ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା: ଯୁବପୀଢ଼ିଙ୍କ ଉପରେ ନିବେଶ, ଭବିଷ୍ୟତ ଉପରେ ନିବେଶ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧି ଓ ଅନ୍ୟ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ଓ କରୋନା ଲଢେଇରେ ସହିଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୭୫ ବର୍ଷ ଗୋଟିଏ ଦେଶ ପାଇଁ, ଜାତି ପାଇଁ ବହୁତ ବଡ ସମୟ ନ ହେଲେ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି । ଭାରତର ଗଣତନ୍ତ୍ରକୁ ଆମର ସବୁଠାରୁ ବଡ ସଫଳତା ଭାବରେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
75th State Level Independence Day Celebration, #Odisha | 15th August, 2021 #IndependenceDay https://t.co/90hz8DKOfL
— Naveen Patnaik (@Naveen_Odisha) August 15, 2021
ମୁଖ୍ୟମନ୍ତ୍ରୀ କହିଛନ୍ତି, Investment in Youth is investment in future। ୪୦ ବର୍ଷର ବ୍ୟବଧାନ ପରେ ଭାରତୀୟ ହକି ଟୋକିଓ ଅଲମ୍ପିକ୍ସରେ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଖେଳାଳିଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଛନ୍ତି । ଭାରତୀୟ ହକି ଦଳକୁ ବିଶ୍ୱର ଶ୍ରେଷ୍ଠ ଦଳ ଭାବରେ ଗଢିତୋଳିବା ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୫T ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି । ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କୋଭିଡ ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ବାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । କୋଭିଡ୍ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍ସିଜେନ ନିରନ୍ତର ଭାବରେ ଯୋଗାଇ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଥିବାରୁ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଶାର ଗୌରବମୟ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରୁଛି । ସମସ୍ତଙ୍କ ସହଯୋଗରେ ଓଡିଶା ଆଗାମୀ ଦିନରେ ତାର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ବୋଲି ଦୃଢ ଆଶାବ୍ୟକ୍ତ ବି କରିଛନ୍ତି ।
Comments are closed.