Latest Odisha News

BREAKING NEWS

କମେଡିଆନ୍ ସମୟ ରୈନା ପୁଣି ବିବାଦରେ: ଷ୍ଟାଣ୍ଡଅପ୍ କମେଡିରେ ‘ବିହାରୀ’ ଜୋକ୍ସକୁ ନେଇ କ’ଣ କହିଲେ ମନୋଜ ବାଜପେୟୀ?

ମୁମ୍ବାଇ: ପୁଣିଥରେ ବିବାଦ ଘେରକୁ ଆସିଛନ୍ତି ଜଣାଶୁଣା ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନା । ତାଙ୍କର ଲୋକପ୍ରିୟ ୟୁଟ୍ୟୁବ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ନୂଆ ଏପିସୋଡରେ ହୋଇଥିବା ଥଟ୍ଟାମଜା ଏବେ ସୋସିଆଲ ମିଡିଆରେ ବିବାଦର ରୂପ ନେଇଛି । ଏହି ଶୋ’ରେ ବିହାରୀ ଏବଂ କାଶ୍ମୀରୀ ପଣ୍ଡିତମାନଙ୍କୁ ନେଇ କମେଡିଆନ୍ ଶେରୋନ୍ ବର୍ମା ଓ ସମୟ ରୈନାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଝଡ଼ ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁ ନେଇ ଏବେ ବଲିଉଡର ବରିଷ୍ଠ ତଥା ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ ନିଜର ସୁଚିନ୍ତିତ ପ୍ରତିକ୍ରିୟା ରଖିଛନ୍ତି ।

ବିବାଦର କାରଣ ସମ୍ପର୍କରେ ସୂଚନା ଦେଇ ଜଣାପଡିଛି ଯେ, ଶୋ’ ଚାଲିଥିବା ବେଳେ ସମୟ ରୈନା ପ୍ୟାନେଲିଷ୍ଟ ଭାବେ ଆସିଥିବା ଶେରୋନ୍ ବର୍ମାଙ୍କୁ ଥଟ୍ଟା କରି କହିଥିଲେ ଯେ, “ଏ ଏତେ ବିହାରୀ ଯେ, ତାଙ୍କୁ ଲାଗେ ‘ଇବୋଲା’ର ଅର୍ଥ କିଏ କିଛି କହିଲା ବା ‘ଇ-ବୋଲା’।” ଏହି କଥାର କଡ଼ା ଜବାବ ଦେଇ ଶେରୋନ୍ ସଙ୍ଗେ ସଙ୍ଗେ ପଲଟା ଆକ୍ରମଣ କରିଥିଲେ। ସେ କହିଥିଲେ, “ସମୟ ଏତେ କାଶ୍ମୀରୀ ଯେ, ତାଙ୍କୁ କେବଳ ପଥର ପସନ୍ଦ।” ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଖୋଲାଖୋଲି ମନ୍ତବ୍ୟ ପରେ ଇଣ୍ଟରନେଟରେ ଦର୍ଶକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଏହି ପ୍ରସଙ୍ଗରେ ଆଇଏଏନଏସକୁ ସାକ୍ଷାତକାର ଦେଇ ବିହାରର ମୂଳ ବାସିନ୍ଦା ମନୋଜ ବାଜପେୟୀ କହିଛନ୍ତି ଯେ, ଯଦି ଏସବୁ କେବଳ ଥଟ୍ଟାମଜାରେ କୁହାଯାଇଛି, ତେବେ ତାଙ୍କର କୌଣସି ଆପତ୍ତି ନାହିଁ । ଆମକୁ ନିଜ ଉପରେ ହସିବା ଶିଖିବା ଉଚିତ୍ । ପରସ୍ପର ଉପରେ ହସିବା ସତ୍ତ୍ୱେ ଆହତ କିମ୍ବା ରାଗିବା ଉଚିତ୍ ନୁହେଁ । ହସଖୁସି ସହ ପରସ୍ପର ପ୍ରତି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଞ୍ଚଳିକ ପୃଷ୍ଠଭୂମି ପ୍ରତି ସମ୍ମାନ ରହିବା ନିହାତି ଜରୁରୀ ବୋଲି ସେ ମତ ରଖିଛନ୍ତି । ଯଦି ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ବୁଝାମଣା ଭଲ ଥାଏ, ତେବେ ସେମାନେ ପରସ୍ପରର ମଜା ଉଡାଇପାରିବେ ।

ଏହି ଅବସରରେ ନିଜ ଦିଲ୍ଲୀ ଦିନର ଏକ ପୁରୁଣା ସ୍ମୃତି ବଖାଣି ମନୋଜ କହିଥିଲେ ଯେ, ୧୮ ବର୍ଷ ବୟସରେ ସେ ଯେତେବେଳେ ପ୍ରଥମ ଥର ଦିଲ୍ଲୀ ଯାଇଥିଲେ, ସେଠାକାର ନିୟମ ନଜାଣି ବସ୍‌ର ଆଗ ଗେଟ୍‌ ଦେଇ ଚଢ଼ିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଡ୍ରାଇଭର ଜଣକ ତାଙ୍କ ଉପରେ ଚିଡ଼ିଯାଇ କହିଥିଲେ, ‘ଆରେ ବିହାରୀ, ପଛ ଗେଟ୍‌ରେ ଚଢ଼ ।’ ଡ୍ରାଇଭରକୁ ଜଣାନଥିଲା ଯେ ସେ ପ୍ରକୃତରେ ବିହାରରୁ ଆସିଛନ୍ତି, ତଥାପି ସେ ରାଗିନଥିଲେ କାରଣ ନୂଆ ସହରରେ ସେ ନିଜେ ହିଁ ଭୁଲ୍ କରିଥିଲେ ।

ମନୋଜ ଆହୁରି ମଧ୍ୟ କହିଛନ୍ତି ଯେ, ସାଙ୍ଗସାଥୀଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟର ସଂସ୍କୃତିକୁ ନେଇ ଥଟ୍ଟାମଜା କରିବା ଏକ ସୁସ୍ଥ ସମାଜର ଲକ୍ଷଣ । କିନ୍ତୁ ଏହା ଯେପରି କାହା ପାଇଁ କିମ୍ବା କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ସମସ୍ୟା ସୃଷ୍ଟି ନକରେ, ସେଥିପ୍ରତି ସମସ୍ତେ ସମ୍ବେଦନଶୀଳ ହେବା ଆବଶ୍ୟକ ।

Leave A Reply

Your email address will not be published.