ଚୋରି କରିଥିଲା ଅଭିଯୋଗକାରୀ . . .

ରାୟଗଡ଼ା : ଅଭିଯୋଗକାରୀ ସାଜିଲା ଚୋର । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଂଚଳରେ । ନିଜ ଘରୁ ଚୋରି ଅଭିଯୋଗ କରି ଥିବା ବ୍ୟକ୍ତି ଘରୁ ହିଁ ପୋଲିସ ଚୋରି ଟଙ୍କା ଓ ସୁନା ଗହଣା ଜବତ କରିଛି । ଗତ ୩୧ ତାରିଖ ଦିନ ରାୟଗଡା ରୟତ କଲୋନୀ ଷଷ୍ଠ ଲାଇନରେ ଚୋରି ଅଭିଯୋଗ କରି ଥାନାରେ ଏତଲା ହୋଇଥିଲା । ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ସଦର ପୋଲିସ ତନାଘନା ଆରମ୍ଭ କରିଥିଲା । ସାଇଂଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ ଆରମ୍ଭ କରି ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ବେଳେ ଅଭିଯୋଗକାରୀ ବିଶ୍ଵନାଥ ଉପରେ ସନ୍ଦେହ ହୋଇଥିଲା । ପୋଲିସ ଏକ ସ୍ୱତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶ ପାଲକୋଣ୍ଡା ଯାଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୋଗ କରି ବିଶ୍ବନାଥ ଉପରେ ସନ୍ଦେହ ହେବାରୁ ଜେରା କଲାବେଳେ ସତକଥା ମାନି ଯାଇଥିଲା । ସେ କହିବା ମୁତାବକ ପୋଲିସ ବିଶ୍ୱନାଥ ନିଜ ଘରେ ଲୁଚାଇ ରଖିଥିବା ୨୪ ଲକ୍ଷ ଟଙ୍କା ଓ ସୁନା ଗହଣାକୁ ପୋଲିସ ଜବତ କରିଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇ ଥିବା କହିଛନ୍ତି ପୋଲିସ ଅଧିକାରୀ ।