Latest Odisha News

BREAKING NEWS

୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାଜ୍ୟର ଚାରିଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ ସିଟିରେ ଲକ୍ ଡାଉନ କଡାକଡି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ।

ସକାଳ ୬ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ତେବେ ଜିନିଷପତ୍ର କିଣାକିଣି ଘର ପାଖ ଦୋକାନରୁ କରିବା ସହ ଚାଲି ଚାଲି ଯିବା ପାଇଁ ପୋଲିସ କମିଶନର କହିଛନ୍ତି । ଯଦି ଗାଡିରେ ଯାଉଥାନ୍ତି ତେବେ ଜୋରିମାନା ଆଦାୟ କରାଯିବ ।

ଭୁବନେଶ୍ୱର କଟକ ସହରକୁ ଯିବା ଆସିବା ଉପରେ କଟକଣା ଲାଗିବ । ଅତି ଜରୁରୀ କାମ ଥିଲେ ୧୦୦କୁ ଫୋନ କରି ପାସ୍ ପାଇପାରିବେ । ତେବେ ଅତି ଜରୁରୀ ସେବା ପାଇଁ କଟକଣା ଲାଗିବ ନାହିଁ । ବାହାଘର ଓ ଅନ୍ତିମ ସଂସ୍କାର ଛଡା ଅନ୍ୟ କୌଣସି କାମ ପାଇଁ ଅନୁମତି ମିଳିବ ନାହିଁ ।

ରାସ୍ତା କଡରେ ଥିବା ଢାବା ଖୋଲା ରହିବ । ମାତ୍ର ସେଠାରେ କେହି ବସି ଖାଇପାରିବ ନାହିଁ । ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବ ନାହିଁ । କେବଳ ହୋମ ଡେଲିଭରି ପାଇଁ ଅନୁମତି ମିଳିଛି ।

ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ କୌଣସି ପାସର ବ୍ୟବସ୍ଥା ନାହିଁ । ସେମାନେ ଅଫିସ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ । ତେବେ ବ୍ୟକ୍ତିଗତ କାମ ପାଇଁ ପରିଚୟ ପତ୍ର ବ୍ୟବହାର ନ କରିବା ପାଇଁ ସିପି ଚେତାବନୀ ଦେଇଛନ୍ତି ।

ଆଜି ରାତି ୯ଟାରୁ ଆସନ୍ତା ୩୧ ତାରିଖ ଯାଏଁ ଏହି ଲକ୍ ଡାଉନ ନିୟମ କଡାକଡି କରିଛନ୍ତି ସରକାର ।

Comments are closed.