ଗଳ୍ପ : ଝିଅ

ଦେବଜ୍ଯୋତି ଅବିନାଶ 

ଖଟ ଉପରେ ସେମିତି ଶୋଇ ରହିଥାନ୍ତି ହରିହର ବାବୁ। ବୟସ ୮୦ ଉପରେ । ୨ ବର୍ଷ ହେଲା ଶରୀର ଅଚଳ। ତାଙ୍କୁ ଖୁଆଇ ଦେଇ ସାରି ଅରୁଣିମା ଯାଇଛି ରୋଷେଇ ଘରକୁ, କ୍ଷୀର ଗରମ କରି ଆଣିବ ବୋଲି। ଅରୁଣିମା ତାଙ୍କର ଗୋଟିଏ ବୋଲି ଝିଅ, ତିନି ଭାଇ ଭଉଣୀ ଭିତରୁ ସବୁଠୁ ସାନ। କ୍ଷୀର ନେଇ ଆସି ହରିହର ବାବୁଙ୍କୁ ଯତ୍ନରେ ଉଠେଇ ବସେଇଦେଲା ଅରୁଣିମା। ତାଙ୍କର ମଥାକୁ, ଗାଲକୁ ଆଉଁସି ଦେଇ କହିଲା, “ବାପା, କ୍ଷୀର ପିଇଦିଅ। ଦେହକୁ ବଳ ପାଇବ।”

କେଇ ବୁନ୍ଦା ଲୁହ ଜକେଇ ଆସିଲା ହରିହର ବାବୁଙ୍କ ଆଖି ଦୁଇଟିରେ। ମନେ ପଡିଗଲା ତାଙ୍କର କେମିତି ଏ ଛୁଆଗୁଡ଼ା ସାନ ସାନ ହେଇଥିଲା ବେଳେ ଅରୁ ଜିଦ୍ଦି ଧରିଥିଲା, ସେ ବି ତା ଭାଇମାନଙ୍କ ଭଳି ସବୁଦିନ କ୍ଷୀର ପିଇବ ବୋଲି। ଘର ଗୁହାଳରୁ ଯେତେ କ୍ଷୀର ବାହାରେ, ଆଉ ବିକ୍ରୀ ପରେ ଯେତିକି ଘର ପାଇଁ ରୁହେ, ହରିହର ବାବୁ ବାଣ୍ଟି ଦେଉଥିଲେ ସମାନ ଭାବରେ ନିଜ ଦୁଇ ପୁଅଙ୍କ ଭିତରେ। ଯେତେ ଜିଦ୍ କଲେ ବି ଅରୁଣିମାକୁ କ୍ଷୀର ମନା। ସେ ଝିଅ ଛୁଆ ଟା, ତା ପଛରେ କ୍ଷୀର ମହୁ ବହେଇ କି ଲାଭ ? ପୁଅ ଦିଟାକୁ ଦେଇଥିଲେ ସିନା ବୁଢ଼ା କାଳକୁ ସାହାରା ହେବେ।

ଏମିତି କେତେ ଯେ ପାତରଅନ୍ତର ନ କରିଛନ୍ତି ସେ ନିଜ ପୁଅ ଦିଟା ଆଉ ଅରୁ ଭିତରେ। ଆଖି ଆଗରେ ନାଚି ଉଠିଲା ତାଙ୍କର ସେଦିନର ଛବି , ଯେଉଁ ଦିନ ଅରୁ କ୍ଷୀର ପିଇବ ବୋଲି ଅଧିକ ଅଝଟ କରିବାରୁ ଠୋ କିନା ଶକ୍ତ ଚଟକଣାଟେ ବସେଇ ଦେଇଥିଲେ ସେ ତା ଗାଲରେ।

“ବାପା, କଣ ହେଲା ? କାନ୍ଦୁଛ କିଆଁ ?”, ହରିହର ବାବୁଙ୍କ ଆଖିରୁ ଲୁହ ପୋଛୁ ପୋଛୁ ତାଙ୍କ ମଥାକୁ ଆଉଁସି ଦେଇ ପଚାରିଲା ଅରୁଣିମା। କିଛି ନ କହି ସେମିତି କାନ୍ଦକାନ୍ଦ ଆଖିରେ ଅରୁଣିମା ମୁହଁଟାକୁ ଚାହିଁ ରହିଲେ ହରିହର ବାବୁ। କ୍ଷୀର ପିଆଇ ସାରି ବାପାଙ୍କୁ ଶୁଆଇଦେଇ ଅରୁଣିମା ପୁଣି ଚାଲିଗଲା ରୋଷେଇ ଘରକୁ।

ଶୋଇ ରହି ପୁରୁଣା କଥା ସବୁ ମନେ ପକାଉଥାନ୍ତି ହରିହର ବାବୁ। ପୁଅବୋହୂଙ୍କ ହତାଦର ସହି ସହି ବୁଢୀଟା ଚାଲିଗଲା ଆରପାରିକୁ। ନାତି ନାତୁଣୀ ମୁହଁକୁ ଅନେଇ ସେ ପଡି ରହିଥଲେ ଯାହା। ହେଲେ ଦେହ ଅଚଳ ହେଲା ପରଠୁ ପୁଅବୋହୂ ସଫା ସଫା ମନା କରିଦେଲେ ଏ ଅଦରବା ରୋଗିଣା ବୁଢାକୁ ଆଉ ଘରେ ରଖିବା ପାଇଁ। ଠିକ୍ ସେତିକି ବେଳକୁ ସେ ସାରା ଜୀବନ ହତାଦର କରି ଆସିଥିବା ଏଇ ଝିଅଟା ଯାଇ ନିଜ ଘରକୁ ନେଇ ଆସିଥିଲା ନିଜ ଅଭାଗା ବାପଟାକୁ ଆଉ ସେଇଦିନଠୁ ମାଆ ଭଳି ସେବାରେ ଲାଗିଛି। ଏତକ ଭାବୁଭାବୁ ପାଟିକରି କାନ୍ଦି ଉଠିଲେ ହରିହର ବାବୁ। ପାଟି ଶୁଣି ରୋଷେଇଘରୁ ଦଉଡ଼ି ଆସି ମଥାରେ ହାତ ବୁଲେଇ ଦେଇ ପଚାରିଲା ଅରୁଣିମା, “ବାପା, କଣ ଖରାପ ସ୍ବପ୍ନ ଦେଖିଲ କି ?”

ନାମ : ଦେବଜ୍ଯୋତି ଅବିନାଶ

ଆଇ.ଜି.ଆଇ.ଟି, ସରାଙ୍ଗ
ଢେଙ୍କାନାଳ