Latest Odisha News

‘କର୍ଣ୍ଣାଟକ ନିର୍ବାଚନ’ ଏବେ ମଇଦାନରେ ହେବ ଯୁଦ୍ଧ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୨୪ ଆସନ ପାଇଁ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଚିତ୍ର ମଧ୍ଯ ସ୍ପଷ୍ଟ ହୋଇଛି। ଯେଉଁ ଆଶାୟୀମାନେ ବିଭିନ୍ନ ପ୍ରମୁଖ ଦଳରୁ ଟିକେଟ ନ ପାଇଲେ ସେମାନଙ୍କ ମଧ୍ୟରୁ କିଛି ନେତା ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

BjdElectrycity

ବିଜେପିର ବହୁ ପ୍ରମୁଖ ଚେହେରା କଂଗ୍ରେସକୁ ଯାଇ ପ୍ରାର୍ଥୀ ହୋଇଥିବାବେଳେ ଆଉ କିଛି ଜେଡିଏସରେ ମିଶି ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏସବୁ ଗଣିତ ସ୍ପଷ୍ଟ ହେବା ପରେ ବିଜେପି ଓ କଂଗ୍ରେସ ରାଜନୀତି ଗଣିତ କସିବା ଆରମ୍ଭ କରିଛନ୍ତି।

କେଉଁ ସିଟରେ କାହାର ସ୍ଥିତି କଣ। କେଉଁ ଆସନରେ କେଉଁ ଦଳର ପ୍ରାର୍ଥୀ ଦୃଢ଼ ଅଛନ୍ତି। କେଉଁଠି କେଉଁ ଷ୍ଟ୍ରାଟେଜି କରାଯିବ ସେ ନେଇ ଯୋଜନା ହେଉଛି। ସେପଟେ ବର୍ତ୍ତମାନ ନଜର ରହିଛି ପ୍ରଚାର ଉପରେ।

କଂଗ୍ରେସର ସବୁଠୁ ବଡ଼ ଚେହେରା କୁହାଯାଉଥିବା ରାହୁଲ ଗାନ୍ଧୀ ପ୍ରଚାରକୁ ଜୋରଦାର କରିସାରିଥିବା ବେଳେ କର୍ଣ୍ଣାଟକବାସୀଙ୍କ ପାଇଁ ବଡ଼ ପ୍ରତିଶୃତି ଦେଇଛନ୍ତି। ଯାହାକୁ ନେଇ ଏବେ କର୍ଣ୍ଣାଟକରେ ଚର୍ଚ୍ଚା। ସେପଟେ ବିଜେପି ଏସବୁକୁ କାଉଣ୍ଟର କରିବା ପାଇଁ ପ୍ରସ୍ତୁତ ହେଉଛି।

ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ କର୍ଣ୍ଣାଟକରେ ଜୋରଦାର ପ୍ରଚାର ପାଇଁ ପ୍ରସ୍ତୁତ ହେଉଛନ୍ତି।

ଏପରିକି କନ୍ନଡ଼ ସୁପରଷ୍ଟାର କିଚ୍ଚା ସୁଦୀପଙ୍କୁ ଦଳ ପ୍ରଚାର ମଇଦାନରେ ଓଲ୍ହାଇ ଫାଇଦା ନେବାକୁ ଯୋଜନା କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନାମାଙ୍କନ ଦାଖଲ ବେଳେ ମଧ୍ଯ ସୁଦୀପ ଉପସ୍ଥିତ ରହିଥିଲେ। ତେଣୁ ଦଳ ତାଙ୍କର ଲୋକପ୍ରିୟତାକୁ ବ୍ୟବହାର କରି ଦଳର ଭୋଟ ବୃଦ୍ଧି କରିବାକୁ ଚାହୁଁଥିବା କୁହାଯାଉଛି।

ଏପରିକି ବିଜେପିର ବହୁ ବଡ଼ ଚେହେରା ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି। ଦଳର ବରିଷ୍ଠ ନେତାଙ୍କ ଟିକେଟ ନ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା କିଛି ନେତାଙ୍କୁ ମଧ୍ୟ ତାରକା ପ୍ରଚାରକ ତାଲିକାରେ ରଖାଯାଇଛି।

ବହୁ ବଡ଼ ନେତା ଦଳ ଛାଡିବା ପରେ ଯେଉଁ କ୍ଷତି ହୋଇଛି ପ୍ରଚାର ମାଧ୍ୟମରେ ସେସବୁକୁ ଭରଣା କରିବାକୁ ବିଜେପି ଯୋଜନା କରୁଥିବା କୁହାଯାଇଛି। ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସୋନିଆ ଗାନ୍ଧୀ ତଥା ଅନ୍ୟ ବହୁ ପ୍ରମୁଖ ଚେହେରାଙ୍କୁ ନେଇ ଆଗକୁ ଜୋରଦାର ପ୍ରଚାର କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।

Leave A Reply

Your email address will not be published.