ଭୁବନେଶ୍ୱର: ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ନୂଆ ସଂସଦ ଭବନକୁ ନେଇ ଜୋରଦାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ଲଢେଇ ଜୋର ଧରିଛି ।
ନୂଆ ସଂସଦ ଭବନର ନିର୍ମାଣଶୈଳୀକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି। ନୂଆ ସଂସଦ ଭବନରେ ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ଓ ମିଳାମିଶା ପାଇଁ ଜାଗା ନ ଥିବା ବେଳେ କର୍ମଚାରୀମାନଙ୍କୁ କାମ କରିବାକୁ ମଧ୍ୟ ସୁବିଧା ହେଉ ନ ଥିବା କହିଛନ୍ତି ରମେଶ।
ଏପରିକି ଖାଲି ସେତିକି ନୁହେଁ ୨୦୨୪ ରେ ସରକାର ପରିବର୍ତ୍ତନ ହେବା ପରେ ନୂଆ ସଂସଦ ଭବନ କିଭଳି ଭଲ ଭାବେ ଉପଯୋଗୀ ହୋଇପାରିବ ସେ ନେଇ ରାସ୍ତା ବାହାର କରାଯିବ ବୋଲି ରମେଶ କହିଛନ୍ତି।
ନୂଆ ସଂସଦ ଭବନ ପ୍ରକୃତରେ ମୋଦି ମଲ୍ଟିପ୍ଲେକ୍ସ ବା ମୋଦି ମେରିଅଟ କୁହାଯିବା କଥା ବୋଲି ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରମେଶ ଏ କଥା କହିଛନ୍ତି। ପୁରୁଣା ସଂସଦ ଭବନର ଏକ ଅଲଗା ସ୍ଵତନ୍ତ୍ରତା ଥିଲା। ପୁରୁଣା ସଦନରେ ସଦସ୍ୟଙ୍କ ମଧ୍ୟରେ ଆଲୋଚନାର ସୁବିଧା ଥିଲା ଓ ଉଭୟ ସଦନ ସମେତ କେନ୍ଦ୍ରୀୟ ହଲରେ ଚଲପ୍ରଚଳର ସୁବିଧା ଥିଲା। ନୂଆ ସଂସଦ ଏହାକୁ ଶେଷ କରିଦେଇଛି।
ନୂଆ ସଂସଦକୁ ଭୁଲଭୁଲେୟା ବୋଲି କହିଛନ୍ତି ରମେଶ। ସେଠି ହଜିଗଲେ ରାସ୍ତା ମିଳିବନି ବୋଲି କୁହାଯାଇଛି। ଏପରିକି ଦଳମତ ନିର୍ବିଶେଷରେ ବହୁ ସାଂସଦ ଏଭଳି ଅନୁଭବ କରୁଥିବା ସେ କହିଛନ୍ତି।
ସେପଟେ କଂଗ୍ରେସ ନେତାଙ୍କ ଏହି ଟିପ୍ପଣୀ ପରେ ବିଜେପି ଏହାକୁ କାଉଣ୍ଟର କରିଛି। ବିଜେପି ଜାତୀୟ ସଭାପତି ଏହାକୁ ଜୟରାମ ରମେଶଙ୍କ ପାଥେଟିକ ମାନସିକତା ବୋଲି କହିଛନ୍ତି। ନୂଆ ସଂସଦ ଭବନକୁ ନେଇ ଏଭଳି କହିବା ଭାରତୀୟଙ୍କୁ ଅସମ୍ମାନ ବୋଲି ସେ କହିଛନ୍ତି।
ନୂଆ ସଂସଦ ଭବନ ଉଦଘାଟନ ସମୟରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରା ନ ଯିବାକୁ ନେଇ ବିବାଦ ସୃଷ୍ଟି ହେବା ସହ ବିରୋଧୀ ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଏବେ ପୁଣିଥରେ ସଂସଦ ଭବନର ଗଠନଶୈଳୀକୁ ନେଇ ରାଜନୀତି ତୀଵ୍ର ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Comments are closed.