Latest Odisha News

BREAKING NEWS

ରାଜସ୍ଥାନରେ ସ୍କୁଟିରେ ବୁଲିଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଭିନ୍ନ ବର୍ଗଙ୍କ ସହ ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ସହ ସାମିଲ ହୋଇ ଚର୍ଚ୍ଚାରେ ରହିଛନ୍ତି ରାହୁଲ।

ପୂର୍ବରୁ ଡେଲିଭରି ବୟଙ୍କ ସହ ସ୍କୁଟିରେ ବୁଲିବା ସହ ଟ୍ରକ ଚାଳକଙ୍କ ସହ ଟ୍ରକରେ ଯାତ୍ରା କରିବା। ପରେ ପରେ ବାଇକ ମେକାନିକ, ଛାତ୍ରଛାତ୍ରୀ, ଚାଷ ଜମିରେ କୃଷକଙ୍କ ସହ ରାହୁଲଙ୍କୁ ଦେଖିବାକୁ ମିଳିଥିଲା।

ସେହିପରି କିଛି ଦିନ ତଳେ ପରିବା ମଣ୍ଡି ଓ କୁଲି ବେଶରେ ରାହୁଲ ଉଭା ହୋଇଥିଲେ। ଏବେ ପୁଣିଥରେ ସ୍କୁଟିରେ ବସି ବୁଲିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ରାହୁଲ ଗାନ୍ଧୀ। ରାଜସ୍ଥାନ ଗସ୍ତ ଅବସରରେ ରାହୁଲ ଜଣେ ମହିଳାଙ୍କ ସ୍କୁଟି ପଛରେ ବସି ଜୟପୁର ରାସ୍ତାରେ ଯିବା ଦେଖିବାକୁ ମିଳିଛି।

 

ଯେଉଁ ଭିଡିଓ ଦଳ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ସହ ଜନନାୟକ ଇନ ଜୟପୁର କୁହାଯାଇଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଥିବାବେଳେ ଦଳ ପକ୍ଷରୁ ବିଶାଳ ଜନସଭା ଆୟୋଜିତ ହୋଇଛି।

ଏହି ସଭାରେ ରାହୁଲ ଗାନ୍ଧୀ ମୋଦି ଆଦାନୀ ପ୍ରସଙ୍ଗ ନେଇ ବିଜେପି ଉପରେ ବର୍ଷିଛନ୍ତି । ମୋଦି ଆଦାନୀଙ୍କ ସଂପର୍କ ପ୍ରସଙ୍ଗ କହିଲେ ବିଜେପି ନେତାମାନେ ଦୌଡି ପଳାଇବେ ବୋଲି ସେ କହିଛନ୍ତି ।

ଏପରିକି ଇଣ୍ଡିଆ ଭାରତ ପ୍ରସଙ୍ଗକୁ ନେଇ ବିଜେପି ଲଢେଇ କରିବାକୁ ଚାହୁଁଥିବା ରାହୁଲ ସଭାରେ କହିଛନ୍ତି । କିନ୍ତୁ ଇଣ୍ଡିଆ ଭାରତ ସମାନ ବୋଲି ଲୋକେ ଜାଣିଥିବାରୁ ଏ କଥା ଲୋକଙ୍କୁ ଛୁଇଁବନି ବୋଲି ଜାଣିବା ସହ ଏହାକୁ ପ୍ରସଙ୍ଗ କଲାନି ବିଜେପି ।

ଏଥସହିତ ମହିଳା ସଂରକ୍ଷଣ ବିଲକୁ ନେଇ କିଛି ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧୀ । ମହିଳା ସଂରକ୍ଷଣ ବିଲକୁ ଲାଗୁ କରିବାରେ ବିଳମ୍ବ କରିବାକୁ ବିଜେପି ବାହାନା କରୁଛି କିନ୍ତୁ କଂଗ୍ରେସ ଚାହୁଁଛି ଏହି ନିୟମ ତୁରନ୍ତ ଲାଗୁ ହେଉ ବୋଲି ସେ କହିଛନ୍ତି ।

ରାଜସ୍ଥାନ ଗସ୍ତ ଅବସରରେ ରାହୁଲଙ୍କ ସଭାକୁ ପ୍ରତ୍ୟେକ କୋଣରୁ ଆସିଥିବା ଦଳୀୟ କାର୍ଯ୍ୟକାର୍ତ୍ତା ଓ ପଦାଧିକାରୀଙ୍କୁ ସେ ଗୁରୁମନ୍ତ୍ର ଦେଇଛନ୍ତି। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ନୂଆ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ କଂଗ୍ରେସର ବିଶାଳ ସଭା ଦଳ ସପକ୍ଷରେ ମାହୋଲ ତିଆରି କରିବାରେ ସକ୍ଷମ ହେବ ବୋଲି ଦଳ ଆଶା ରଖିଛି। ରାହୁଲଙ୍କ ସମେତ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି ।

ସେପଟେ କଂଗ୍ରେସର ଏହି ସଭାର ଦୁଇଦିନ ପରେ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା ହେବ। ମୋଦିଙ୍କ ସଭାରେ ବିଜେପିର ୫ ଲକ୍ଷରୁ ଅଧିକ କାର୍ଯ୍ୟକାର୍ତ୍ତାଙ୍କ ଭିଡ଼ ହେବ ବୋଲି ଦଳ ଆଶା ରଖିଛି।

ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ଦୁଇମାସ ମଧ୍ୟରେ ଏହା ରାହୁଲଙ୍କ ଦ୍ଵିତୀୟ ସଭା। ପୂର୍ବରୁ ବିଶ୍ୱ ଆଦିବାସୀ ଦିବସରେ ରାହୁଲ ବନସ୍ୱାରାରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିଥିଲେ।

ଏପରିକି କିଛି ଦିନ ତଳେ ଟୋଙ୍କରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ବିଶାଳ ନିର୍ବାଚନ ସଭା କରାଯାଇଥିଲା। ତେଣୁ ଏବେ ରାହୁଲଙ୍କ ବିଶାଳ ସଭା ସହ ସ୍କୁଟିରେ ବୁଲିବାକୁ ନେଇ ରାଜସ୍ଥାନ କଂଗ୍ରେସ ଜୋରଦାର ପ୍ରଚାର ପ୍ରସାର କରିବା ଆରମ୍ଭ କରିଛି ।

Leave A Reply

Your email address will not be published.