Latest Odisha News

BREAKING NEWS

ପାଦରେ ଚାଲିବେ, ବସରେ ଗଡ଼ିବେ, କଂଗ୍ରେସକୁ ୨୪ ରେ ଜିତାଇଦେବେ!

ଭୁବନେଶ୍ୱର: କଂଗ୍ରେସର ଫୋକସରେ ଏବେ ପଦଯାତ୍ରା ଓ ବସଯାତ୍ରା। ଭାରତ ଯୋଡୋ ଯାତ୍ରାର ସଫଳତା ପରେ ପ୍ରତି ରାଜ୍ୟରେ ପଦଯାତ୍ରା ଓ ବସଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚି ମାହୋଲ ତିଆରି କରିବାକୁ ଯୋଜନା କରିଛି କଂଗ୍ରେସ।

ଉତ୍ତରାଖଣ୍ଡରୁ ଆରମ୍ଭ ହେବ କଂଗ୍ରେସର ପଦଯାତ୍ରା। କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନା ବିରୋଧରେ କଂଗ୍ରେସ ଏହି ପଦଯାତ୍ରା ଆୟୋଜନ କରିବାକୁ ଥିବାବେଳେ ଯାତ୍ରାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହେବେ।

ଆଗାମୀ ଲୋକସଭା ପାଇଁ ସାରା ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ ଏମିତି କିଛି ଯୋଜନା କରିଛି। ପ୍ରତି ରାଜ୍ୟର ସ୍ଥିତି ଓ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ପ୍ରମୁଖ ପ୍ରସଙ୍ଗକୁ ଅସ୍ତ୍ର କରିବାକୁ ଦଳ ଯୋଜନା କରିଛି।

କେନ୍ଦ୍ରର ଅଗ୍ନିବୀର ଯୋଜନା କିଭଳି ଯୁବକମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛି ସେ କଥାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ। ଉତ୍ତରାଖଣ୍ଡରେ ଅଧିକାଂଶ ଯୁବବର୍ଗ ସେନାବାହିନୀରେ ନିଯୁକ୍ତି ପାଇଁ ଆଶା ରଖିଥାନ୍ତି। ଯାହାକୁ ଅଗ୍ନିବୀର ଯୋଜନା ଦ୍ୱାରା ବ୍ୟାପକ ଭାବେ ପ୍ରଭାବିତ ହେଉଥିବା କୁହାଯାଉଛି।

ତେଣୁ ଉତ୍ତରାଖଣ୍ଡ ଯୁବବର୍ଗଙ୍କୁ ସର୍ବାଧିକ ପ୍ରଭାବିତ କରିଥିବା ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରିବାକୁ ଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ନେତାଙ୍କ ସହ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ପ୍ରସଙ୍ଗକୁ ଉତ୍ତରାଖଣ୍ଡରେ ଏକ ପ୍ରମୁଖ ପ୍ରସଙ୍ଗ କରାଯିବ ବୋଲି ଦଳ ସ୍ଥିର କରିବା ସହ ଦଳୀୟ ନେତାମାନେ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଉତ୍ତରାଖଣ୍ଡରେ ୧୦ ଦିନ ଧରି ଏହି ପଦଯାତ୍ରା ଚାଲିବ। ଅଗ୍ନିବୀର ସ୍କିମ ମାଧ୍ୟମରେ ଉତ୍ତରାଖଣ୍ଡର ଯୁବବର୍ଗଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଦଳ ମୁଖ୍ୟ ମୁଦ୍ଦା କରିବ। ତା ସହିତ ମହିଳାଙ୍କ ବିରୋଧରେ ହିଂସା, ବିଜେପି ନେତାଙ୍କ ହିଂସାରେ ସମ୍ପୃକ୍ତି ଆଦିକୁ ଅସ୍ତ୍ର କରିବାକୁ ଦଳ ଯୋଜନା କରିଛି।

ସେପଟେ ଉତ୍ତରାଖଣ୍ଡ ସମେତ ଲୋକସଭା ନିର୍ବାଚନ ପାଇଁ ଦେଶର ଅନ୍ୟ ରାଜ୍ୟ ଉପରେ ମଧ୍ୟ ଫୋକସ କରିଛି କଂଗ୍ରେସ। ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଶେଷ ହେବା ପରେ ଏବେ ଅନ୍ୟ ରାଜ୍ୟ ପାଇଁ ଦଳ ପ୍ରସ୍ତୁତିକୁ ଜୋରଦାର କରିଛି।

ପ୍ରତି ରାଜ୍ୟ ପାଇଁ ଭିନ୍ନ ଭିନ୍ନ ପ୍ରଚାର ପ୍ଲାନ ପ୍ରସ୍ତୁତ ହେଉଛି। ଏହି କ୍ରମରେ ପ୍ରଥମେ ମହାରାଷ୍ଟ୍ର ଓ ତା ପରେ ଉତ୍ତରାଖଣ୍ଡ ନେତାଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ନେତୃତ୍ୱ ଏବେ ବିହାର ନେତାଙ୍କ ସହ ଆଲୋଚନା କରିବେ।

ପ୍ରଥମ ଷ୍ଟ୍ରାଟେଜି ଭାବେ କଂଗ୍ରେସ ପ୍ରତି ରାଜ୍ୟରେ ଦଳୀୟ ଏକତାକୁ ଫୋକସ କରିବା ସହ ସମସ୍ତଙ୍କୁ ପଦଯାତ୍ରାରେ ସାମିଲ କରିବାର ଯୋଜନା କରୁଛି। ଯେଉଁ ପଦଯାତ୍ରାରୁ ଦଳ ଏକତାର ବାର୍ତା ଦେବ।

ଏପରିକି ଉତ୍ତରାଖଣ୍ଡ ସମେତ ଆସନ୍ତା ନଭେମ୍ବର ଡିସେମ୍ବର ମାସରେ ମହାରାଷ୍ଟ୍ରରେ ବସ ଯାତ୍ରା କରିବାକୁ ସ୍ଥିର ହୋଇଛି। ମହାରାଷ୍ଟ୍ରରେ କଂଗ୍ରେସ ବସ ଯାତ୍ରା କରିବା ସହ ଏମଭିଏକୁ ଦୁର୍ବଳ କରିବାକୁ ବିଜେପି କରୁଥିବା ଉଦ୍ୟମକୁ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିବ ବୋଲି କୁହାଯାଉଛି।

ତେଣୁ ପ୍ରତି ରାଜ୍ୟ ପାଇଁ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ପ୍ରଚାରର ଅସ୍ତ୍ର କରାଯିବା ସହ ସବୁ ରାଜ୍ୟରେ ପଦଯାତ୍ରା ସହ ବସ ଯାତ୍ରାକୁ ଦଳ ସର୍ବାଧିକ ଗୁରୁତ୍ୱ ଦେଉଛି।

Leave A Reply

Your email address will not be published.