “ପଥପ୍ରଦର୍ଶକ” ଏବଂ ତାଙ୍କର ବନ୍ଧୁ ବୋଲି କହିଥିଲେ। ତାଙ୍କର ଏହି ପୋଷ୍ଟ ସେ ଟିଏମସି ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଉଛନ୍ତି ବୋଲି ଚର୍ଚ୍ଚାକୁ ଜୋର୍ ଇନ୍ଧନ ଦେଇଥିଲା ।
ହେଲେ ସବୁ କଳ୍ପନାଜଳ୍ପନାକୁ ଖାରଜ କରି ଶତ୍ରୁଘ୍ନ ସିହ୍ନା କହିଛନ୍ତି, “ଗତ କିଛି ଦିନ ଧରି ମୋ ବିଷୟରେ ଅନେକ ଗୁଜବ ପ୍ରସାରିତ ହେଉଛି। କିଛି ଲୋକ ଦାବି କରୁଛନ୍ତି ଯେ ମୁଁ ବିଦ୍ରୋହୀ ଗୋଷ୍ଠୀ ସହିତ ଅଛି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଯେତେବେଳେ ମୁଁ ଏକ କଷ୍ଟକର ସମୟ ଦେଇ ଗତି କରୁଥିଲି, ମମତା ଜୀ ମୋ ସହିତ ଠିଆ ହୋଇଥିଲେ। ଆଜି, ଯେତେବେଳେ ତାଙ୍କ ଦଳ ଏକ କଷ୍ଟକର ସମୟ ଦେଇ ଗତି କରୁଛି, ମୁଁ ତାଙ୍କୁ ଛାଡି ପାରିବି ନାହିଁ।” ଏଥିସହିତ ଦଳ ଭିତରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ଅଭିଷେକ ବାନାର୍ଜୀଙ୍କୁ ନେଇ ବଢ଼ୁଥିବା ଅସନ୍ତୋଷ ଉପରେ ଶତ୍ରୁଘ୍ନ ସିହ୍ନା ତାଙ୍କ ବିଶେଷ ଶୈଳୀରେ କହିଥିଲେ ଯେ ମତଭେଦ ଥାଇପାରେ, କିନ୍ତୁ ମନାନ୍ତର ନୁହେଁ। ମୁଁ ସବୁବେଳେ କହୁଛି ଯେ ଯଦି ସତ କହିବା ବିଦ୍ରୋହ, ତେବେ ହଁ, ମୁଁ ମଧ୍ୟ ଜଣେ ବିଦ୍ରୋହୀ। କିନ୍ତୁ ଦଳରେ ମୁଁ କାହା କଥା ଶୁଣେନାହିଁ । ମମତା ହେଉଛନ୍ତି ମୋ ନେତା ମୁଁ ତାଙ୍କ କଥା ଶୁଣେ । ମୁଁ ସବୁବେଳେ ସ୍ପଷ୍ଟ ଭାବରେ କହି ଆସିଛି, ମମତା ବାନାର୍ଜୀ ଏବଂ ଟିଏମସି ପ୍ରତି ମୋର ଆନୁଗତ୍ୟ ଅଟଳ ରହିଛି।”