କଟକ: ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଏବଂ ବେପରୁଆ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ (ସ୍ୱତନ୍ତ୍ର ଚେକିଂ ଅଭିଯାନ) ଆରମ୍ଭ କରାଯାଇଛି । ସିଲଭର୍ ସିଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ରାସ୍ତାରେ ଆୟୋଜିତ ଏହି ସ୍ପେଶାଲ୍ ଡ୍ରାଇଭ୍ ବେଳେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କ ଠାରୁ ପୋଲିସ ମୋଟ ୬ ଲକ୍ଷ ୭୫ ହଜାର (୬.୭୫ ଲକ୍ଷ) ଟଙ୍କାର ଜରିମାନା ଆଦାୟ କରିଛି । ପାଖାପାଖି ୬୦୦ଟି ଗାଡି ଚେକିଂ ବେଳେ ଏହି ଟଂକା ଆଦାୟ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଗକୁ ଗଣେଶ ପୂଜା ଓ ଦଶହରା ଆସୁଥିବାରୁ ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ପୋଲିସ ପକ୍ଷରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ସହରର ପ୍ରମୁଖ ଥାନା ଅଧିକାରୀ ଓ ଟ୍ରାଫିକ୍ ପୋଲିସର ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଥିଲେ। ବିଶେଷକରି ବିନା ହେଲମେଟରେ ଗାଡ଼ି ଚଳାଇବା, ତିନି ଜଣ ବସି ଯାତ୍ରା କରିବା , ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ୍ ରୁଟରେ ଯିବା, ଅତି ଦ୍ରୁତ ଗତିରେ ବାଇକ୍ ଚଳାଇବା ଏବଂ ଗାଡ଼ିରେ ବିକଟାଳ ଶବ୍ଦ କରୁଥିବା ମଡିଫାଏଡ୍ ସାଇଲେନ୍ସର ଲଗାଇବା ଭଳି ଅଭିଯୋଗ ଉପରେ ପୋଲିସ ସ୍ୱତନ୍ତ୍ର ନଜର ରଖିଥିଲା ।
ଏହି ଚେକିଂ ବେଳେ ବହୁ ସଂଖ୍ୟାରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରାଯାଇ ଚାଲାଣ କଟାଯିବା ସହ କେତେକ ଅମାନିଆଙ୍କ ଗାଡ଼ି ମଧ୍ୟ ଜବତ କରାଯାଇଛି । ପୋଲିସ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, କେବଳ ଜରିମାନା ଆଦାୟ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ହେଉଛି ପ୍ରଶାସନର ପ୍ରାଥମିକତା। ରାସ୍ତାରେ ଯାତ୍ରା କରିବା ସମୟରେ ନିଜର ତଥା ଅନ୍ୟମାନଙ୍କ ସୁରକ୍ଷା ପାଇଁ ସମସ୍ତେ ସଡ଼କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ସହରବାସୀଙ୍କୁ ନିବେଦନ କରାଯାଇଛି।

