Latest Odisha News

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ଭୁବନେଶ୍ବର : ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି ସାଇବର ଅପରାଧ । ଦେଶ ତଥା ଆମ ରାଜ୍ୟରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ନଜରକୁ ଆସୁଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସନ୍ଧାନ ଓ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଜ୍ଞାନ ଓ ଦକ୍ଷତାର ରହିଛି ଆବଶ୍ୟକତା । ତେଣୁ ସାଇବର ଅପରାଧ ତଥା ଏଥିରେ ଜଡିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ କିପରି ଉପଯୁକ୍ତ ନ୍ୟାୟ ପାଇବେ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖୋଲିବ ୧୧ଟି ସ୍ବତନ୍ତ୍ର ଥାନା । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ । ଏହା ଦ୍ବାରା ଏହି ଥାନାର ସଖ୍ୟା ୧୪ରେ ପହଞ୍ଚିଛି । କଟକ, ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ଏହି ସାଇବର ଥାନା ପ୍ରତିଷ୍ଠା ହେବ ।

ଏହି ଥାନାରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ସେମାନଙ୍କ ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍ଇନ୍ସପେକ୍ଟର, ୨୮ଟି ଏଏସ୍ଆଇ (ଯୋଗାଯୋଗ), ୨୮ଟି କନେଷ୍ଟବଳ (ଯୋଗାଯୋଗ) ଓ ୫୬ଟି କନେଷ୍ଟବଳ ପଦବୀ ଅନ୍ତର୍ଭୁକ୍ତ । ଏମାନଙ୍କ ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟ ଆନାଲିଷ୍ଟ, ଆଇଟି ବିଶେଷଜ୍ଞ ଓ ସାଇବର ଫରେନସିକ୍ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାରେ ନିୟୋଜିତ କରାଯିବ । ରାଜ୍ୟ ସଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବବ । ଏହାସହ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.