Latest Odisha News

କର୍ଣ୍ଣାଟକରେ ମୋଦିଙ୍କୁ ହରାଇଦେଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକରେ କାମ କଲାନି ମୋଦିଙ୍କ ଯାଦୁ। କଂଗ୍ରେସର ବହୁ ସଂଖ୍ୟାରେ ବିଜୟ ବିଜେପିର ସମସ୍ତ ଉଦ୍ୟମକୁ ଫିକା ପକାଇ ଦେଇଛି। କର୍ଣ୍ଣାଟକରେ ୯ ଦିନ ଧରି ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୮ ଟି ବଡ଼ ସାଧାରଣ ସଭା, ୬ ଟି ଦୀର୍ଘ ସମୟର ରୋଡ଼ ଶୋର କିଛି ବି ପ୍ରଭାବ ଦେଖିବାକୁ ମିଳିଲାନି। କର୍ଣ୍ଣାଟକରେ କାମ କଲା ରାହୁଲଙ୍କ ଯାଦୁ।

ସରକାରରେ ଥାଇ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା, ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଓ ବିଜେପିର ପ୍ରାୟ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମା, ଶିବରାଜ ସିଂ ଚୌହାନଙ୍କ ଭଳି ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଗାତର ପ୍ରଚାର କରି ମଧ୍ୟ କଂଗ୍ରେସ ଏତେ ସଂଖ୍ୟକ ସିଟ ପାଇବା ଓ ବିଜେପିର ଏତେ ସିଟ କମିବାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି।

ଏଭଳି କାହିଁକି ହେଲା ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଗଲାଣି। ବିଜେପିର ହାରିବା ଓ କଂଗ୍ରେସର ବିଜୟକୁ ନେଇ କିଛି ପ୍ରମୁଖ କାରଣ ସମ୍ପର୍କରେ ଚର୍ଚ୍ଚା ହେଉଛି। ବହୁ ରାଜ୍ୟରେ କଂଗ୍ରେସ ହାରୁଥିବା ବେଳେ କର୍ଣ୍ଣାଟକରେ ଏଡ଼େ ବଡ଼ ବିଜୟ କେମିତି ହେଲା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସମୀକ୍ଷକ ମାନଙ୍କର କହିବା କଥା ଏହି ବିଜୟ ପାଇଁ କଂଗ୍ରେସର ଯୋଜନାବଦ୍ଧ ରଣନୀତି ହିଁ କାମ ଦେଇଛି।

ପ୍ରଥମେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ପ୍ରଭାବ ରହିଥିବା ବେଳେ ରାହୁଲଙ୍କ ବିରୋଧରେ ଦଣ୍ଡାଦେଶ ଓ ଲୋକସଭା ସଦସ୍ୟ ପଦ ରଦ୍ଦ ସାରା ଦେଶରେ ରାହୁଲଙ୍କ ପ୍ରତି ଏକ ବଡ଼ ସହାନୁଭୂତି ସୃଷ୍ଟି କଲା। ଏହା ଆଇନ ଅନୁଯାୟୀ ହୋଇଥିଲେ ମଧ୍ୟ ଲୋକେ ଏଥିପାଇଁ ବିଜେପି ହିଁ ଦାୟୀ ବୋଲି କହୁଥିବା ଚର୍ଚ୍ଚା ହେଲା। କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗକୁ ଅସ୍ତ୍ର କରିବା ସହ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିଛି।

ଏପରିକି ହିଣ୍ଡେନବର୍ଗ ରିପୋର୍ଟ ପ୍ରସଙ୍ଗ ପରେ ରାହୁଲ ଗାନ୍ଧୀ ମୋଦି ଆଦାନୀ ସମ୍ପର୍କକୁ ନେଇ ଲଗାତର ଲୋକଙ୍କ ପାଖରେ ପହଞ୍ଚାଇଲେ। ତା ସହିତ କର୍ଣ୍ଣାଟକରେ ପ୍ରାର୍ଥୀ ଚୟନ, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ସଠିକ ସମୟରେ ଦଳକୁ ଆଣିବା ଓ ନିଜ ଦଳରେ ନେତାଙ୍କୁ ଏକ କରି ଦେଖାଇବାରେ ସଫଳ ହେବା କଂଗ୍ରେସ ପାଇଁ ଲାଭଦାୟୀ ହୋଇଥିବା କୁହାଯାଉଛି।

ଏପରିକି କର୍ଣ୍ଣାଟକରେ ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟରର ଫାଇଦା ନେବାରେ କଂଗ୍ରେସ ସଫଳ ହୋଇଥିବା ବେଳେ ବିଜେପିର ଡବଲ ଇଂଜିନ ବିରୋଧରେ ଟ୍ରବଲ ଇଞ୍ଜିନର ଯୋଜନା ବି ସଫଳ ହୋଇଥିବା କୁହାଯାଇଛି। ସବୁଠୁ ବଡ଼ ପ୍ରସଙ୍ଗ କର୍ଣ୍ଣାଟକରେ ସରକାରର ୪୦ ପ୍ରତିଶତ କମିଶନକୁ ନେଇ ପ୍ରଚାର ମାଧ୍ୟମରେ ଲଗାତର ମାହୋଲ ପ୍ରସ୍ତୁତ କରିବାରେ ଦଳ ସଫଳ ହୋଇଥିବା କୁହାଯାଉଛି।

