Latest Odisha News

BREAKING NEWS

ମୋହନ ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ, ପାଉଁଶ ଡମ୍ପିଂ ପାଇଁ କଡା କଟକଣା

ଭୁବନେଶ୍ଵର: ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି।  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଏକ  ବୈଠକ ଅନୁଷ୍ଠିତ ହୋଇଛି। ମାସେ ମଧ୍ୟରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ନେଇ ବୈଠକରେ ଆଲୋଚନା ହୋଇଥିବାବେଳେ ଏହାକୁ ନେଇ ଜୋର ଧରିଛି ରାଜନୀତି।

କମ୍ପାନିଗୁଡିକ ମନ ଇଚ୍ଛା ପାଉଁଶ ଡମ୍ପିଂ କରିବାକୁ ନେଇ ମୋହନ ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ। ଏଥିପାଇଁ ଆଜି ଉତ୍ତରାଂଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନିଷ୍ଠିତ ହୋଇଛି।  ଏଥିରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ତଥା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ।  ଏହା ସହ ୪ଟି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ରାଜ୍ୟ ପ୍ରଦୂଷଣ ବିଭାଗର ଅଧିକାରୀ, ଜିଲ୍ଲାସ୍ତରର ରିଜିଓନାଲ ଅଫିସରମାନେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ।

ଜିଲ୍ଲାରେ କେତେ କମ୍ପାନି ରହିଛି, କେତେ ପାଉଁଶ ନିର୍ଗତ ହେଉଛି ଏବଂ ତାର ସୁପରିଚାଳନା କିଭଳି ଭାବରେ ହୋଇପାରିବ, ଏନେଇ  ବୈଠକରେ ଆଲୋଚନା ହୋଇଛି ।  ସମସ୍ତ ତଥ୍ୟ ପରେ ଆଇଆଇଏମ, ଭିସୁଟ ତଥା ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ।  ଫ୍ଲାଏ ଆସ୍ ପରିଚାଳନା ନେଇ ପରିତ୍ୟକ୍ତ ଖଣି ବ୍ୟବହାର ହେବ।ଏନେଇ ଏକ ମାସ ପରେ ଭୁବନେଶ୍ବରରେ ବୈଠକ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।   ଆସ୍ ଡମ୍ପିଂରେ ପ୍ରଦୂଷଣ ବିଭାଗ ଅଧିକାରୀଙ୍କର ଜିଲ୍ଲାପାଳ ଓ ଏସପିଙ୍କ ସହ ସମନ୍ବୟ ରହୁନଥିବାରୁ ଏହାକୁ  ସିସିଟିଭି ଯାଞ୍ଚ  କରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଆସ୍ ଡମ୍ପିଂକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଆରଡିସି ଚିଠି ଓ ମନ୍ତ୍ରୀଙ୍କ ବିଭାଗୀୟ ଚିଠିରେ ମନ୍ତ୍ରୀ ଜିଲ୍ଲା ସ୍ତରରେ ବୈଠକ କରୁଛନ୍ତି । ହେଲେ ଏହା କେଉଁ ବିଭାଗର କାମ ବୋଲି ବିଜେଡି ପ୍ରଶ୍ନ କରିଛି। ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲ୍ଲାର ଅଧିକାରୀଙ୍କ ସହିତ ବୈଠକ କରିବା ଏହା ପରିଧି ଭିତରେ ନୁଁହେଁ ବୋଲି ବିଜେଡି କହିଛି। ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହାକୁ ଐତିହାସିକ ବୈଠକ ବୋଲି କହିଛନ୍ତି।

Comments are closed.