Latest Odisha News

BREAKING NEWS

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ ଗାଇଡଲାଇନ ମାନିବାକୁ ଦେଲେ ଆହ୍ୱାନ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ ଗାଇଡ଼ଲାଇନକୁ ମାନିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ମହାମାରୀ ପ୍ରତି ଗାଁର ପ୍ରତି ବ୍ୟକ୍ତିକୁ ପ୍ରଭାବିତ କରିଛି । ଆମେ ଦୃଢ଼ତାର ସହ ଏହାର ମୁକାବିଲା କରିଛୁ । ଓଡ଼ିଶା କୋଭିଡକୁ ପ୍ରଥମ ରାଜ୍ୟ ଭାବେ ବିପର୍ଯ୍ୟୟ ଘୋଷଣା କରିଥିଲା। ରାଜ୍ୟରେ ଲକଡାଉନ ଘୋଷଣା କରିଥିଲା। କୋଭିଡ ସମୟରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି । କୋଭିଡ ମୁକାବିଲା ପାଇଁ ଓଡ଼ିଶା ପ୍ରଶଂସିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ସତ୍ତ୍ୱେ ମଧ୍ୟ ଗତବର୍ଷ ତୁଳନାରେ ୭.୩ ପ୍ରତିଶତ ରାଜସ୍ବ ସଂଗ୍ରହ ବଢ଼ିଛି। ଶ୍ରୀକ୍ଷେତ୍ର ପୁରୀ, ଏକାମ୍ର କ୍ଷେତ୍ର, ସମଲେଶ୍ବରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରା ତାରିଣୀର ବିକାଶ ପାଇଁ କାମ ହୋଇଛି। ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି । ଐତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପିର ନେତାମାନେ କକ୍ଷତ୍ୟାଗ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଆସନ୍ତା ସୋମବାର ସାଢ଼େ ୧୦ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ।

Leave A Reply

Your email address will not be published.