କେଉଁ କାମ ପାଇଁ କେତେ କମିଶନ ନିଆଯାଇଛି ତାର ଏକ କାର୍ଡ ପ୍ରସ୍ତୁତ କରାଯାଇ କଂଗ୍ରେସ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିଥିଲା କଂଗ୍ରେସ। ଏପରିକି ପ୍ରଚାରର ଶେଷ ପର୍ଯ୍ୟାୟରେ ରନ୍ଧନଗ୍ୟାସ, ଖାଇବା ତେଲ, ଚିନି ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ କାର୍ଡ ପ୍ରସ୍ତୁତ କରିବା ସହ ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରିଥିଲା।

ଏପରିକି ପେ ସିଏମ କ୍ରାଏ ପିଏମ କ୍ୟାମ୍ପେନକୁ ମଧ୍ୟ କଂଗ୍ରେସ ଜୋରଦାର କରିଥିଲା । ଏଥିସହିତ ଦଳର ୫ ଟି ବଡ଼ ଗ୍ୟାରେଣ୍ଟି ଭଲ କାମ ଦେଇଥିବା କୁହାଯାଉଛି। ତା ସହିତ କଂଗ୍ରେସ ଅତି ଉନ୍ନତ ଷ୍ଟ୍ରାଟେଜିରେ ଲଢ଼ିବା ସହ ରାହୁଲଙ୍କୁ ପ୍ରୋଜେକ୍ଟ କରିଥିଲା।

ଏପରିକି ପ୍ରିୟଙ୍କାଙ୍କ ଲଗାତର ପ୍ରଚାର ସହ ରାଜ୍ୟ ନେତୃତ୍ୱ ପୁରା ଦମରେ ଲାଗି ପଡ଼ିଥିଲେ। ସ୍ଥାନୀୟ ସମସ୍ୟାକୁ ମଧ୍ୟ ପ୍ରଚରରେ ଅସ୍ତ୍ର କରିଥିଲା ଦଳ। ତେଣୁ ଏସବୁର ମିଳିତ ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିଲା ବୋଲି କୁହାଯାଉଛି।

ସେପଟେ ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରମୁଖ ଚେହେରା ଭାବେ ଉଭା କରାଇଥିଲା। ମୋଦି ମଧ୍ୟ ନିଜର ସବୁ ଶକ୍ତି ଖଟାଇ ପ୍ରଚାର କରିଥିଲେ। କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ। କିନ୍ତୁ କିଛି ଫଳ ମିଳିଲାନି। ଏପରିକି ବିଜେପିର ବଜରଙ୍ଗ ବାଲି ଅସ୍ତ୍ର ମଧ୍ୟ କାମ ଦେଲାନି। ବଜରଙ୍ଗବାଲି ପ୍ରସଙ୍ଗ ନିର୍ବାଚନରେ ଗେମ ଚେଞ୍ଜର ହେବ ବୋଲି କୁହାଯାଉଥିଲେ ମଧ୍ୟ ତାହା ହେଲାନି।

ବରଂ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳ ପ୍ରସଙ୍ଗ ଉଠାଇ କର୍ଣ୍ଣାଟକର ୧୩ ପ୍ରତିଶତ ମୁସଲମାନ ଭୋଟ ମଧ୍ୟରୁ ସିଂହଭାଗ ଭୋଟ ନିଜ ପକ୍ଷକୁ ଟାଣିବାକୁ ସମର୍ଥ ହେଲା ବୋଲି କୁହାଯାଉଛି। ଏପରିକି ଡବଲ ଇଞ୍ଜିନର ନାରା ବି କର୍ଣ୍ଣାଟକବାସୀଙ୍କ ଉପରେ ପ୍ରଭାବ ପକାଇପାରିଲାନି।

ବିଜେପି ହାରିବାର ଆଉ କିଛି ପ୍ରମୁଖ କାରଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ବିଜେପି ନୂଆ ଯୋଜନାରେ ବହୁ ପୁରୁଣା ଚେହେରାଙ୍କୁ ହଟାଇ ନୂଆ ପ୍ରାର୍ଥୀ କରିଥିଲା। ଯେଉଁଥିପାଇଁ ପୁରୁଣା ନେତାମାନେ ଦଳ ଛାଡିଥିଲେ ଓ ବହୁ ନେତା ଦଳରେ ଥାଇ ବି ଅସନ୍ତୁଷ୍ଟ ଥିଲେ। ଯାହାକି ଦଳ ପାଇଁ ବୁମେରାଂ ହେଲା ବୋଲି କୁହାଯାଉଛି।

