Latest Odisha News

BREAKING NEWS

ମୂଷା ଖୋଜିବାକୁ ଆସି ମଶାରୀ ଭିତରେ ନାଗୁଣୀ

ପୁରୀ: ବେଳେବେଳେ ଘର ଭିତରକୁ  ସାପ  ପଶିଆସିବା ଶୁଣିବାକୁ ବା ଦେଖିବାକୁ ମିଳିଥାଏ । ହେଲେ ଶୋଇବା ଶେଯରେ ପୁଣି ମଶାରୀ ଭିତରେ ସାପ ! ସେ ପୁଣି ନାଗୁଣୀ? ବାପରେ ! ମାଶରୀ ଭିତରେ ପଶି ଯାଇଥିଲା  ।  ଏପଟ ସେପଟ ହେଉଥିଲା, କିନ୍ତୁ ବାହାରି ପାରୁନଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ଖଣ୍ଡି-ଡେଲାଙ୍ଗ ଗ୍ରାମରେ ।

ରବିବାର ରାତି ୧୧ଟା ହେବ । ଗ୍ରାମର ଯଦୁମଣି ମହାନ୍ତି  ଘରକୁ ଫେରି କାମ ଦାମ ସାରି ଖାଇ ବସିଥଲେ । ଖାଇସାରି ବିଛଣାକୁ ଯିବେ ଶୋଇବା ପାଇଁ ।  ହଠାତ ଖଟ ଉପରୁ କିଛି ଖସ ଖସ ଶବ୍ଦ ଶୁଭିଲା । ଶବ୍ଦ ଶୁଣି ଚାହିଁଲା ବେଳକୁ ଖଟରେ ଅଧା ଟଙ୍ଗା ମଶାରୀ ଭିତରେ ଏକ ବିରାଟ ନାଗୁଣୀ । ତାଙ୍କ ପାଦତଳୁ ମାଟି ଯେପରି ଖସିଗଲା । ମଶାରି ଭିତରେ ସାପଟି ଏପାଖ ସେପାଖ ହେଉଛି କିନ୍ତୁ ବାହାରି ପାରୁନି । ଯଦୁମଣି ତୁରନ୍ତ ସ୍ନେକ ହଲ୍ପ ଲାଇନକୁ ଫୋନ କରି ଡାକିଥିଲେ ।

ରାତି ପ୍ରାୟ ୧୨ ଟା ବେଳକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ମଶାରୀ ଭିତରେ ନାଗ ସାପ କୁ ଦେଖିବା ପାଇଁ ଯଦୁମଣିଙ୍କ ଘରେ ସେତେବେଳକୁ ପଡିଶା ଘର ଲୋକ ମାନେ ମଧ୍ୟ ଭିଡ ଜମେଇ ସାରିଲେଣି । ସତର୍କତାର ସହିତ ମଶାରୀ ଭିତରୁ ୪ ଫୁଟ ଲମ୍ବର ନାଗୁଣୀକୁ ବାହାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ସୁଶାନ୍ତ । ସାପଟିକୁ ଗାଁ ବାହାରେ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

ସୁଶାନ୍ତଙ୍କ କହିବା ଅନୁଯାୟୀ, ସାପଟି ଅନେକ ସମୟ ଧରି ମଶାରୀ ଭିତରୁ ବାହାରିବା ପାଇଁ ଚେଷ୍ଟା କରବା ଯୋଗୁ  ମଶାରୀ ଜାଲିରେ ଘଷି ହୋଇ ତାର ମୁହଁ  ଖଣ୍ଡିଆ ହୋଇ ଯାଇଥିଲା । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପ ଟି ସମ୍ଭବତଃ ଏକ ମୂଷା ପଛର ପିଛା କରୁଥିବା ବେଳେ ମଶାରୀ ଭିତରେ ପଶି ଯାଇଛି,   ଆଉ ବାହାରି ପାରି ନାହିଁ । ଯାହା ବି ହେଉ,  ଯଦୁମଣି ସାପଟିର ଉପସ୍ଥିତି ଠିକ ସମୟରେ ଜାଣି ପାରିଲେ । ତେଣୁ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଦୂରେଇ ଦିଆଯାଇ ପାରିଲା  ।’

ରାତିରେ ଶୋଇବା ବେଳେ,  ଶେଯ ବିଛାଇବା ବେଳେ କିମ୍ବା ମଶାରୀ ଟାଣିବା ବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ନେକ ହେଲ୍ପ ଲାଇନ ତରଫରୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି ।

Leave A Reply

Your email address will not be published.