Latest Odisha News

BREAKING NEWS

‘୨୫ ବିଧାୟକ ଦଳ ଛାଡିବେ, କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର’

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିଯିବ। ଏଭଳି ଦାବି ରଖିଛନ୍ତି କର୍ଣ୍ଣାଟକର ବରିଷ୍ଠ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ।

ଶାସକ ଦଳ କଂଗ୍ରେସର ୨୫ ରୁ ଅଧିକ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଆଲୋଡନ ଖେଳିଯାଇଛି।

କର୍ଣ୍ଣାଟକ ବିଜାପୁରର ଏହି ବରିଷ୍ଠ ବିଜେପି ବିଧାୟକ ଏଭଳି କହିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। କର୍ଣ୍ଣାଟକରେ ବିଜେପିକୁ ବଡ଼ ବ୍ୟବଧାନରେ ହରାଇ ବହୁ ସିଟ ଜିତି ସରକାର ଗଢିଥିବା କଂଗ୍ରେସକୁ ନେଇ ବିଜେପି ବିଧାୟକଙ୍କ ଏଭଳି ବୟାନ କେତେଦୂର ସତ ପ୍ରମାଣିତ ହେବ ତାକୁ ନେଇ ଆକଳନ ଆରମ୍ଭ ହେଲାଣି।

କଂଗ୍ରେସ କର୍ଣ୍ଣାଟକରେ ୧୩୫ ସିଟ ଜିତିଥିବା ବେଳେ ସେଥିରୁ ୩୦ ଜଣ ବିଧାୟକ ଛାଡିଦେଲେ ସରକାର ଭାଙ୍ଗିଯିବ ବୋଲି ସେ କହିଛନ୍ତି। ସେଥିରୁ ୨୫ ଜଣ ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି।

କଂଗ୍ରେସ ସରକାରର କିଛି ମନ୍ତ୍ରୀ ସବୁ କ୍ଷମତା ପାଇବା ଭଳି ବ୍ୟବହାର କରୁଥିବା ୟାତନାଲ କହିଛନ୍ତି। ତେଣୁ ସେମାନେ ମନ ଇଛା ଅଧିକାରୀଙ୍କୁ ବଦଳି କରୁଛନ୍ତି।

ଏପରିକି ତାଙ୍କ ନିର୍ବାଚନ ମଣ୍ଡଳୀରେ ଜାଣିଶୁଣି ସଂଖ୍ୟାଲଘୁ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଆମେ ଜାନୁୟାରୀରେ ଆସୁଛୁ ବୋଲି ସେ କହିଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାରରେ ନ ଥିବ ବୋଲି ଏହି ବିଜେପି ବିଧାୟକ କହିଛନ୍ତି। କଂଗ୍ରେସର ବରିଷ୍ଠ ବିଧାୟକ ବାସବରାଜ ରାୟରେଡ୍ଡୀ ନିଜ ସରକାର ଉପରେ ଅସନ୍ତୋଷ ଝାଡ଼ିବା ପ୍ରସଙ୍ଗକୁ ଉଦାହରଣ ଭାବେ ଦେଇଛନ୍ତି ୟାତନାଲ।

ତେଣୁ ବିଜେପିର ଏହି ବରିଷ୍ଠ ବିଧାୟକଙ୍କ ମନ୍ତବ୍ୟ ପରେ କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ଏପରିକି କଂଗ୍ରେସ ବିଧାୟକ ଦଳ ବୈଠକ ବେଳେ ବହୁ ଦଳୀୟ ବିଧାୟକ ଅସନ୍ତୋଷ ଜାହିର କରିଥିଲେ। କିଛି ବିଧାୟକ ଦଳ ଛାଡିବା ନେଇ ଚେତାବନୀ ବି ଦେଇଥିଲେ।

କିନ୍ତୁ ସେମାନଙ୍କୁ ମ୍ୟାନେଜ କରିବା ପାଇଁ ବରିଷ୍ଠ ନେତାମାନେ ଉଦ୍ୟମ କରିଥିଲେ। ଏପରିକି ବିଧାୟକ ମାନଙ୍କ ସହ ମନ୍ତ୍ରୀମାନେ ଯୋଡି ହୋଇ ରହିବା ସହ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ସେମାନଙ୍କ ସହ ନିୟମିତ ବ୍ୟବଧାନରେ ବୈଠକ କରିବେ ବୋଲି ନିଷ୍ପତ୍ତି ହୋଇଛି।

ସେପଟେ କିଛି ଦିନ ପୂର୍ବରୁ ଖୋଦ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡି କେ ଶିବକୁମାର ମଧ୍ୟ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ସିଙ୍ଗାପୁରରେ ଯୋଜନା ହେଉଥିବା କଥା କହିଥିଲେ।

ଏପରିକି ଅନ୍ୟ ଜଣେ ଟାଣୁଆ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ କର୍ଣ୍ଣାଟକରେ ବିଜେପି କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି।

ନିଜର ସରକାର ସମୟରେ ୪୦ ପ୍ରତିଶତ କମିଶନ ନେଉଥିବା ବିଜେପି ସରକାର ଏବେ ସେହି ଟଙ୍କାରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଏବେ ଦେଶର ରାଜନୈତିକ ସ୍ତରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.