ଏପରିକି ଦଳର ଲିଙ୍ଗାୟତ ଚେହେରା ବି ଏସ ୟେଦୁରପ୍ପାଙ୍କୁ ସାଇଡ କରିବାରୁ ଲିଙ୍ଗାୟତ ସମ୍ପ୍ରଦାୟ ଏହାକୁ ଗ୍ରହଣ କରିପାରି ନ ଥିବା ଆଲୋଚନା ହେଉଛି। ସେପଟେ କର୍ଣ୍ଣାଟକରେ ଏଥର ନିର୍ଣ୍ଣାୟକ ଲଢେଇରେ ଜେଡିଏସ ମଧ୍ୟ ସେତେଟା ଲାଭ ପାଇଲା ନାହିଁ। ଲୋକେ କଂଗ୍ରେସ ଓ ବିଜେପି ମଧ୍ୟରେ ଏ ନିର୍ଣ୍ଣାୟକ ଲଢେଇରେ ଜେଡିଏସକୁ ସେତେଟା ଗୁରୁତ୍ୱ ଦେଇ ନ ଥିବା କୁହାଯାଉଛି।

ତେଣୁ କର୍ଣ୍ଣାଟକ ଫଳାଫଳ ଆସନ୍ତା ୨୦୨୪ ପାଇଁ ଏକ ସତର୍କ ଘଣ୍ଟି ଓ ନିର୍ଣ୍ଣାୟକ ନିର୍ବାଚନ କୁହାଯାଉଥିବା ବେଳେ କଂଗ୍ରେସର ବିଜୟ ଏକ ଭିନ୍ନ ରାଜନୈତିକ ସମୀକରଣକୁ ସୁଚାଉଛି ବୋଲି କୁହାଯାଉଛି। କିଛି ମାସ ତଳେ ହିମାଚଳ ପ୍ରଦେଶରେ ବିଜୟ ସହ ଏବେ ଏକ ପ୍ରମୁଖ ଓ ଧନୀ ରାଜ୍ୟ ଭାବେ ଗଣାଯାଉଥିବା କର୍ଣ୍ଣାଟକରେ ବିଜୟ କଂଗ୍ରେସ ପାଇଁ ଏକ ବଡ଼ ସଂଜୀବନୀ ବୋଲି କୁହାଯାଉଛି।

ଏପରିକି ବିଜେପି ହାତରେ ଥିବା ଏକମାତ୍ର ଦକ୍ଷିଣ ରାଜ୍ୟ ହାତରୁ ଖସିବା ପରେ ଦଳର ଚିନ୍ତା ବଢିଛି। କର୍ଣ୍ଣାଟକ ହାତରୁ ଖସିଥିବା ବେଳେ ବିଜେପିର ୨୫ ଜଣ ଲୋକସଭା ସାଂସଦ କର୍ଣ୍ଣାଟକରୁ ରହିଛନ୍ତି। ଆଗକୁ ଆସୁଥିବା ଲୋକସଭା ନିର୍ବାଚନରେ ବିଜେପି ଏ ସବୁ ସିଟକୁ କଣ ହାତରେ ରଖିପାରିବ କି ବୋଲି ଚର୍ଚା ଆରମ୍ଭ ହୋଇଛି।

ଏପରିକି କଂଗ୍ରେସ ନେତାମାନେ ଆଉ ଦୁଇ ପାଦ ଆଗକୁ ଯାଇ ଦକ୍ଷିଣ ରାଜ୍ୟ ବିଜେପି ମୁକ୍ତ ହେଲା ବୋଲି କହିଛନ୍ତି। ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ସମେତ ତେଲେଙ୍ଗାନାର ନିର୍ବାଚନ ଥିବାରୁ ସେଠାରେ ବିଜେପିର ପ୍ରଦର୍ଶନ ନେଇ ପ୍ରଶ୍ନ ଉଠିଛି।

ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଥିବାବେଳେ ମଧ୍ୟପ୍ରଦେଶରେ ସିନ୍ଧିଆ କଂଗ୍ରେସରୁ ଯିବା ପରେ ସରକାର ଭାଙ୍ଗି ବିଜେପି ସରକାର କରିଛି। ତେଲେଙ୍ଗାନାରେ ବିଆରଏସ ସରକାରରେ ରହିଛି।

ଏ ସବୁ ରାଜ୍ୟରେ ମଧ୍ୟ କଂଗ୍ରେସ ଆଗୁଆ ପ୍ରଚାର ଓ ପ୍ରତିଶ୍ରୁତି ଆଦି ଦେବା ଆରମ୍ଭ କଲାଣି। ତେଣୁ କଂଗ୍ରେସର ଏହି ନୂଆ ଷ୍ଟାଇଲରେ ନିର୍ବାଚନ ଲଢ଼ିବାକୁ ବିଜେପି ଆଗାମୀ ଦିନରେ କିଭଳି ପ୍ରତିହତ କରିବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.