Latest Odisha News

BREAKING NEWS

ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର’ ପ୍ରତିଷ୍ଠା ପ୍ରସଙ୍ଗ: ଆବଶ୍ୟକୀୟ ଜମି ନିମନ୍ତେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଜଧାନୀ ଦିଲ୍ଲୀଠାରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ସ୍ଥାପନ ଲାଗି ଆବଶ୍ୟକୀୟ ଜମି ଯୋଗାଇଦେବାକୁ କେନ୍ଦ୍ରକୁ ଏନେଇ ଏକ ପତ୍ର ଲେଖିଛନ୍ତି ।

କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏହି ପତ୍ରରେ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଜନସାଧାରଣଙ୍କ ଏହା ଏକ ବହୁଦିନର ଦାବୀ ଏବଂ ଦିଲ୍ଲୀଠାରେ ଯେଉଁ ପ୍ରବାସୀ ଓଡ଼ିଆମାନେ ରହୁଛନ୍ତି ସେମାନେ ସେମାନଙ୍କର କଳା ଉତ୍କର୍ଷତା ତଥା ଟ୍ୟାଲେଣ୍ଟ ପ୍ରଦର୍ଶନ କରିବାକୁ ଏହା ଆବଶ୍ୟକ ହେଉଛି ।

“ରାଜଧାନୀ ଦିଲ୍ଲୀରେ ଅନେକ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରୁଛନ୍ତି । ବିଭିନ୍ନ ସାଂସ୍କୃତିକ ବିଭବତା ମଧ୍ୟରେ ଓଡ଼ିଆମାନେ ମଧ୍ୟ ଜାତୀୟସ୍ତରରେ ସାମିଲ ହେବାକୁ ଚାହାନ୍ତି । ଏହି ସାଂସ୍କୃତିକ କେନ୍ଦ୍ର ସ୍ଥାପିତ ହେଲେ ଏହା ଅନେକ ଦେଶୀୟ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଦିଲ୍ଲୀଠାରେ ପୂର୍ବରୁ କର୍ଣ୍ଣାଟକ, ତାମିଲନାଡୁ ପ୍ରଭୃତି ରାଜ୍ୟର ଭବନ / ନିବାସ ରହିଥିଲେ ମଧ୍ୟ କେନ୍ଦ୍ର ପକ୍ଷରୁ ସାଂସ୍କୃତିକ ଭିତ୍ତିଭୂମି ଲାଗି ଆବଶ୍ୟକୀୟ ସ୍ଥାନ ଯୋଗାଇଦିଆଯାଇଛି । “ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ଲାଗି ଆବଶ୍ୟକୀୟ ସ୍ଥାନ ଯୋଗାଇ ଦିଆଗଲେ ରାଜ୍ୟର ଜନସାଧାରଣ ତଥା ଓଡ଼ିଆମାନେ ଉପକୃତ ହୋଇପାରିବେ,” ବୋଲି ନବୀନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହି ପତ୍ରରେ ଓଡ଼ିଶାର ସାଂସ୍କୃତିକ ବୈଭବତା ଗୌରବ ଏବଂ ଉତ୍କର୍ଷତାକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶୀ ନୃତ୍ୟ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଥିବା ବେଳେ ଓଡ଼ିଆ ଭାଷା ୬ଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ଜାତୀୟସ୍ତରରେ ମାନ୍ୟତା ହାସଲ କରିସାରିଛି । ଓଡ଼ିଶାର କଳା, ହସ୍ତତନ୍ତ୍ର, ବୟନ ହସ୍ତଶିଳ୍ପ ତଥା ଆଦିବାସୀମାନଙ୍କ ହସ୍ତକଳାରେ ରହିଛି ସ୍ୱତନ୍ତ୍ରତା ।

Leave A Reply

Your email address will not be published.