Latest Odisha News

BREAKING NEWS

ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମୁକାବିଲା ପ୍ରସ୍ତୁତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣକୁ ତ୍ୱରାନ୍ୱିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଓମିକ୍ରନ୍ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱରେ ଓମିକ୍ରନ ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ୮ଟି କେସ୍‌ ଦେଖାଦେଇଛି । ଆଗାମୀ ସପ୍ତାହଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ ।
ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇ କହିଛନ୍ତି ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଅଭିଯାନ କରାଯାଉ ।

  • ଦ୍ୱିତୀୟ ଲହରି ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃକାର୍ଯ୍ୟକ୍ଷମ କରି ପ୍ରସ୍ତୁତ କରି ରଖାଯାଉ । ଏହାଦ୍ୱାରା ହସ୍‌ପିଟାଲଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ ।
  • ପିଲାମାନଙ୍କ ମଧ୍ୟରେ ଅଧିକ ହସ୍‌ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।
  • ପୋଲିସ ବିଭାଗ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ପ୍ରଥମ ଓ ଦ୍ୱିତୀୟ ଲହରିରେ ଯେଉଁଭଳି ଭଲ କାମ ହୋଇଥିଲା, ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ ।
  • ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ ।
  • ଜିଲ୍ଲାପାଳମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟ ମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ।
  • ହସ୍‌ପିଟାଲ ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ । ନୂଆ ଭାରିଏଣ୍ଟ ଖୁବ ଜୋରରେ ବ୍ୟାପୁଥିବାର ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ।
BSKY ସ୍ମାର୍ଟ ହେଲ୍‌ଥ କାର୍ଡ ସୂଚାରୁ ବଣ୍ଟନ ପାଇଁ ନିର୍ଦ୍ଦେଶ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ସ୍ମାର୍ଟ ହେଲ୍‌ଥ କାର୍ଡଗୁଡିକର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଏହି ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଛି । ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍‌.କେ ଶର୍ମା ରାଜ୍ୟରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇ ନଥିବା ସମସ୍ତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଅକ୍‌ସିଜେନ ପାଇଁ ୮୨ଟି PSA Plant ଓ ୧୫ଟି LMO Plant  କରାଯିବ। ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍‌ସିଜେନ୍‌ର ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ସେହିପରି କୋଭିଡ ହସ୍‌ପିଟାଲ ଗୁଡିକରେ ୬୬୮୪ଟି ବେଡ ରହିଛି ଏବଂ ପିଲାଙ୍କ ପାଇଁ ୧୧୯୪ଟି ବେଡ୍‌ ପ୍ରସ୍ତୁତ ହୋଇ ରହିଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଉପସ୍ଥାପନା ରଖି ସେ କହିଥିଲେ ଯେ, ଯୋଜନାରେ ଓଡିଶାର ୨୭୫ଟି ବେସରକାରୀ ହସ୍‌ପିଟାଲ ଅନୁବନ୍ଧିତ ହୋଇଛନ୍ତି । ୫୫ଟି ଜାତୀୟ ସ୍ତରର ହସ୍‌ପିଟାଲ ଖୁବ ଶୀଘ୍ର ଏହି ଯୋଜନାରେ ସେବା ଯୋଗାଇ ଦେବେ ବୋଲି ସେ କହିଥିଲେ । ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ସ୍ମାର୍ଟ କାର୍ଡ ପାଇସାରିଲେଣି ବୋଲି ସେ କହିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋଭିଡ ପ୍ରୋଟୋକଲ୍‌ ଅନୁପାଳନ ପାଇଁ  ପୋଲିସର ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଯୀ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକ ସହିତ BSKY ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ୱାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି,  ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ୱରାନ୍ୱିତ କରି ସମସ୍ତଙ୍କୁ  କାର୍ଡ ଦେବା ପାଇଁ ସେ କହିଥିଲେ ।

Leave A Reply

Your email address will not be published.